-ଦେଶୀ ପିସ୍ତଲ, ନଗଦଟଙ୍କା ଜବତ
-ଲୁଟ୍‌ର ଶିକାର ହୋଇଛନ୍ତି ଅନେକ, ଲୋକଲଜ୍ଜା ଭୟରେ ମାତ୍ର ୩ ଏତଲା

Advertisment

ରାଉରକେଲା: ସମଲିଙ୍ଗୀ ମହିଳା ଓ ପୁରୁଷ, ଉଭୟଲିଙ୍ଗୀ, କିନ୍ନରମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଗ୍ରାଇଣ୍ଡର୍‌’ ଆପ୍‌ ମାଧ୍ୟମରେ ଠକୁଥିଲେ। ଆପ୍‌ ମାଧ୍ୟମରେ ଆଖପାଖ ଅଞ୍ଚଳରେ ଥିବା ଏହି ଧରଣର ବ୍ୟକ୍ତିବିଶେଷଙ୍କୁ ଠାବକରି ନି‌ରୋଳା ସ୍ଥାନକୁ ଡାକି ଲୁଟୁଥିଲେ। ଏହି ଗ୍ୟାଙ୍ଗ୍‌ର ୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବ୍ରାହ୍ମଣୀତରଙ୍ଗ ପୁଲିସ। ଏହି ଗ୍ୟାଙ୍ଗ୍‌ ଅଭିନବ ଉପାୟରେ ଲୁଟୁଥିଲା। ପ୍ରଥମେ ଉକ୍ତ ଆପ୍‌ରେ ରାଉରକେଲା ସହର ତଥା ଆଖପାଖ ଅଞ୍ଚଳର କିଏକିଏ ସଦସ୍ୟ ଅଛନ୍ତି ସେମାନଙ୍କୁ ଠାବକରି ଯୋଗାଯୋଗ କରୁଥିଲା। ପରେ ସାକ୍ଷାତ କରିବାକୁ ନିଛାଟିଆ ଅଞ୍ଚଳକୁ ଡାକି ମାଡ଼ପିଟ ସହ ଧମକଚମକ ଦେଇ ଟଙ୍କା ଲୁଟୁଥିଲା। ଏହି ଡକାୟତ ଦଳ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବକଙ୍କଠାରୁ ୨୩ ହଜାର ଓ ରଘୁନାଥପାଲି ଥାନା ଅନ୍ତର୍ଗତ ଦୁଇ ଯୁବକଙ୍କଠାରୁ ମୋଟ୍‌ ୩୨ ହଜାର ଟଙ୍କା ଲୁଟିଥିଲା। ଅଭିଯୁକ୍ତମାନେ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଅନଲାଇନ୍‌ରେ ଟ୍ରାନ୍ସଫର୍‌ କରିବାକୁ ବାଧ୍ୟ କରୁଥିଲେ। ଯିଏ ଟଙ୍କା ନଦେଲା, ତାକୁ ମାଡ଼ପିଟ୍‌ କରିବାସହ ଜୀବନରୁ ମାରିଦେବାକୁ ବି ଧମକ ଦେଉଥିଲେ। ଏଭଳି ଢଙ୍ଗରେ ଡକାୟତମାନେ ସହରର ୧୦ରୁ ଅଧିକ ଲୋକଙ୍କୁ ଲୁଟି ସାରିଛନ୍ତି। କିନ୍ତୁ ଲୋକଲଜ୍ଜା ଭୟରେ ପୀଡ଼ିତମାନେ ପୁଲିସର ଦ୍ବାରସ୍ଥ ହେଉନଥିଲେ। କେବଳ ୩ ଜଣ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଛାନ୍‌ଭିନ୍‌ ଜାରି ରଖି ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଗ୍ୟାଙ୍ଗ୍‌ର ମୁଖ୍ୟ ବାଲୁଘାଟ ସର୍ଦାର୍‌ ବସ୍ତିର ଅର୍ଜୁନ ଚୌଧୁରୀ (୨୪), ଲେବର ଟେନାମେଣ୍ଟ୍‌ର ସୁବ୍ରତ ବେହେରା (୨୧), ବିହାର ଗୟାର ମୂଳବାସିନ୍ଦା ତଥା ବାଲୁଘାଟ ନୂଆବସ୍ତିରେ ରହୁଥିବା ସୋନୁ ଠାକୁର (୨୦), ବେଦବ୍ୟାସ ନଦୀଟୋଲାର ଅଭିଶେକ ଶର୍ମା (୨୫), ଗଙ୍ଗାଧରପାଲିର ମନୋଜ ବେହେରା (୨୨), ରାମନଗରର ଅନାଦି ଚରଣ ବେହେରା (୪୫), ବ୍ୟାସ ନଗରର ରାଜେଶ ରାଉତ (୨୩) ଓ ଲାଠିକଟା ବଲାଣିର ଜୟଦେବ ପ୍ରଧାନ (୨୫)। ‌ଏମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ ସମେତ ନଗଦ ୯୫୬୫ ଟଙ୍କା, ୭ଟି ମୋବାଇଲ ଫୋନ୍‌ ଜବତ ହୋଇଛି।

publive-image

ବାଲୁଘାଟର ଅର୍ଜୁନ ମାଷ୍ଟର୍‌ମାଇଣ୍ଡ୍‌ 
ଏହି ଗ୍ୟାଙ୍ଗ୍‌ରେ ୮ ଜଣଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ୨୧ରୁ ୨୫ ବର୍ଷ ଭିତରେ। ଏହି ଗ୍ୟାଙ୍ଗ୍‌ର ମାଷ୍ଟର୍‌ମାଇଣ୍ଡ୍‌ ହେଉଛି ବାଲୁଘାଟ ସର୍ଦ୍ଦାର ବସ୍ତିର ଅର୍ଜୁନ(୨୪)। କଲେଜର ପାଦ ମାଡ଼ିନଥିବା ଅର୍ଜୁନ ନାଁରେ ଏକାଧିକ ଆପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପ୍ରକୃତରେ ଅର୍ଜୁନ ହିଁ ଯୁବକଙ୍କୁ ଫସାଉଥିଲା। ନିଜକୁ ଏଲ୍‌ଜିବିଟି (ଲେସିବିଆନ୍‌, ଗେ’, ବାଇସେକ୍ସୁଆଲ୍‌, ଟ୍ରାନ୍‌ସଜେଣ୍ଡର) କମ୍ୟୁନିଟିର ସଦସ୍ୟଭାବେ ପରିଚୟ ଦେଇ ଏହି କମ୍ୟୁନିଟିର ଅନ୍ୟ ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିଲା। ସେମାନଙ୍କ ସହ ଚାଟିଂ କରି ନିଛାଟିଆ ସ୍ଥାନକୁ ଡାକୁଥିଲା। ସେ କିନ୍ତୁ ନିର୍ଦ୍ଧାରିତ ସ୍ଥାନକୁ ନଯାଇ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନଙ୍କୁ ପଠାଉଥିଲା। ସେମାନେ ସେଠାରେ ମାଡ଼ପିଟ୍‌ କରି ପାଖରେ ଥିବା ଟଙ୍କାକୁ ଛଡ଼ାଇ ନେବାସହ ଆକାଉଣ୍ଟ୍‌ରେ ଥିବା ଟଙ୍କାକୁ ମଧ୍ୟ ଟ୍ରାନ୍ସଫର୍‌ କରିବାକୁ ବାଧ୍ୟ କରୁଥିଲେ।

ଟାର୍ଗେଟ୍‌ରେ ଉଭୟଲିଙ୍ଗୀ, କିନ୍ନର, ସମଲିଙ୍ଗୀ ମହିଳା ଓ ପୁରୁଷ

ପୂର୍ବରୁ ବିଭିନ୍ନ ଡେଟିଂ ଆପ୍‌, ସାମାଜିକ ଗଣମାଧ୍ୟମ, ମାଟ୍ରିମୋନି ମାଧ୍ୟମରେ ଠକେଇ ଘଟଣାର ନଜିର ରହିଛି। କିନ୍ତୁ ଏହା ହେଉଛି ପ୍ରଥମ ଘଟଣା, ଯେଉଁଥିରେ ସମଲିଙ୍ଗୀ ମହିଳା ଓ ପୁରୁଷ, ଉଭୟଲିଙ୍ଗୀ, କିନ୍ନରମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଗ୍ରାଇଣ୍ଡର୍‌’ ଆପ୍‌କୁ ବ୍ୟବହାର କରି ଲୁଟିଛନ୍ତି। ଏଭଳି ଦୁଇ ପ୍ରମୁଖ ଡେଟିଂ ଆପ୍‌ ହେଉଛି ‘ଟିଣ୍ଡର୍‌’ ଓ ଗ୍ରାଇଣ୍ଡର୍‌’। ଉଭୟ ଆପ୍‌ ମଧ୍ୟରେ ପାର୍ଥକ୍ୟ ହେଉଛି ‘ଟିଣ୍ଡର୍‌’ ଆପ୍‌ରେ ଯେ କୌଣସି ବ୍ୟକ୍ତି ନିଜର ପ୍ରୋଫାଇଲ ତିଆରି କରିପାରିବେ ଓ ‘ଗ୍ରାଇଣ୍ଡର୍‌’ ଆପ୍‌ରେ କେବଳ ସମଲିଙ୍ଗୀ ମହିଳା ଓ ପୁରୁଷ, ଉଭୟଲିଙ୍ଗୀ, କିନ୍ନରମାନେ ଯୋଡ଼ି ହୋଇଥାନ୍ତି। ‘ଟିଣ୍ଡର୍‌’ ଆପ୍‌ରେ ପ୍ରୋଫାଇଲ୍‌ ମ୍ୟାଚ୍‌ ହେଲେ ହିଁ ଦୁଇଜଣଙ୍କ ମଧ୍ୟରେ ଯୋଗାଯୋଗ ସମ୍ଭବ ହୋଇଥାଏ। ଅପରପକ୍ଷରେ ‘ଗ୍ରାଇଣ୍ଡର୍‌’ ଆପ୍‌ରେ ପ୍ରୋଫାଇଲ୍‌ ମ୍ୟାଚ୍‌ ହେବା ବାଧ୍ୟତାମୂଳକ ନୁହେଁ। ଏହି ଆପ୍‌ ବ୍ୟବହାର କରୁଥିବା ନିକଟତମ ବ୍ୟକ୍ତି ତଥା ଦେୟଯୁକ୍ତ ସବ୍‌ସ୍କ୍ରାଇବର୍‌ର ପ୍ରୋଫାଇଲ୍‌ ସ୍ବତଃସ୍ଫୁର୍ତ୍ତଭାବେ ଦେଖାଇଥାଏ। ଏହାର ଫାଇଦା ନେଇଥିଲା ଗ୍ୟାଙ୍ଗ୍‌ଲିଡର୍‌ ଅର୍ଜୁନ। ଏହି ଆପ୍‌ରେ ନିଜର ପ୍ରୋଫାଇଲ୍‌ ତିଆରି କରିଥିବା ବନ୍ଧମୁଣ୍ଡାର ଜଣେ ୨୬ ବର୍ଷୀୟ ଯୁବକ, ସେକ୍ଟର-୨୧ର ଜଣେ ୨୪ ବର୍ଷୀୟ ଯୁବକ ଓ ବିଶ୍ରା ରୋଡ୍‌ ଅଞ୍ଚଳର ଜଣେ ୨୮ ବର୍ଷୀୟ ଯୁବକଙ୍କ ସହ ଯୋଗାଯୋଗ କରିଥିଲା ଅର୍ଜୁନ। ସେମାନଙ୍କ ସହ ମେସେଜ୍‌ରେ ମିଠାମିଠା କଥାବାର୍ତ୍ତା କରି ଜାଲରେ ଫସାଇଥିଲା। ବନ୍ଧମୁଣ୍ଡାର ଯୁବକଙ୍କୁ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସର ଏକ ଅଞ୍ଚଳକୁ ଡାକି ୨୩ ହଜାର ଟଙ୍କା ଲୁଟି ନେଇଥିବାବେଳେ ବିଶ୍ରା ରୋଡ୍‌ ଓ ସେକ୍ଟର-୨୧ର ଯୁବକଙ୍କୁ ରଘୁନାଥପାଲି ଥାନା ଅନ୍ତର୍ଗତ ଛେଣ୍ଡ୍‌ ପେଟ୍ରୋଲ ପମ୍ପ୍‌ ପାଖ ନିଛାଟିଆ ଅଞ୍ଚଳକୁ ଡାକି ଯଥାକ୍ରମେ ୮ ହଜାର ଓ ୨୪ ହଜାର ଟଙ୍କା ଲୁଟିଥିଲା। ରଘୁନାଥପାଲି ଥାନାରେ ଗତ ୨୮ ତାରିଖ ଓ ସେପ୍ଟେମ୍ବର ୨୫ ତାରିଖରେ ଏ ସଂପର୍କରେ ଏତଲା ହୋଇଥିଲା।