ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ଅତିରକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି ଅପରାହ୍ଣରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ଜଗା ପ୍ରଧାନ ଜେଲ୍ରୁ ବାହାରିଲା ପରେ ତାଙ୍କ ସମର୍ଥକମାନେ ତାଙ୍କର ସ୍ବାଗତ କରିଛନ୍ତି। ବାଣ ଫୁଟାଇଛନ୍ତି। ଜଗା ପ୍ରଧାନଙ୍କୁ ଫୁଲମାଳ ପିନ୍ଧାଇଛନ୍ତି।
ଜେଲ୍ରୁ ବାହାରିଲା ପରେ ଜଗା ପ୍ରଧାନ ରୋଡ଼ ସୋ’ କରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଜଗାଙ୍କ ଶହଶହ ପ୍ରଶଂସକ ଏହି ଶୋଭାଯାତ୍ରାରେ ସାମିଲ ଥିଲେ। କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଧର୍ମର ଜୟ ହୋଇଛି। ମୋତେ ଆଉ ମୋ ଦଳକୁ ବଦନାମ୍ କରିବା ପାଇଁ ଏହା ବିରୋଧୀ ବିଜେଡ଼ିର ଷଡ଼ଯନ୍ତ୍ର ଥିଲା। ସମୟ ଆସିଲେ ମହାପ୍ରଭୁ ବିଜେଡ଼ିକୁ ତାର ଫଳ ଦେବେ।
ଜଗନ୍ନାଥ ପ୍ରଧାନ କହିଛନ୍ତି, ବିଜେଡ଼ିର ଷଡ଼ଯନ୍ତ୍ରରେ ଓଏଏସ୍ ଅଧିକାରୀ ଫସି ଯାଇଛନ୍ତି। ରାଜ୍ୟରେ ବନ୍ୟା ଭଳି ପରିସ୍ଥିତିରେ ବି ଆନ୍ଦୋଳନ ଜାରି ରଖିଥିଲେ। ଆଗକୁ ବାହୁଡ଼ାରେ ବାଧା ଦେବା ପାଇଁ ଏହା ବିଜେଡ଼ିର ଥିଲାକୁ ଚକ୍ରାନ୍ତ। ନିଜ ସ୍ବାର୍ଥ ପାଇଁ ବିଜେଡ଼ି ମହାପ୍ରଭୁଙ୍କୁ ବି ଛାଡ଼ି ନଥିଲା। ମୁଁ ରାଜ୍ୟବାସୀଙ୍କ ସ୍ବାର୍ଥ ଓ ଦଳ ପାଇଁ ଆତ୍ମସମର୍ପଣ କରିଥିଲି।
ଜଗନ୍ନାଥ ପ୍ରଧାନଙ୍କୁ ଆଜି ଖୋର୍ଦ୍ଧା ଜିଲା ଦୌରାଜଜ ଜାମିନ ପ୍ରଦାନ କରିଥିଲେ। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ନିକଟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅତିରିକ୍ତ କମିସନରଙ୍କ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା (ବିଏନ୍ଏସ୍) ଅଧୀନରେ ୧୧ଟି ଧାରା ଯଥା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ଓ ୧୯୦/୩(୫) ଅନୁଯାୟୀ ଅଭିଯୋଗ ରୁଜୁ ହୋଇଥିଲା। ପୂର୍ବରୁ କୋର୍ଟରେ ଜଗନ୍ନାଥଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
Jagannath Pradhan