ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଭଞ୍ଜନଗର ଅଞ୍ଚଳର ବେଶ ଗୁରୁତ୍ବ ରହିଛି। ଏହି ଅଞ୍ଚଳରେ ପର୍ଯ୍ୟଟନକୁ ନେଇ ଅନେକ ସମ୍ଭାବନା ରହିଥିବା ବେଳେ ସେହି ସ୍ଥାନ ଗୁଡିକର କିଭଳି ଉନ୍ନତି ହୋଇ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହୋଇ ପାରିବ ସେଥି ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗୁରୁତ୍ବରୋପ କରିଛନ୍ତି। ଘୁମୁସର ମାଟିର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ସାଧାନର ପୀଠ କିଭଳି ଉନ୍ନତି ହୋଇ ପାରିବ ସେଥି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାୟକ ଭାବେ ନିର୍ବାଚିତ ହେବ ପରଠାରୁ ଉକ୍ତ ଅଞ୍ଚଳକୁ ବାରମ୍ବାର ଗସ୍ତ କରି ଶ୍ରୀ ନାୟକ ବିଭିନ୍ନ ଅଧିକାରୀ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀଙ୍କୁ ମଧ୍ୟ ଉକ୍ତ ଅଞ୍ଚଳ ଗସ୍ତ କରି ଏହାର ଉନ୍ନତି ପାଇଁ ପ୍ରୟାଶ ଆରମ୍ଭ କରିଛନ୍ତି। ଚକରା ଘାଟିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ୬ କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।
ଏଠାରେ ବର୍ତ୍ତମାନ ୨ଟି ୱାଚ୍ ଟାୱାର, ପୋଖରୀ ଖନନ, ମନ୍ଦିର ଉନ୍ନତୀକରଣ, ପାଚେରୀ, ପିଇବା ପାଣି ବ୍ୟବସ୍ଥା, ବିଧାୟକ ଶ୍ରୀ ନାୟକ ସୋମବାର ଉକ୍ତ ଅଞ୍ଚଳ ପରିଦର୍ଶନ କରି ବର୍ତ୍ତମାନ ଅନୁଦାନ ଆସିଥିବା ଅର୍ଥ କିଭଳି କାମ ହେଉଛି ତାହାର ସମୀକ୍ଷା କରିଥିଲେ। ଏଥିସହ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ କଣ କଣ କାର୍ଯ୍ୟ ଆଗାମୀ ଦିନରେ କରାଯାଇ ପାରିବ ସେଦିଗରେ ଆଲୋଚନା କରିଛନ୍ତି। ଚକରା ଘାଟିରେ ସଫାରୀ ବ୍ୟବସ୍ଥା ସହ ଏହାକୁ କେବଳ ଡେ ଟୁରିଜିମରେ ସାମିଲ କରାଯିବା ଦିଗରେ ପଦକ୍ଷେପ ନିଆଯିବ। ଏଥିସହ ବ୍ରାହ୍ମଣପଦର ନିକଟ ଘାଟିଶୂଳା କ୍ଷେତ୍ରର ଉନ୍ନୟନ କାର୍ଯ୍ୟ ମଧ୍ୟ କିଭଳି ହେବ ସେନେଇ ଆଲୋଚନା କରିଥିଲେ। ଏହି ଦୁଇଟି ଅଞ୍ଚଳର ବିକାଶ ପରେ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ଦୁଇ ସ୍ଥାନରେ ରହିବା ଭଳି ବ୍ୟବସ୍ଥା କରାଯିବ। ଉକ୍ତ ସ୍ଥାନକୁ ବିଦ୍ୟୁତ ସୁବିଧା ନ ଥିବାରୁ ବିକଳ୍ପ ବ୍ୟବସ୍ଥା ହେବା ନେଇ ଆଲୋଚନା ହୋଇଛି। ଉଭୟ ସ୍ଥଳ ଘୁମୁସର ବୀପ୍ଳବୀ ବୀର ସ୍ବାଧୀନତା ସଂଗ୍ରାମୀ ଚକରା ବିଶୋୟୀଙ୍କ ସାଧନା କ୍ଷେତ୍ର ଥିଲା।
ସେ ବ୍ରିଟିଶମାନଙ୍କ ବିରୋଧରେ ଦେଶର ମୁକ୍ତି ଆନ୍ଦୋଳନର କର୍ଣ୍ଣଧାର ସାଜିଥିଲେ। ଘୁମୁସର ମାଟିରେ ଯୁବକ ମାନଙ୍କୁ ମେଳି କରି ବ୍ରିଟିଶ ମାନଙ୍କ ବିରୋଧରେ ଗରିଲା ଯୁଦ୍ଧ ଆରମ୍ଭ କରିଥିଲେ। ଚକରାଙ୍କୁ ଧରିବା ପାଇଁ ବ୍ରିଟିଶ ସରକାର ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା। ତାଙ୍କ ବିଷୟରେ ସୂଚନା ଦେଲେ ୩ ହଜାର ଟଙ୍କାର ପୁରସ୍କାର ପ୍ରଦାନ ପାଇଁ ମଧ୍ୟ ଘୋଷଣା ହୋଇଥିବା ଇତିହାରକାର ମାନେ ପ୍ରକାଶ କରନ୍ତି।
ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ଓ ତାରସିଂ ରେଞ୍ଜର ମଧ୍ୟବର୍ତ୍ତି ଅଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଚନ୍ଦ୍ରଗିରି ଜଙ୍ଗଲରେ ଚକ୍ରଘାଟି ରହିଛି। ଏଠାରେ ରହି ସେ ବ୍ରିଟିଶ ଶାସକଙ୍କ ବିରୋଧରେ ଲଢେଇ କରୁଥିଲେ। ଏହି ଦୁଇ ସ୍ଥାନର ବିକାଶ କରାଯାଇ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଯେପରି ମିଳିବ ସେଦିଗରେ ପଦକ୍ଷେପ ନିଆଯାଉଛି। ବିଧାୟକଙ୍କ ଗସ୍ତ ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର ନାୟକ,ଗ୍ରାମ୍ୟ ପାଇପ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଇଂ ନିହାର ରଞ୍ଜନ ସ୍ବାଇଁ,ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ,ସଙ୍ଗଠକ ଧୋବା ଗୌଡ, ବ୍ଲକ ଏମପି ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ,ଗାଲେରି ରେଞ୍ଜର ଆଶାଲତା ଦିଗାଲ,ବନପାଳ ଶୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।