ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରବାସୀଙ୍କ ଗମନାଗମନରେ ସୁବିଧା ତଥା ସହର ମଧ୍ୟ ଦେଇ ଯାଇଥିବା ମୁଖ୍ୟ ସଡ଼କରେ ଟ୍ରାଫିକ ସମସ୍ୟାରୁ ରକ୍ଷା ପାଇବା ପାଇଁ  ଅଞ୍ଚଳବାସୀଙ୍କ ତରଫରୁ ବହୁ ଦିନ ହେବ ବାଇପାସ୍ ରୋଡ଼ ନିର୍ମାଣ ନିମନ୍ତେ ଦାବି ହେଉଛି। ଆଜି ପର୍ଯ୍ୟନ୍ତ ଦାବି ପୂରଣ ହେଉନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଶାସନର ଗତିହୀନ କାର୍ଯ୍ୟଶୈଳୀ ଓ ଜନପ୍ରତିନିଧିଙ୍କ ନିଷ୍କ୍ରିୟତାକୁ ନେଇ ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

Advertisment

ପଞ୍ଚାୟତ ନିର୍ବାଚନ ଓ ଏନଏସି ନିର୍ବାଚନ ସରିବାର ଦୁଇ ବର୍ଷରୁ ଊର୍ଦ୍ଧ ସମୟ ବିତିଯାଇଛି। କିନ୍ତୁ ସହରଟି ପୂର୍ବରୁ ଯାହା ଥିଲା ଏବେ ବି ସେୟା ଅଛି। ସ୍ଥାନୀୟ ସହରର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଆଖି ଦୃଷ୍ଟିଆ ଉନ୍ନୟନ ମୂଳକ କାମ ହୋଇନଥିବା ଆଲୋଚନା ହେଉଛି। ଘୁ.ଉଦୟଗିରି ସହର ଉପରେ ୮ଟି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାୟ ୪୦ ହଜାରରୁ ଊର୍ଦ୍ଧ ଜନସାଧାରଣ ନିର୍ଭର କରୁଥିବା ବେଳେ ସମସ୍ତେ ନିଜ ନିଜ ଆବଶ୍ୟକତା ପୂରଣ ପାଇଁ ପ୍ରତିଦିନ ସହରକୁ ଆସିଥାନ୍ତି।

ସହରରେ ଥିବା ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟ, ତହସିଲ, ଏନଏସି, ବ୍ୟାଙ୍କ୍, କୋର୍ଟ, ବିଦ୍ୟୁତ୍, କୃଷି ବିଭାଗ ଏମିତି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲକୁ ଦୈନଦିନ ସହ ସହ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଆସୁଥିବା ବେଳେ ସହ ସହ ଲୋକେ ନିଜ ଜରୁରୀ କାମ ପାଇଁ ସହରର ବିଭିନ୍ନ କାର୍ଯ୍ୟାଳୟକୁ ଆସିଥାନ୍ତି ଯାହା ଫଳରେ ସହର ବହୁ ମାତ୍ରାରେ ଜନଗହଳି ରହିଥାଏ। ଏମିତି ସମୟରେ ବଡ଼ ବଡ଼ ଟ୍ରକ୍, ବସ, ଅଟୋ ଓ ଅନେକ ଗାଡ଼ି ମୋଟର ସହର ମଧ୍ୟ ଦେଇ ଯିବା ଆସିବା କରିଥାନ୍ତି ସେପଟେ ସରକାରୀ, ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ, ଛାତ୍ର ଛାତ୍ରୀ ସ୍କୁଲ କଲେଜ ଯିବା ଆସିବା କରିବା ସମୟ ସକାଳ ୯ରୁ ୧୦ ଏବଂ ଅପରାହ୍ନ ୪ ପରେ ମୁଖ୍ୟରାସ୍ତାରେ ଗହଳି ହେଉଥିବା ବେଳେ ଗାଡ଼ି ମୋଟର ଯିବା ଆସିବା କଷ୍ଟ ସହ ଟ୍ରାଫିକ୍ ଜାମ୍ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। 

ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅଧିକା ଚଉଡ଼ା ନଥିବା ଯୋଗୁଁ ଅଧିକାଂଶ ସମୟରେ ଟ୍ରାଫିକ ଜାମ ରହୁଛି। ସମସ୍ତ ସମସ୍ୟା ଉପରେ ଦୃଷ୍ଟି ରଖି ଏନଏସି ୱାର୍ଡ଼ ୧ ପଦାସାହି ନିକଟରୁ ଶ୍ରୀରାମ ପଦା ସ୍ଥିତ ବସ୍‌ଷ୍ଟାଣ୍ଡକୁ ଏକ ବାଇପାସ୍ ରୋଡ଼ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ବହୁ ଦିନ ହେବ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। କିଛିଦିନ ପୂର୍ବରୁ ବାଇପାସ୍ ରାସ୍ତା ପାଇଁ ରାଜସ୍ବ ବିଭାଗ ତରଫରୁ ଉକ୍ତ ରାସ୍ତା ପାଇଁ ସର୍ଭେ କରାଯାଇଥିଲା ଓ ନିଷ୍ପତି ଅନୁଯାୟୀ ସ୍ଥାନ ନିରୂପଣ ମଧ୍ୟ କରାଯାଇ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା କିନ୍ତୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ଘୁ.ଉଦୟଗିରି ବାଇପାସ୍ ରାସ୍ତା ନିର୍ମାଣ କାମ କାଗଜ କଲମରେ ସୀମିତ ରହିଯାଇଛି।

ଆଜି ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ନିର୍ମାଣ ହୋଇ ପାରିନଥିବା ଫଳରେ ପ୍ରଶାସନର ଅବହେଳା ଓ ଜନପ୍ରତିନିଧିଙ୍କ ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଞ୍ଚଳବାସୀଙ୍କ ବିକାଶ ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ଯଥା ଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ କରି ଅଞ୍ଚଳର ବିକାଶ କରିବାକୁ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି କରାଯାଉଥିବା ବେଳେ କାର୍ଯ୍ୟ ସମ୍ପାଦନାରେ ପ୍ରଶାସନର ଅବହେଳା ଓ ଶିଥିଳତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ଙ୍କୁ ସମାଲୋଚନା କରାଯାଉଥିବା ଶୁଣିବାକୁ ମିଳିଛି।