ଯାଜପୁର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର ସନ୍ଧ୍ୟାରେ ଅଚାନକ ଯାଜପୁର ଗସ୍ତରେ ଆସି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଧାନକିଣା ସମୀକ୍ଷା କରିଛନ୍ତି। ଏଥିରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁଙ୍କ ସମେତ ଡିଆର୍‌ସିଏସ୍ ଓ ସିଏସଓ ଉପସ୍ଥିତ ଥିଲେ।

Advertisment

ଜିଲ୍ଲାରେ ଧାନକିଣା ଏବେ ଲକ୍ଷ୍ୟ ଠାରୁ ବହୁଦୂରରେ ରହିଥିବା ବେଳେ ମଣ୍ଡିରେ ଅବ୍ୟବସ୍ଥା, ମିଲରଙ୍କ ମନମାନି ଓ ପ୍ରଶାସନିକ ନିରବତାକୁ ନେଇ ବିଧାୟିକା ଶ୍ରୀମତୀ ମଲ୍ଲିକ ଅସନ୍ତୋଷ ଝାଡ଼ିଥିଲେ। ତୁରନ୍ତ ଏହାର ସମାଧାନ କରାନଗଲେ ରାଜ୍ୟବ୍ୟାପୀ ଚାଷୀଙ୍କୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଓ ଚାଷୀଙ୍କ ପ୍ରତି ହେଉଥିବା ଅବିଚାରକୁ ତୀବ୍ର ବିରୋଧ କରା‌ଯିବ ବୋଲି ଚେତାବନୀ ଦେଇଥିଲେ। 

ବିଧାୟକ ଶ୍ରୀ ଦାସନାୟକ ଓ ଶ୍ରୀମତୀ ସାହୁ ମଧ୍ୟ ଚାଷୀଙ୍କଠାରୁ ତୁରନ୍ତ କିପରି ଧାନକିଣା ଯାଇପାରିବ, ସେନେଇ ବିଭାଗୀୟ ଅଧିକାରୀ ତଥା ପ୍ରଶାସନ ତତ୍ପରତା ଦେଖାଇବାକୁ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର ଧାନକିଣା ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ସମାଧାନ ଦିଗରେ ଆଲୋଚନା କରିଥିଲେ। କିଭଳି ଚାଷୀମାନଙ୍କ ଟୋକନ ଲାପସ ନହୋଇ ସମସ୍ତ ଚାଷୀଙ୍କ ଧାନ ଧାର୍ଯ୍ୟ ଅବଧି ମଧ୍ୟରେ ଉଠିବ ସେନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଧାନକିଣା ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟରୁ ଏକ ଟିମ୍ ଖୁବ୍‌ଶୀଘ୍ର ଆସିବେ। ସେ ନିଜେ ମଧ୍ୟ ଆସନ୍ତା ସପ୍ତାହରେ ଆଉଥରେ ଜିଲ୍ଲା ଗସ୍ତରେ ଆସି ଧାନକିଣା ସ୍ଥିତି ପରଖିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଚଷୀମାନଙ୍କର ଧାନ ସରିବା ପର୍ଯ୍ୟନ୍ତ ମିଲରମାନେ ଧାନ ନେବେ। କଟନି-ଛଟ୍‌ନି ହେବନାହିଁ। ଅଖା ଟଙ୍କା ଚାଷୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏଥିରେ କେଉଁଠି ବ୍ୟତିକ୍ରମ ହେଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: Forbes India ଫୋର୍ବ୍ସ୍‌ ଇଣ୍ଡିଆ ମାଗାଜିନ୍‌ରେ ରାଉରକେଲାର ଯତୀନ, ‘ଯୁବ ନେତୃତ୍ବ’ ବର୍ଗରେ ସ୍ଥାନିତ

ପରିହାସ କରିବାରୁ ରାଗରେ ପଞ୍ଚମ ପ୍ରମିଳା

ପ୍ରମିଳାଙ୍କୁ ପରିହାସ କଲେ ବିଜେପି କର୍ମୀ। ଯାହାକୁ ନେଇ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ରାଗରେ ପଞ୍ଚମ ହୋଇଗଲେ।  ଖାଲି ପ୍ରମିଳା ନୁହଁ ଯାଜପୁର ବିଧାୟିକା ସୁଜାତା ସାହୁ ବି ରାଗିଯାଇ ବିଜେପି କର୍ମୀଙ୍କ ଉପରେ ତାତି ଥିଲେ। ଯାଜପୁର ସର୍କିଟ ହାଉସରେ ଯୋଗଣ ମନ୍ତ୍ରୀଙ୍କ ଧାନକିଣା ସମୀକ୍ଷା ବୈଠକରେ ପ୍ରମିକା ଓ ସୁଜାତା ସାମିଲ ହୋଇଥିଲେ। ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉ ଦେଉ ପଛରେ ଥିବା କେହି ବିଜେପିକର୍ମୀ ପ୍ରମିଳାଙ୍କ ମନ୍ତବ୍ୟକୁ ପରିହାସ କରିଥିଲେ। ଯାହାକୁ ନେଇ ପ୍ରମିଳା ବିଜେପି ଉପରେ ଖୁବ୍ ବର୍ଷିଥିବା ବେଳେ ସୁଜାତା ମଧ୍ୟ ସରକାରଙ୍କ ଉପରେ ତାତି ଯାଇ ଯେଉଁମାନେ ରଙ୍ଗମରାରେ ବ୍ୟସ୍ତ ଅଛନ୍ତି, ୨୪ ବର୍ଷର ବିକାଶର ଚିତ୍ର ଆସି ଦେଖିଯିବାକୁ ଆହ୍ବାନ ଦେଇଥିଲେ। ପ୍ରମିଳା ଓ ସୁଜାତାଙ୍କ ଏହି ରାଗିଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା।