ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ସଂପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଏହି କାମ ଚଳିତ ମାସରେ କରାଯିବା ପାଇଁ ଚେଷ୍ଟା କରାଯାଉଛି। ଅକ୍ଟୋବର ମଧ୍ୟରେ ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଆଇନ ମନ୍ତ୍ରୀ କହିଛନ୍ତି, ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ଏକ ରିଜଲ୍ୟୁସନ ଆସିବ। ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗିବ। ଏହା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଯିବ।
ଆଜି ଚାରି ଘଣ୍ଟା ଧରି ଶ୍ରୀମନ୍ଦିର ସମୀକ୍ଷା ବୈଠକ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ସମେତ ଏହି ବୈଠକରେ ବିଭିନ୍ନ ଯୋଜନାର ଏକ ସବିଶେଷ ସମୀକ୍ଷା ହୋଇଥିଲା। ପ୍ରକଳ୍ପ ଗୁଡ଼ିକର ସ୍ଥିତି କେମିତି ରହିଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରକଳ୍ପର ବାକି ଥିବା କାମ ସାରିବାକୁ ସମୟସୀମା ଦିଆଯାଇଥିଲା। ତେବେ ସରକାର ଯୋଜନା କରିଥିବା ପୁରୀର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଛି। ମନ୍ଦିର ପରିକ୍ରମା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପର ସ୍ଥିତି କଣ ଅଛି କେବେ ସରିବ ସେନେଇ ସମୟସୀମା ଧାର୍ଯ୍ୟ କରି ଡେଡ଼ଲାଇନ ଦିଆଯାଇଛି। ୫ଟି ପୁଷ୍କରିଣୀ ସଂରକ୍ଷଣ, ପୁରୀ ଟ୍ରାଫିକ ସମସ୍ୟା ଦୂରୀକରଣ, ପ୍ରମୋଦ ଉଦ୍ୟାନ ଓ ଗୁରୁକୁଳ ପ୍ରକଳ୍ପ, ସେବାୟତ ଙ୍କ ହାଉସିଂ ପ୍ରୋଜେକ୍ଟ, ଏସ୍ଜେଟିର ଷ୍ଟାଫ କ୍ଵାଟର ଆଦି ସବୁ ବାବଦରେ ଆଲୋଚନା ହୋଇଛି। ବିଭିନ୍ନ ପ୍ରକଳ୍ପର ଭିନ୍ନ ଭିନ୍ନ ସମୟସୀମା ଧାର୍ଯ୍ୟ ହୋଇଛି। ଏହାରି ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଗୋଟେ ଗୋଟେ ସ୍ୱତନ୍ତ୍ର ଟିମ ହୋଇଛି ପ୍ରୋଜେକ୍ଟ ପାଇଁ। ସେମାନେ କାର୍ଯ୍ୟ କରିବେ। ବିଭାଗ ମଧ୍ୟ ଧାର୍ଯ୍ୟ ସମୟରେ ପ୍ରକଳ୍ପ ଗୁଡିକ ସାରିବା ପାଇଁ ଯତ୍ନବାନ ରହିବ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ଓବିସିସି କର୍ମଚାରୀ ଉପସ୍ଥିତ ରହିଥିଲେ।
puri | Ratna bhandara