ମାଲକାନଗିରି: ମାଲକାନଗିରି ଥାନା ଅଂଚଳରେ ଜଣେ ମହିଳାଙ୍କୁ ରେଳ ବିଭାଗରେ ଚାକିରି କରାଇଦେବା ନାମରେ ୭ ଲକ୍ଷ ଟଂକା ଠକେଇ କରି ନେଇଥିବା ଠକକୁ ମାଲାକନଗିରି ପୁଲିସ ଗିରଫ କରିଛି।

Advertisment

ଘଟଣା ଅନୁଯାୟୀ ୨୦୨୨ ଫେବ୍ରୁଆରିରେ ମାଲକାନଗିରି ଏମଭି-୨ ବାସିନ୍ଦା ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ସ୍ବାମୀ ବିଘ୍ମରାଜ ପଣ୍ଡାଙ୍କ ଜୟପୁରରେ ରହୁଥିବା ସାଙ୍ଗ ସଂତୋଷ କୁମାର ସାହୁ ତାଂକୁ ଚାକିରି କରାଇଦେବାକୁ କହିଥିଲେ। ଆଇସିଡିଏସ କାର୍ଯ୍ୟାଳୟରେ ଚାକିରି କରାଇଦେବାକୁ ତାଂକର ଭୁବନେଶ୍ବରରେ ରହୁଥିବା ବନ୍ଧୁ ବିକ୍ରମ କୁମାର ଜେନା ଏଥିରେ ସହଯୋଗ କରିବେ ବୋଲି କହିଥିଲେ।

ପ୍ରଥମେ ୪୦ ହଜାର ଟଂକା ତାଂକ ଆକାଉଣ୍ଟରେ ପକାଇବାକୁ କହିଥିଲେ। ୨୦୨୩ ମସିହା ଫେବ୍ରୁଆରି ୮ ତାରିଖରେ ପ୍ରଜ୍ଞା ମଧ୍ୟ ତୁରନ୍ତ ତାଂକ ଆକାଉଣ୍ଟରେ ଟଂକା ପଠାଇଥିଲେ। ପରେ ପୁଣି ସେହି ମସିହା ମାର୍ଚ୍ଚ ୧୧ ତାରିଖରେ ୬୦ ହଜାର ଟଂକା ପଠେଇଥିଲେ। ଶ୍ରୀ ସାହୁ ସେହି ଚାକିରି ଆଉ ହେବ ନାହିଁ, ତୁମକୁ ରେଳ ବିଭାଗରେ ଚାକିରି କରାଇଦେବି କହିଥିଲେ। ପ୍ରଜ୍ଞାଙ୍କୁ ତୁରନ୍ତ କୋଲକାତା ଆସିବାକୁ କହିଥିଲେ। 

ପ୍ରଜ୍ଞା ତାଂକ କଥାରେ ବିଶ୍ବାସ କରି କୋଲକାତା ମଧ୍ୟ ଗଲେ। ସେଠାରେ ବିକ୍ରମ କୁମାର ଜେନାଙ୍କ ସହ ସାକ୍ଷାତ କରାଇବା ସହ ସଂତୋଷ ନିଜ ପତ୍ନୀକୁ ମଧ୍ୟ ସାଥିରେ ନେଇଥିଲେ। କୋଲକତାରେ ପ୍ରଜ୍ଞାଙ୍କୁ ମେଡିକାଲ ପରୀକ୍ଷା କରିବାକୁ କୁହାଯାଇଥିଲା। ସେଥିପାଇଁ ତୁରନ୍ତ ସଂତୋଷଙ୍କ ସ୍ତ୍ରୀ ଆକାଉଣ୍ଟରେ ୨୦ ହଜାର ଟଂକା ଦେବାକୁ କୁହାଯାଇଥିଲା। ପ୍ରଜ୍ଞା ୨୦ ହଜାର ଟଂକା ଦେଇଥିଲେ। ପୁଣି ପ୍ରଜ୍ଞାଙ୍କୁ ଦିଲ୍ଲୀ ଯିବାକୁ କହିଥିଲେ। ସେଠାରେ ହିଁ ତାଂକର ନିଯୁକ୍ତି ପତ୍ର ମିଳିବ ବୋଲି କୁହାଯାଇଥିଲା। ପ୍ରଜ୍ଞା ଦିଲ୍ଲୀ ଯାଇ ଏକ ହୋଟେଲରେ ରେଳ ବିଭାଗରେ ଚାକିରି କରୁଥିବା ଚନ୍ଦ୍ରକାନ୍ତ ମହାନ୍ତିଙ୍କ ସହ ସାକ୍ଷାତ କରାଇଲେ। ସମସ୍ତେ ତାଂକୁ ବିଭିନ୍ନ ଫର୍ମରେ ଦସ୍ତଖତ କରାଇଥିଲେ। ପରେ ୮୦ ହଜାର ଟଂକା ମାଗିଥିଲେ ଏବଂ ନିଯୁକ୍ତି ପତ୍ର ଡାକଘର ମାଧ୍ୟମରେ ଘରକୁ ପଠାଯିବ ବୋଲି କହିଥିଲେ।

ପରବର୍ତ୍ତୀ ସମୟରେ ସମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ ପ୍ରାୟ ୭ ଲକ୍ଷ ଟଂକା ଠକି ନେଇଯାଇଥିଲେ। ଏନେଇ ବାରମ୍ବାର ପ୍ରଜ୍ଞା ସେମାନଙ୍କୁ ଚାକିରି କରାଇଦେବାକୁ ନଚେତ ଟଂକା ଫେରାଇ ଦେବାକୁ କହିଥିଲେ। କିନ୍ତୁ ସେମାନେ ପ୍ରଜ୍ଞାଙ୍କୁ ଧମକ ଚମକ ଦେବା ସହ ହତ୍ୟା କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ପ୍ରଜ୍ଞା ବାଧ୍ୟ ହୋଇ ଚଳିତ ମାସ ୨ ତାରିଖରେ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ସଂତୋଷ କୁମାର ସାହୁ, ତାଂକ ପତ୍ନୀ, ବିକ୍ରମ ଜେନା ଏବଂ ଚନ୍ଦ୍ରକାନ୍ତ ମହାନ୍ତିଙ୍କୁ ଖୋଜିଥିଲା। ଭୁବନେଶ୍ବରରୁ ଆଜି ବିକ୍ରମ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।