ରାଉରକେଲା: ଗତ କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରକୋପ ଲାଗି ରହିଥିବା ବେଳେ ରାଉରକେଲା ସହର ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ। ସେଥିପାଇଁ ଏହି ଲଗାଣ ବର୍ଷାର ସଠିକ୍ ମୁକାବିଲା ପାଇଁ ରାଉରକେଲା ତଥା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଅଧିକ ବର୍ଷାର ଆଶଙ୍କା ଥିବାରୁ ସବୁ ପରିସ୍ଥିତିର ସଫଳ ମୁକାବିଲା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ସୋସିଆଲ ମିଡିଆରେ ବ୍ୟାପୁଥିବା ଗୁଜବ ଗୁଡ଼ିକୁ ବିଶ୍ଵାସ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।
ଏଥିରେ ସେ ମୁଖ୍ୟତଃ ସହରରେ ଥିବା ଡ୍ରେନ୍ ଗୁଡ଼ିକ ଉପରେ ନଜର ରଖିବା ସହ ମୁକୁଳା ଡ୍ରେନ୍ ଉପରେ ଢାଙ୍କୁଣୀ ପକାଇବା, ବର୍ଷା ପରେ ଡ୍ରେନ୍ ଗୁଡ଼ିକୁ ସଫା କରିବା, ସ୍ଥାନେ ସ୍ଥାନେ ଜାଲି ଲଗାଇ ପ୍ଲାଷ୍ଟିକ୍ ତଥା ପଲିଥିନ ଭଳି ସାମଗ୍ରୀକୁ ଡ୍ରେନକୁ ନ ଛାଡ଼ିବା, ଖୋଲା ସ୍ଥାନରେ ବର୍ଜ୍ୟବସ୍ତୁ ପକାଇବାକୁ ରୋକିବା ଆଦି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜଳବନ୍ଦୀ ଅଞ୍ଚଳରୁ ତ୍ଵରିତ ଜଳ ନିଷ୍କାସନ ଉପରେ ସେ ଗୁରୁତ୍ଵ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ରାଉରକେଲା ସହରାଞ୍ଚଳର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକୁ ସମାନ ଭାବେ ଗୁରୁତ୍ଵ ଦେବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।
ବର୍ଷା ଦିନରେ ଡ଼େଙ୍ଗୁ, ଡାଇରିଆ ଭଳି ରୋଗ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଥିବାରୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗକୁ ପରାମର୍ଶ ଦେଇଥିଲେ। ଏଥିସହ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଉପରେ ସେ ଗୁରୁତ୍ଵ ଦେଇଥିଲେ।
ବର୍ଷାର ପ୍ରକୋପ କମିବା ପରେ ଖରାପ ରାସ୍ତା ଗୁଡିକର ମରାମତି କରିବାକୁ ସେ କହିବା ସହ ବନ୍ଧମୁଣ୍ଡା ରାସ୍ତାର ତ୍ଵରିତ ମରାମତି ପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ସହରର ସ୍ଥାନେ ସ୍ଥାନେ ଯେଉଁଠି ରାସ୍ତା ଖରାପ ଅଛି ବର୍ଷା ଛାଡ଼ିବା ପରେ ତାହାର ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ।
ବର୍ଷା ଯୋଗୁଁ ପ୍ରଭାବିତ ବିପନ୍ନଙ୍କୁ ସଠିକ୍ ସମୟରେ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ। ବର୍ଷା ଦିନେ ସାଧାରଣ ଜୀବନଯାତ୍ରା ଯେଭଳି ପ୍ରଭାବିତ ନ ହୁଏ ଏବଂ ଲୋକଙ୍କ ସମସ୍ୟାର ସମୟୋଚିତ ସମାଧାନ ପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ପ୍ରସ୍ତୁତି ବୈଠକରେ ପାନପୋଷ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ମଲ୍ଲିକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ରାଉରକେଲା ତହସିଲଦାର ଶ୍ରୀମତୀ ନିବେଦିତା ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫlତିମା ଏକ୍କାଙ୍କ ସହ ଅନ୍ୟ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/16/e8d79f35-8273-4e19-9b89-bca777c464ca-2025-07-16-15-59-37.jpg)