ଭୁବନେଶ୍ବର: ରାଜସ୍ୱ ବିଭାଗ ନିଜ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ବାର୍ଷିକ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛି। ରାଜସ୍ବ ସେବା ପ୍ରଦାନରେ ସଫଳତା ହାସଲ କରିଥିବା ଜିଲ୍ଲା ଓ ତହସିଲ ପୁରସ୍କୃତ ହେବେ। ଭୁବନେଶ୍ବରରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ କରିବେ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

Advertisment

ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖି କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜନସାଧାରଣ ଯେପରି ରାଜସ୍ବ କାର୍ଯ୍ୟାଳୟରେ କୌଣସି ହଇରାଣ ହରକତ ନହୁଅନ୍ତି, ସେଥିପାଇଁ ସରକାର ଯତ୍ନବାନ ଅଛନ୍ତି। ନିଜର ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଉଛନ୍ତି।

 

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନେତୃତ୍ବରେ ଆସନ୍ତା ଜୁନ୍ ୪ ତାରିଖ ଠାରୁ ରାଜଧାନୀ ଭୁବନେଶ୍ବରରେ ଦୁଇ ଦିନିଆ କାର୍ଯ୍ୟକ୍ରମର ଆୟୋଜନ ହେବ। ଭୁବନେଶ୍ୱରରେ ଆୟୋଜନ ହେବ ଏହି ସମ୍ମିଳନୀ ଜନ୍‌ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୪ ତାରିଖରେ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ୩୧୭ ଜଣ ତହସିଲଦାର ଓ ୫୮ ଉପଜିଲ୍ଲାପାଳ ଯୋଗଦେବେ। ରାଜସ୍ବ ବିଭାଗର ଏହି ସମ୍ମିଳନୀରେ ବ୍ଲକ୍‌ ସ୍ତରରେ ମଧ୍ୟ ସମାରୋହର ଆୟୋଜନ ହେବ, ଯେଉଥିରେ ଭର୍ଚୁଆଲ ମାଧ୍ୟମରେ ରାଜସ୍ବ ନିରୀକ୍ଷକ ଏବଂ ଅମିନମାନେ ସାମିଲ ହେବେ। 

ସୂଚନାଯେଗ୍ୟ, ରାଜସ୍ବ ବିଭାଗ ବିଗତ ଗୋଟିଏ ବର୍ଷର ରିପୋର୍ଟ ପ୍ରସ୍ତୁତ କରିଛି। ସମ୍ମିଳନୀରେ ଯୋଗଦେଉଥିବା ବିଭାଗର ଅଧିକାରୀମାନେ‌ ଗୋଟିଏ ବର୍ଷର ରିପୋର୍ଟ ଆଣିବେ। ତାକୁ ବିଭାଗ ସମୀକ୍ଷା କରିବ। ସେହିପରି ଅଧିକାରୀମାନେ ଏବର୍ଷର ପ୍ରୋଗ୍ରେସ୍ ରିପୋର୍ଟ ଆଣିବେ। ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବିଭାଗୀୟ ମନ୍ତ୍ରୀଙ୍କ ସହ ରାଜସ୍ଵ ଅଧିକାରୀମାନେ ପ୍ରସ୍ତୁତ ରିପୋର୍ଟ ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ। ରାଜସ୍ୱ ସେବା ପ୍ରଦାନରେ ଯେଉଁମାନେ ଭଲ କାମ କରିଥିବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। 

CM Mohan Charan Majhi | Suresh Pujari