ରାଉରକେଲା: ପୂର୍ବରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଅଣଯୋଜନାବଦ୍ଧ ସହର ବିକାଶ ବିରୋଧରେ ରାୟ ପ୍ରକାଶ କରିଛନ୍ତି। ଅନଧିକୃତ ନିର୍ମାଣକୁ ବୈଧ କରାଯାଇପାରିବ ନାହିଁ। ଆଇନ ଉଲ୍ଲଂଘନକରି ନିର୍ମାଣ ହୋଇଥିବା ବିଲ୍ଡିଂ ଦୀର୍ଘ ସମୟଧରି ଦଖଲରେ ରହିଥିଲେ ସୁଦ୍ଧା ତାଙ୍କୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏତଦ୍ବ୍ୟତୀତ ବେଆଇନ ବିଲ୍ଡିଂ ନିର୍ମାଣ ଯୋଗୁଁ ଯୋଜନାହୀନଭାବେ ସହରାଞ୍ଚଳର ବୃଦ୍ଧି ଘଟୁଛି। ବିଳମ୍ବ ହେଉପଛେ, ଶେଷରେ ରାଉରକେଲା ମହାନଗର ନିଗମ ଏନେଇ ପଦକ୍ଷେପ ନେଇଛି। ଏଣୁଏଣିକି ପ୍ରଥମେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ଓ ପରେ ଅକ୍ୟୁପେନ୍ସି ସାର୍ଟିଫିକେଟ ହାସଲ କରିବା ବାଧ୍ୟତାମୂଳକ। ନୂତନ ଭାବେ ନିର୍ମାଣ କରାଯାଉଥିବା କୌଣସି ଆବାସିକ କୋଠା, ବ୍ୟବସାୟିକ କୋଠାବାଡ଼ି ତଥା ପୁରୁଣା ବିଲ୍ଡିଂ ଉପରେ ନିର୍ମାଣ ପାଇଁ ଅକ୍ୟୁପେନ୍ସି ସାର୍ଟିଫିକେଟ ଅନିବାର୍ଯ୍ୟ। ତେବେ ବିନା ଅନୁମତିରେ ତଥା ଅନୁମତିକୁ ଅବମାନନା କରି ଗୃହ ନିର୍ମାଣକଲେ ପାଣି ଓ ବିଦ୍ୟୁତ ସଂଯୋଗ ଦିଆଯିବନାହିଁ। ଏହି ନିୟମ ଫେବ୍ରୁଆରି ପହିଲାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲାଗୁ କରାଯାଇଛି।
ଦିନଥିଲା, ଘର ମାଲିକ ମନମର୍ଜି ଘର ନିର୍ମାଣ କରୁଥିଲେ। ଗୃହ ନିର୍ମାଣ ପୂର୍ବରୁ ଆବଶ୍ୟକ ଅନୁମତି ନେଉନଥିଲେ। ଏମିତିକି ଯେଉଁ ପ୍ଲାନକୁ ଅନୁମତି ମିଳୁଥିଲା, ନିର୍ମାଣ ସମୟରେ ତାକୁ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଥିଲା। ଏଥିରେ ଅଙ୍କୁଶ ଲଗାଇବାକୁ ଆର୍ଏମ୍ସି ଆଗେଇ ଆସିଛି।
ନୂଆ ନିୟମାନୁଯାୟୀ, ଆର୍ଏମ୍ସି ଅଞ୍ଚଳରେ ଯେ କୌଣସି ନିର୍ମାଣକାର୍ଯ୍ୟରେ ଆଗୁଆ ଅନୁମତି ବାଧ୍ୟତାମୂଳକ। ଘର ମାଲିକ ପ୍ରଥମେ ଆର୍ଏମ୍ସି କାର୍ଯ୍ୟାଳୟରେ ପହଞ୍ଚି ଘର ନିର୍ମାଣ ପାଇଁ ବିଧିବଦ୍ଧ ଅନୁମତି ନେବେ। ଯେଉଁ ପ୍ଲାନ୍କୁ ଅନୁମୋଦନ ମିଳିଥିବ, କେବଳ ସେହି ଅନୁସାରେ ହିଁ ଘର ନିର୍ମାଣ ହେବ। ପରବର୍ତ୍ତୀ ସମୟରେ ମୂଳ ପ୍ଲାନ୍କୁ ପରିବର୍ତ୍ତନକରି ଘର ନିର୍ମାଣ କରାଯାଇପାରିବ ନାହିଁ। ନିର୍ମାଣକାର୍ଯ୍ୟ ଶେଷ ହେଲା ପରେ ପୁନର୍ବାର ଘର ମାଲିକ ଆବଶ୍ୟକ ନଥିପତ୍ର ସହ ଆର୍ଏମ୍ସି କାର୍ଯ୍ୟାଳୟରେ ଅକ୍ୟୁପେନ୍ସି ସାର୍ଟିଫିକେଟ ପାଇଁ ଆବେଦନ କରିବେ।
ଆର୍ଏମ୍ସି କାର୍ଯ୍ୟାଳୟରୁ ଅକ୍ୟୁପେନ୍ସି ସାର୍ଟିଫିକେଟ ମିଳିବାପରେ ତାକୁ ୱାଟ୍କୋ ଓ ଟିପିଡବ୍ଲ୍ୟୁଓଡିଏଲ୍ କାର୍ଯ୍ୟାଳୟର ଦାଖଲକରିବେ। ଏହାପରେ ହିଁ ଘରକୁ ପାଣି ଓ ବିଦ୍ୟୁତ ସଂଯୋଗ ଦିଆଯିବ। ବିନା ଅକ୍ୟୁପେନ୍ସି ସାର୍ଟିଫିକେଟ୍ରେ ପାଣି/ବିଦ୍ୟୁତ ସଂଯୋଗ ଦିଆଯିବନିବୋଲି ନିୟମରେ ସ୍ପଷ୍ଟ ଉଲ୍ଳେଖ କରାଯାଇଛି। ଅକ୍ୟୁପେନ୍ସି ସାର୍ଟିଫିକେଟ ବିନା କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ବାଣିଜ୍ୟ ଲାଇସେନ୍ସ ଓ ଖାଦ୍ୟ ନିରାପତ୍ତା ଲାଇସେନ୍ସ ମଧ୍ୟ ଦିଆଯିବନାହିଁ। ଏହି ନୂଆ ନିୟମର କଡ଼ା ପାଳନ କରିବାକୁ ଆର୍ଏମ୍ସି କମିସନର ଆଶୁତୋଷ କୁଲକର୍ଣ୍ଣି ସହରବାସୀ ଆହ୍ବାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କେବଳ ନୂଆ ବିଲ୍ଡିଂ ନିର୍ମାଣ ନୁହେଁ; ବରଂ ପୁରୁଣା ଘର ଉପରେ ଦ୍ବିତୀୟ/ତୃତୀୟ ମହଲା ନିର୍ମାଣ ସମୟରେ ମଧ୍ୟ ଏହି ନିୟମ ଲାଗୁ ହେବ। ପୂର୍ବରୁ କେବଳ ପ୍ଲାନ୍ ଅନୁମତି ଆବଶ୍ୟକ ହେଉଥିବାବେଳେ ଏବେ ଅକ୍ୟୁପେନ୍ସି ସାର୍ଟିଫିକେଟ୍କୁ ବାଧ୍ୟତାମୂଳକ କରାଯାଇଛି। ଯୋଜନାବଦ୍ଧ ସହର ଗଠନ ପାଇଁ ଏହି ନିୟମ ବହୁମାତ୍ରାରେ ସହାୟକହେବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ତେବେ ଆର୍ଏମ୍ସି କର୍ତ୍ତୃପକ୍ଷ ସାର୍ଟଫିକେଟ ପ୍ରଦାନ ଓ ଅନ୍ୟାନ୍ୟ ସେବା ପ୍ରଦାନରେ ତତ୍ପରତା ଦେଖାଇବା ନିତାନ୍ତ ଆବଶ୍ୟକ। ଅନ୍ୟଥା ହିତାଧିକାରୀ ଆର୍ଏମ୍ସି କାର୍ଯ୍ୟାଳୟ ଦୌଡ଼ିଦୌଡ଼ି ନୟାନ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/02/13/uejCX2CiQ341InjjaGmE.jpg)