‘ସମ୍ବାଦ’ର ତ୍ରୟସ୍ତ୍ରିଂଶତ୍‌ ବାର୍ଷିକ ଉତ୍ସବ ଆଜି

: ଏଥରର ଅତିଥି ପଦ୍ମଭୂଷଣ ଚଣ୍ଡୀପ୍ରସାଦ ଭଟ୍ଟ ଏବଂ ପଦ୍ମଭୂଷଣ ହରିକିଶନ ଦୁଆ

ଭୁବନେଶ୍ୱର: ‘ସମ୍ବାଦ’ର ତ୍ରୟସ୍ତ୍ରିଂଶତ୍‌ ବାର୍ଷିକ ଉତ୍ସବ ଆସନ୍ତା କାଲି (ବୁଧବାର) ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବିଶିଷ୍ଟ ଗାନ୍ଧିବାଦୀ ତଥା ମାଗାସେସେ ପୁରସ୍କାର ବିଜେତା ପରିବେଶବିତ୍‌ ପଦ୍ମଭୂଷଣ ଚଣ୍ଡୀପ୍ରସାଦ ଭଟ୍ଟ। ମୁଖ୍ୟବକ୍ତା ରହିବେ ପ୍ରଖ୍ୟାତ ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ପଦ୍ମଭୂଷଣ ହରିକିଶନ ଦୁଆ।

୧୯୩୪ରେ ଜନ୍ମିତ ଶ୍ରୀ ଭଟ୍ଟ ୧୯୫୬ ମସିହାରେ ବିଶିଷ୍ଟ ଗାନ୍ଧିବାଦୀ ଜୟପ୍ରକାଶ ନାରାୟଣଙ୍କ ଭାଷଣ ଶୁଣି ସର୍ବୋଦୟ ଆନ୍ଦୋଳନ ପ୍ରତି ଆକୃଷ୍ଟ ହୋଇଥିଲେ। ୧୯୬୦ରେ ଛୋଟିଆ ଚାକିରି ଛାଡ଼ି ଆନ୍ଦୋଳନ ପାଇଁ ନିଜର ସବୁତକ ସମୟକୁ ଉପଯୋଗ କରିଥିଲେ। ଉତ୍ତରାଖଣ୍ଡର ଗାଁ ଗୁଡ଼ିକରେ ସର୍ବୋଦୟ, ଭୂଦାନ ଏବଂ ଗ୍ରାମଦାନ ଆନ୍ଦୋଳନକୁ ବ୍ୟାପକ କରିବାରେ ତାଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ସେ ଚିପ୍‌କୋ ଆନ୍ଦୋଳନର ପ୍ରଚାର କରି ସଫଳ ହୋଇଥିଲେ। ଗ୍ରାମାଞ୍ଚଳର ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଔଷଧୀୟ ଗୁଳ୍ମଲତାର ସୁରକ୍ଷା, ସଂଗ୍ରହ ତଥା ବିକ୍ରି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ। ୨୦୦୩ରେ ଗଠିତ ‘ନ୍ୟାସ୍‌ନାଲ୍‌ ଫରେଷ୍ଟ୍‌ କମିସନ୍‌’ର ସେ ସଦସ୍ୟ ମଧ୍ୟ ରହିଥିଲେ। ୧୯୩୭ରେ ଜନ୍ମିତ ଶ୍ରୀ ଏଚ୍‌. କେ. ଦୁଆ ୧୯୮୭ରୁ ୧୯୯୪ ପର୍ଯ୍ୟନ୍ତ ‘ହିନ୍ଦୁସ୍ତାନ ଟାଇମ୍‌ସ’ର ସମ୍ପାଦକ ଏବଂ ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ‘ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୨୦୦୩ରୁ ୨୦୦୯ ଯାଏ ସେ ‘ଦ ଟ୍ରିବ୍ୟୁନ୍‌’ର ସମ୍ପାଦକ ଦାୟିତ୍ୱରେ ଥିଲେ। ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଡେନ୍‌ମାର୍କରେ ଭାରତର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଥିବାବେଳେ ଜାତୀୟ ନିରାପତ୍ତା ପରିଷଦର ସଦସ୍ୟ ମଧ୍ୟ ରହିଥିଲେ। ୧୯୯୮ରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଭୂଷଣ ଉପାଧି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ସେ ରାଜ୍ୟ ସଭାର ସଦସ୍ୟ ଥିଲେ।

ଏହି ଉତ୍ସବରେ ‘ସମ୍ବାଦ’ର ଅନୁରାଗୀ ଓ ରାଜ୍ୟର ବୁଦ୍ଧିଜୀବୀମାନେ ଯୋଗଦେବା ପାଇଁ ‘ସମ୍ବାଦ’ ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର