ଜହ୍ନାପଙ୍କ: ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ1 ଗ୍ରାମ ପଞ୍ଚାୟତର ଜଗଦୀଶପୁର ବାଇପାସ ଛକରେ ପାନୀୟ ଜଳ ଯୋଗାଣ ଦାବିରେ ସ୍ଥାନୀୟ ଉତ୍ତେଜିତ ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ରାସ୍ତାରୋକ କରାଯିବା ପରେ ଯାତାୟତ ପ୍ରଭାବିତ ହୋଇଥିଲା। ସୂଚନା ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
କଣ୍ଟୁଆଣି ଗ୍ରାମ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ଓଭର ହେଡ ଟାଙ୍କିରୁ ଜଗଦୀଶପୁର ଓ କଣ୍ଟୁଆଣି ଆଦି ଗ୍ରାମକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି। ମାତ୍ର କିଛି ଦିନ ହେଲା ପାଇପ ଫାଟି ଯାଇଥିବା ଓ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ଯୋଗୁଁ ପାନୀୟ ଜଳ ଯୋଗାଣ ଠପ ହୋଇଯାଇଛିl
ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିବା ଫଳରେ ଆଜି ଦିନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ଅଂଚଳର ମହିଳାମାନେ ଗରା ବାଲଟି ଆଦି ଧରି ଜାତୀୟ ରାଜପଥ ନଂ ୫୭ର ଜଗଦୀଶ ପୁର ବାଇପାସ ଛକରେ ରଖି ରାସ୍ତାରୋକ କରିଥିଲେ। ଫଳରେ ବୌଦ୍ଧ-ବଘିଆପଡା ରାସ୍ତା ଓ ଜାତୀୟ ରାଜପଥ ନଂ ୫୭ ରେ ଯାନବାହାନ ଚଳାଚଳ ବନ୍ଦ ହୋଇ ଯାଇଥିଲାl
ଖବର ପାଇ ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ଧର୍ମୁଧର ପୋଢ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ନାଏକ, ଲକ୍ଷ୍ମୀ ପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ସମାଜସେଵୀ ବିପିନ୍ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଶ୍ରୀ ମେହେର ମେଗା ପାନୀୟ ଜଳ ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀଙ୍କୁ ଆନ୍ଦୋଳନ ସ୍ଥଳକୁ ଡକାଇ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।
Water | Boudh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/21/Kosf6CJ9E3DJwcCI8cAB.jpg)