କବିସୂର୍ଯ୍ୟନଗର: ‘ରାମ ନାମ ସତ୍ୟ ହେ... ହରି ନାମ ସତ୍ୟ ହେ...। ଏହି ସ୍ବର ସେତେବେଳେ ଶୁଣିବାକୁ ମିଳିଥାଏ, ଯେତେବେଳେ କୌଣସି ମୃତଦେହ ଅନ୍ତିମ ସଂସ୍କାର ପାଇଁ ମଶାଣି ଅଭିମୁଖେ ଯାଉଥାଏ। କିନ୍ତୁ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ବଳିଆପଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କୋକେଇରେ ଏକ ପ୍ରତୀକାତ୍ମକ ଶବ ରଖି ପରିବାର ଓ ପରିଜନ ଲୋକେ ଯେତେବେଳେ ଏଭଳି ଏକ କାମ କରିଥିଲେ ରାସ୍ତାରେ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କେବଳ ଓଡ଼ିଶା କାହିଁକି, ବାହାର ରାଜ୍ୟର ଲୋକେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି।
ଅନ୍ୟ ଜାତିର ପୁଅକୁ ଜଣେ ଝିଅ ପ୍ରେମ ବିବାହ କରିବାରୁ କୁଳସମାଜରେ ଦଣ୍ଡିତ ହେଲେ ବାପା। ୫୦ ହଜାର ଟଙ୍କା ଜରିମାନା ସହ ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧିକ୍ରିୟା କରିବାକୁ ନିର୍ଦ୍ଦେଶ ଦେଲା ସମାଜ। କବିସୂର୍ଯ୍ୟନଗର ଥାନା ଇଲାକାରୁ ଏଭଳି ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି।
ଅନ୍ୟ ଜାତିରେ ବିବାହ କଲା ବୋଲି ଝିଅର ପ୍ରତୀକାତ୍ମକ ଶବସତ୍କାର କରିଛନ୍ତି ବାପା-ମା’। ଅନ୍ୟ ଜାତିରେ ଝିଅ ବାହା ହେଲା ବୋଲି ଏହିଭଳି ପଦକ୍ଷେପ ନେଇଛନ୍ତି ଅଭିଭାବକ। ପରିବାର ଓ କୁଳ ସମାଜ ଶୁଦ୍ଧି ହୋଇଛନ୍ତି। କଦଳୀ ଗଛକୁ ମୃତଦେହ ସଜାଇ ନୂଆଁ ଲୁଗା ପିନ୍ଧାଇ ଘଣ୍ଟ-ମୃଦଙ୍ଗ ସହ ରାମ ନାମ ସତ୍ୟ ହେ କହି ଗ୍ରାମ ପରିକ୍ରମା କରିଥିଲେ। ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ବଳିଆପଲିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଲା ପରେ ଏହି ଘଟଣାକୁ ବୁଦ୍ଧିଜୀବୀ ମହଲାରେ ତୀବ୍ର ନିନ୍ଦା କରାଯାଉଛି।
ମିଳିଥିବା ସୂଚନାନୁସାରେ, ଗୋଟିଏ ଗାଁରେ ରହୁଥିବା ଦୁଇ ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଏହା ଜାଣିବା ପରେ ଝିଅର ପରିବାର ଲୋକେ ଥାନାରେ ଏତଲା ଦେବା ପରେ ତାଙ୍କ ପ୍ରେମିକକୁ ଗିରଫ କରାଯାଇଥିଲା। ଜାମିନରେ ସେ ମୁକୁଳିଥିଲେ। ପରିବାରର ବାରଣ ସତ୍ତ୍ବେ ପୁଅଝିଅ ରେଜିଷ୍ଟ୍ରି ବିବାହ କରିଥିଲେ। ଏହାପରେ ଝିଅର ବାପା ଉପରେ କୁଳସମାଜର ନିର୍ଯାତନା ବଢ଼ିବାକୁ ଲାଗିଥିଲା। ପ୍ରଥମେ ତାଙ୍କୁ ପୁରୀ ଯାଇ ଲଣ୍ଡା ହୋଇ ସଂସ୍କାର ହେବାକୁ ନିର୍ଦ୍ଦେଶ ଦିଆଗଲା। ତିନିଦିନ ତଳେ ଏକ କଦଳୀଗଛକୁ ନେଇ ଝିଅର ପ୍ରତୀକାତ୍ମକ ସଂସ୍କାର କରାଯାଇଥିଲା। ଏହାସହ ୧୨ ଦିନ ଶୁଦ୍ଧିକ୍ରିୟା ପାଳିବାକୁ ନିର୍ଦ୍ଦେଶ ଜାରି ହେବା ସହ ୫୦ ହଜାର ଟଙ୍କା ଜରିମାନ ଦଣ୍ଡରେ ଦଣ୍ଡିତ କରାଗଲା। ସଭ୍ୟସମାଜରେ ଏଭଳି ପରମ୍ପରା ସମସ୍ତଙ୍କୁ ବ୍ୟଥିତ କରିଛି।
ganjam