କୋରାପୁଟ: ଦିନକୁ ଦିନ ଜିଲ୍ଲାରେ ବଢି ଚାଲିଛି ସଡକ ଦୁର୍ଘଟଣା। ଗତ ୫ବର୍ଷ ମଧ୍ୟରେ ୧୨୦୬ ସଡକ ଦୁର୍ଘଟଣାରେ ୭୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୧୬ ଜଣ ଗୁଗୁତର ଆହତ ହୋଇଛନ୍ତି। ଆହତ ଓ ଗୁରୁତରଙ୍କୁ ତୁରତ ଜରୁରିକାଳୀନ ଚିକିତ୍ସା ସେବା ମିଳୁ ନଥିବାରୁ ବହୁ ଜୀବନ ଚାଲି ଯାଉଛି। ଅନ୍ୟପକ୍ଷେ ଜିଲ୍ଲାରେ କୋରାପୁଟ ଠାରେ  ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଓ ଜୟପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଛି। ତେବେ ଉଭୟ ସ୍ଥାନରେ ଟ୍ରମାକୋୟାର ସେଣ୍ଟର ନଥିବାରୁ ଦୁର୍ଘଟଣାଗ୍ରସ୍ତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି।

Advertisment

ଜିଲ୍ଲାରେ ୪୬ଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ(ବ୍ଲାକସ୍ପଟ) ଚିହ୍ନଟ କରାଯାଇଛି। ବେପରୁଆ ଭାବେ ଦ୍ରୁତଗତିରେ ଗାଳି ଚଳାଇବା, ଟ୍ରାଫିକ ନିୟମ ନମାନିବା, ଓଭର ଟେକ୍ କରିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ହେଲମେଟ ନପିନ୍ଧିବା ଓ ସିଟ୍ ବେଲ୍ଟ ନବାନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲା ପୁଲିସ ତଥ୍ୟ ଅନୁଯାଇ, ୨୦୧୯ମସିହାରେ ୩୮୦ ଟି ସଡକ ଦୁର୍ଘଟଣାରେ ୧୮୯ ଜଣଙ୍କ ମୃତ୍ୟୁ ଓ ୧୪୯ ଗୁରୁତର ଆହତ ହୋଇଥିଲେ । ୨୦୨୦ମସିହାରେ ୩୪୮ ଟି ଦୁର୍ଘଟଣାରେ ୨୧୧ ଜଣଙ୍କ ମୃତ୍ୟୁ ଓ ୨୧୮ ଜଣ ଗୁରୁତର ହୋଇଥିବା ବେଳେ ୨୦୨୧ ରେ ୨୫୫ ଟି ଦୁର୍ଘଟଣାରେ ୧୪୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୨୮୬ ଜଣ ଗୁରୁତର ଆହତ ହୋଇଥିଲେ। ୨୦୨୨ରେ ୩୦୮ ଟି ସଡକ ଦୁର୍ଘଟଣାରେ ୧୫୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୬୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨୦୨୩ମସିହାରେ ୩୧୫ ଟି ସଡକ ଦୁର୍ଘଟଣାରେ ୧୧୧ ଜଣଙ୍କ ମୃତ୍ୟୁ ଘଟିଛି ଓ୨୧୩ ଜଣ ଓ ୨୦୨୪ମସିହାରେ ୩୦୮ ଟି ସଡକ ଦୁର୍ଘଟଣାରେ ୧୫୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୬୨ ଜଣ ଏଭଳି ଗତ ୬ବର୍ଷ ମଧ୍ୟରେ ୧୮୦୭ଟି ଦୁର୍ଘଟଣା ହୋଇଥିବା ବେଳେ ୮୮୫ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪୧୭ଜଣ ଗୁରୁତର ଆହତ ହୋଇଛନ୍ତି।  ତୁରନ୍ତ ଉପଯୁକ୍ତ ଚିକିତ୍ସା ମିଳି ନଥିବାରୁ ଗୁରୁତର ଆହତଙ୍କ ମଧ୍ୟରୁ କେତେକ ବ୍ୟକ୍ତି ପଙ୍ଗୁ ହୋଇ ଘରେ ବସିଛନ୍ତି। ଆଉ କିଛି ଜୀବନ ମରଣ ସହ ବିଭିନ୍ନ ଡାକ୍ତରଖାନା ଓ ଘରେ ସଂଘର୍ଷ କରୁଛନ୍ତି। ଜିଲ୍ଲାକୁ ଓଡିଶାର ଭୂସ୍ବର୍ଗ କୁହାଯାଉଛି। ଏଠାକୁ ବର୍ଷ ତମାମ ବିଭିନ୍ନ ରାଜ୍ୟ ସହ ଦେଶବିଦେଶରୁ ପର୍ଯ୍ୟଟକମାନେ ଆସୁଛନ୍ତି।

ଏବେ ଶୀତ ଆରମ୍ଭ ହୋଇଥିବା ବେଳେ ରାସ୍ତାରେ ଘନ କୁହୁଡି ଯୋଗୁ ଦୁର୍ଘଟଣା ବଢିବା ଆଶଙ୍କା ରହୁଛି। ବିଗତ ଦିନରେ ଏଥିପାଇଁ ବହୁ ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନି ଘଟିଛି। 

ଜିଲ୍ଲାରେ ଜୟପୁର କିମ୍ବା କୋରାପୁଟ ଠାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ନେଇ ଯୋଜନା ଥିଲା । ହେଲେ ସ୍ବାସ୍ଥ୍ୟ ବିଭାଗ ସହ ପ୍ରଶାସନ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସମନ୍ୱୟ ଅଭାବରୁ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଏଭଳି ସେଣ୍ଟର ସ୍ଥାପନ ହେଲେ ଜରୁରିକାଳୀନ ସେବା ପାଇ ବହୁ ଜୀବନ ବଞ୍ଚିଯିବ। ଏନେଇ ମେଡିକାଲ୍ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରେ, ମେଡିକାଲ କଲେଜରେ ଟ୍ରମାକେୟାର ସେଣ୍ଟର ବିଧିବଦ୍ଧ ଭାବେ ନଥିଲେ ମଧ୍ୟ ଏଥିପାଇଁ ଅସ୍ଥିଶଲ୍ୟ ବିଭାଗ ଓ  ସ୍ନାୟୁବିକ ବିଭାଗ ଡାକ୍ତର ସ୍ବତନ୍ତ୍ର ଭାବେ ଏହି  ଦାୟିତ୍ଵରେ ରହିଛନ୍ତି। ବର୍ତ୍ତମାନ ନିର୍ମାଣାଧୀନ ନୂତନ ହସ୍ପିଟାଲରେ ଲେବଲ -୨ ଟ୍ରମାକେୟାର ସେଣ୍ଟର କାମ ଚାଲିଛି। ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ।

ସେହିପରି ଜୟପୁର ଠାରେ ନିର୍ମାଣାଧୀନ ୭ମହଲା ଡାକ୍ତରଖାନାର ନିର୍ମାଣ ସରିଲେ ଏଠାରେ ବି ଗୋଟିଏ ଟ୍ରମାକେୟାର ସେଣ୍ଟର ଖୋଲାଯିବାର ଯୋଜନା ରହିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଜୟପୁର ଡିଏଚଏଚ୍ ଓ କୋରାପୁଟ ମେଡିକାଲ କଲେଜରୁ ଟ୍ରମା କେୟାର ସେଣ୍ଟର  ନଥିବାରୁ ବହୁ ସମୟରେ ବହୁ ରୋଗୀଙ୍କୁ ପଡୋଶୀ ରାଜ୍ୟକୁ ରେଫରାଲ କରାଯାଉଛି। ଏପରିକି ଏହି ସମସ୍ୟାକୁ ନେଇ ଜିଲ୍ଲାପରିଷଦ ବୈଠକରେ ୨ଜଣ ସାଂସଦ ଓ ୫ବିଧାୟକ ବି ଉଦବେଗ୍ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।