-ଗଣମାଧ୍ୟମ ଗୌଣଙ୍କର ସ୍ବର ନହେଉ: ପ୍ରଦୀପ ଜେନା
-ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନୁହେଁ, ତୃତୀୟ ନୟନ ହେଉ: ସୌମ୍ୟରଞ୍ଜନ
-ପାଠକଙ୍କ ବିଶ୍ବାସ ‘ସମ୍ବାଦ’ର ପୁଞ୍ଜି: ତନୟା
ସମ୍ବଲପୁର,: ‘ଛାପା ଗଣମାଧ୍ୟମରେ ମୁଖ୍ୟତଃ ନକରାତ୍ମକ ଖବର ପ୍ରଥମ ପୃଷ୍ଠାରେ ସ୍ଥାନିତ ହେଉଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମର ବ୍ରେକିଂ ନିଉଜ୍ ସ୍ଥିତି ବି ସେଇୟା। ଦୁନିଆରେ ଅନେକ ସକରାତ୍ମକ ଓ ପ୍ରେରଣାଦାୟୀ ଘଟଣା ଘଟୁଛି। ଲୋକଙ୍କୁ ଭଲ ଦିଗରେ ପ୍ରୋତ୍ସାହିତ କରିବା ଭଳି ଅନେକ ଖବର କରାଯାଇପାରେ। ତେଣୁ ସକରାତ୍ମକ ଖବରକୁ ବ୍ରେକିଂ ନିଉଜ୍ କରାଯିବାର ଆବଶ୍ୟକତା ରହିଛି’। ଆଜି ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ୨୯ତମ ସ୍ବନକ୍ଷତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ମତବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ‘ସମ୍ବାଦ’ ଗୌଣଙ୍କର ନହୋଇ ବରଂ ଗଣର ସ୍ବର ହେଉ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା କହିଥିଲେ। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ, ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଓ ସମ୍ବଲପୁର ସଂସ୍କରଣର ଉପ ମହାପ୍ରବନ୍ଧକ ସୁବ୍ରତ ନାୟକ ମଞ୍ଚାସୀନ ଥିଲେ।
ମୁଖ୍ୟଅତିଥି ଶ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ ଆହୁରି କହିଥିଲେ, ପଶ୍ଚିମ ଓଡ଼ିଶାବାସୀ ସରଳବିଶ୍ବାସୀ। ବିଶ୍ବାସୀ ହେଉ ବା ଅବିଶ୍ବାସୀ ସେମାନେ ସମସ୍ତଙ୍କୁ ସହଜରେ ବିଶ୍ବାସ କରିଯାଆନ୍ତି। ବିଶ୍ବାସ କରିବା ହେଉଛି ଆମର ସଂସ୍କାର ବୋଲି ଶ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ କହିଥିଲେ। ସମ୍ବଲପୁରୀ ଭାଷାରେ ରାମାୟଣ, ମହାଭାରତ ଲେଖା ସରିଲାଣି। ସମ୍ବଲପୁରୀ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ‘ସମ୍ବାଦ’ର ସମ୍ବଲପୁରୀ ଜୁଗାର ପୃଷ୍ଠାର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ। ଏବେ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାରେ ବିଲକ୍ଷଣ ଆରମ୍ଭ ହେଲାଣି। ଯେବେ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବିଲକ୍ଷଣ ଆରମ୍ଭ ହେବ ସେବେ ଗଣତନ୍ତ୍ର ବିପଦକୁ ଚାଲିଯିବ ବୋଲି ଶ୍ରୀ ପୂଜାରୀ କରିଥିଲେ।
ମୁଖ୍ୟବକ୍ତା ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ ୪ ଦଶନ୍ଧି ହେବ ‘ସମ୍ବାଦ’ କିଭଳି ଲୋକଙ୍କ ସହ ଜଡ଼ିତ ରହିଛି, ସେ ସମ୍ପର୍କରେ ନିଜ ଅଭିଜ୍ଞତା ଓ ଅନୁଭୂତି ବଖାଣିଥିଲେ। ‘ସମ୍ବାଦ’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସ୍ତମ୍ଭ ‘ଆମ ଘରର ହାଲଚାଲ୍’ରେ କିଭଳି ଓଡ଼ିଶାକୁ ଘର ଭାବି ବ୍ୟବସ୍ଥାରେ ପରିବର୍ତ୍ତନ ସମ୍ପର୍କରେ ସ୍ବର ଉତ୍ତୋଳନ କରାଯାଉଛି, ଯୁବ ସମ୍ପାଦକ ତନୟା ପଟ୍ଟନାୟକଙ୍କ ପରିକଳ୍ପିତ ‘ପୁନଶ୍ଚ ପୃଥିବୀ’ ଆନ୍ଦୋଳନ କିଭଳି ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇପାରୁଛି ସେ ସମ୍ପର୍କରେ ନିଜର ଦୃଷ୍ଟିଭଙ୍ଗୀ ରଖିଥିଲେ।
‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ତାଙ୍କ ବିବୃତିରେ ସର୍ବଦା ନିରପେକ୍ଷ ହେବା ଅପେକ୍ଷା ସବୁବେଳେ ସତକଥା ଲେଖିବା ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ପକ୍ଷଭୁକ୍ତ ହୋଇ ଲୋକଙ୍କ ବିଶ୍ବାସଭାଜନ ହେବାକୁ ‘ସମ୍ବାଦ’ର ଚେଷ୍ଟା ଜାରି ରହିଥିବ। ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନୁହେଁ, ବରଂ ତୃତୀୟ ନୟନ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲ। ‘ସମ୍ବାଦ’ର ସଫଳତା ପଛରେ ଆଞ୍ଚଳିକ ସଂସ୍କରଣ ରହିଛି।
ଯଦି ‘ସମ୍ବାଦ’ ମୁଣ୍ଡରେ ଉପଲବ୍ଧିର ମୁକୁଟ ଥାଏ ତେବେ ଏଥିରେ ଥିବା ବଡ଼ ହୀରାଟି ହେଉଛି ସମ୍ବଲପୁର ସଂସ୍କରଣ ବୋଲି ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ। ସେ କହିଲେ ପାଠକଙ୍କ ବିଶ୍ବାସ ସମ୍ବାଦର ପୁଞ୍ଜି। ପାଠକ ଆମକୁ ଏଭଳି ବିଶ୍ବାସ କରନ୍ତୁ ଓ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ ବୋଲି କହିଥିଲେ।
ସଭାରେ ସମ୍ବାଦ ଓ କନକ ନ୍ୟୁଜ୍ର ବାର୍ତ୍ତା ସମ୍ପାଦକ ଶ୍ରୀ ତ୍ରିପାଠୀ ସ୍ବାଗତ ଭାଷଣ ଦେଇ ପାଠକଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ସମ୍ବାଦ ସବୁବେଳେ କ୍ଷମତାକୁ ପ୍ରଶ୍ନ କରିଆସିଛି, ଆଙ୍ଗୁଠି ଉଠାଇ ଆସିଛି। ଏହି ଧାରା ଆଗକୁ ବି ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ୨୮ ବର୍ଷ ତଳେ ‘ସମ୍ବାଦ’ ଯେଉଁ ନୀତି ନେଇ ଏଠାରେ ଜନ୍ମ ହୋଇଥିଲା, ପଶ୍ଚିମ ଓଡ଼ିଶାର ସ୍ବର ହୋଇ ସାରା ଓଡ଼ିଶାରେ ଯୁଝିବାକୁ ନିଷ୍ପତ୍ତି ନେଇଥିଲା, ତାହା ଆଗକୁ ବି ବଜାୟ ରହିଥିବା ଶ୍ରୀ ତ୍ରିପାଠୀ କହିଥିଲେ। ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ଶ୍ରୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାମାଶିଷ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜମନକିରାର ରଘୁନନ୍ଦନ ନାଏକ, ଯାନ୍ତ୍ରିକ ସେବା ପାଇଁ ଇଂ ରମେନ୍ଦ୍ର ପୂଜାରୀ ଏବଂ ସମାଜ ନିର୍ମାଣ କ୍ଷେତ୍ରରେ ଅବଦାନ ପାଇଁ ସମ୍ବଲପୁରର ପବ୍ଲିକ୍ ଲାଇବ୍ରେରିକୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ଉମାକାନ୍ତ ବାରିକ ଓ ତାଙ୍କ ଟିମ୍ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
sambad | Sambalpur | Suresh Pujari