ଉମରକୋଟ: ସ୍ବାସ୍ଥ୍ୟ କର୍ମୀଙ୍କୁ ଚିକିତ୍ସା ସୁବିଧା ମିଳି ନଥିବା ଅଭିଯୋଗ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ଗର୍ଭବତୀ ଥିବା ଜଣେ ଆଶା କର୍ମୀଙ୍କ ମୃତ୍ୟୁ ଘଟିଛି। ନବରଂଗପୁର ଜିଲ୍ଲା ଉମରକୋର୍ଟରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତାମଝିରେ ମୃତଦେହ ରଖି ଧାରଣା ଦେଇଛନ୍ତି।
ଉମରକୋଟ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ବଡ଼ବାସନୀ ଗ୍ରାମ ଠାରେ କାର୍ଯ୍ୟରତ ଆଶାକର୍ମୀ ଦୟମତି ଭତ୍ରା ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ରବିବାର ଦିନ ପ୍ରାୟ ୩ଟା ବେଳେ ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଦୟମତିଙ୍କ ସ୍ୱାଭାବିକ ପ୍ରସବ ହେବ ବୋଲି ଡାକ୍ତରଖାନା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ୩ ଘଂଟା ଚିକିତ୍ସା କରିବା ପରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ସାଗରିକା ସ୍ବାଇଁ ଗୁରୁତର ଅବସ୍ଥାରେ ଦୟମତିଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତେବେ ଆମ୍ବୁଲାନ୍ସରେ ନବରଙ୍ଗପୁର ଯିବା ବାଟରେ ଦୟମତିଙ୍କ ମୃତ୍ୟୁ ହେଇଯାଇଥିଲା।
ପରିବାର ଲୋକେ ଦୟମତିର ଶବକୁ ବଡବାସିନୀ ଗ୍ରାମକୁ ରାତି ନେଇ ଚାଲି ଯାଇଥିଲେ। ଆଜି ସକାଳେ ଶତାଧିକ ଗ୍ରାମବାସୀ, ପରିବାର ଲୋକେ ଓ ଆଶାକର୍ମୀ ଏକ ବିରାଟ ଶୋଭାଯାତ୍ରାରେ ଶବକୁ ଏକ ଟୋକେଇରେ ଭାର କରି ଦୀର୍ଘ ୫ କିଲୋମିଟର ରାସ୍ତା ଚାଲିଚାଲି ଉମରକୋଟ ଆଣି ଡିଏନକେ ମେଡିକାଲ ଛକ ଠାରେ ଶବ ରଖି କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ଫଳରେ ଉମରକୋଟ ଓ ନବରଙ୍ଗପୁର ରାସ୍ତା ମଧ୍ୟରେ ଯାନବାହାନ ଚଳ।ଚଳ ବନ୍ଦ ହେଇ ଯାଇଥିଲା।
ଖବର ପାଇଁ ଉମରକୋଟ ଥାନା ଆଇଆଇସି ରମାକାନ୍ତ ସାଏ, ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଓ ସିବଜି ପଣ୍ଡା, ପୁଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଆନ୍ଦୋଳନକାରୀଙ୍କ ଦାବି ଥିଲା ଚିକିତ୍ସାରେ ଅବହେଳା କରିଥିବା ଡକ୍ଟର ସାଗରିକ। ସ୍ବାଇଁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ମୃତ ଆଶା କର୍ମୀଙ୍କୁ କେନ୍ଦ୍ର ସରକାର ୫୦ ଲକ୍ଷ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦିଆଯାଉ। ଏପରିକି ଉମରକୋଟ ହସ୍ପିଟାଲରୁ କୌଣସି ପ୍ରତିନିଧି ଘଟଣାସ୍ଥଳକୁ ନ ଆସିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିଲା।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ପୌର ପରିଷଦର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ, ଉମରକୋଟ ଥାନା ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅଭିଯୁକ୍ତ ଡକ୍ଟରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ, ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ ଓ ମୃତ ଆଶା କର୍ମୀଙ୍କ ଝିଅକୁ ବାତ୍ସଲ୍ୟ ଯୋଜନାରେ ମାସକୁ ୪ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଏକ କାଗଜ ରେ ଲିଖିତ ମାଧ୍ୟମରେ ପ୍ରତିଶ୍ରୁତି ପ୍ରଦାନ କରାଯିବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକକୁ ପ୍ରତ୍ୟାହାର କରିଥିଲେ ଓ ଯାନବାହାନ ଚଳାଚଳ ସ୍ଵାଭାବିକ ହେଇଥିଲା।
Nabarangpur