ଭୁବନେଶ୍ବର: ଶ୍ରୀଜଗନ୍ନାଥ କ୍ଷେତ୍ର ଭାବେ ପରିଚିତ ପୁରୀ ସହର ସହ ଅନେକଙ୍କ ଭାବାବେଗ ଜଡ଼ିତ ରହିଛି। ଅନେକ ଐତିହ୍ୟ, କିର୍ତ୍ତୀରାଜିର ସୁରକ୍ଷା ସହିତ ପୁରୀ ସହରକୁ କିଭଳି ବିଶ୍ବସ୍ତରୀୟ ସହର ଭାବେ ଗଢି ତୋଳାଯାଇ ପାରିବ ସେଠି ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ଏବଂ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଲେ, ଶ୍ରୀଜଗନ୍ନାଥ ମନ୍ଦିର ଓ ପୁରୀ ସହର ସାରା ବିଶ୍ବରେ ପରିଚିତ। ଏହି ସ୍ଥାନକୁ ଆସିବା ପାଇଁ ଅନେକ ରାଜ୍ୟ ତଥା ଦେଶବାସୀଙ୍କ ସ୍ବପ୍ନ ରହି ଆସିଛି। ତେଣୁ ପୁରୀ ସହରକୁ ସବୁ ଦୃଷ୍ଟିରୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ସରକରୀ ଓ ସାଧାରଣ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ତେଣୁ ପୁରୀ ସହର ତଥା ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ଵରିତ ବେଗରେ ଆଗେଇ ନେବା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥଲେ।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ସମୟରେ ଅନେକ ସମସ୍ୟା ଆସିଥାଏ, ତେବେ ଦୃଢ ଇଚ୍ଛାଶକ୍ତି ଓ ସଠିକ ଯୋଜନା ଦ୍ବାରା ସଫଳତା ଆସିଥାଏ। ତେଣୁ ଯୋଜନାବଦ୍ଧ ଭାବେ ପୁରୀ ସହରର ବିକାଶ ପ୍ରକ୍ରିୟାକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।
ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିରର ପାରିପାର୍ଶ୍ଵିକ ବିକାଶ, ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳମର ନିର୍ମାଣ ସମ୍ପର୍କିତ ଜମି ଅଧିଗ୍ରହଣ, ସେବାୟତ ହାଉସିଙ୍ଗ ପ୍ରକଳ୍ପ, ବିଶ୍ବସ୍ତରୀୟ ରଘୁନନ୍ଦନ ପାଠାଗାର ଓ ଶ୍ରୀଜଗନ୍ନାଥ ଗବେଷଣା କେନ୍ଦ୍ର ନିର୍ମାଣ, ପୁରୁଣା ପୁଲିସ ଷ୍ଟେସନ ଠାରେ ଭକ୍ତ ନିବାସ ନିର୍ମାଣ, ଅଠରନଳାର ବିକାଶ ସହ ପୁରୀ ସହରର ବିଭିନ୍ନ ଉନ୍ନତିକରଣ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିସହିତ ନୂତନ ଭିତ୍ତିଭୂମି ନିର୍ମାଣ ସମୟରେ ଓଡ଼ିଶାର ବାସ୍ତୁକଳାକୁ ଉପଯୋଗ କରିବା, ବିପଦସଙ୍କୁଳ ତଥା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ତ ନିର୍ମାଣକୁ ଭାଙ୍ଗିବା, ଭିତ୍ତିଭୂମି ଗୁଡିକରେ ଅତ୍ୟାଧୁନିକ ଉପକରଣର ବ୍ୟବହାର ଏବଂ ନିର୍ମାଣ ସମାରେ ଜାତୀୟ ଐତିହ ପ୍ରାଧିକରଣ ମାଗଦର୍ଶୀକାର ଅନୁପାଳନ ଓ ପୁରୀ କୋଣାର୍କ ଉନ୍ନୟନକର୍ତ୍ତୃପକ୍ଷଙ୍କ ଅନୁମୋଦନ ନେବା ଉପରେ ଆଲୋଚନ ହୋଇଥିଲାI
ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପୁରୀ ଜିଲପାଳ ଦିବ୍ୟଜ୍ୟୋତି ପରିଡ଼ା, ଓବିସିସି ପରିଚାଳନା ନିର୍ଦେଶକ ସମୀର ହୋତା, ଇଆଇସି (ସିଭିଲ) ସତ୍ୟବ୍ରତ ବେହେରା, ପୂର୍ତ୍ତବିଭାଗ ଉପଦେଷ୍ଠା ଜୟକୃଷ୍ଣ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
puri