କୋରାପୁଟ: ହାୱାଡାରୁ ଜଗଦଲପୁର ଫେରୁଥିବା ସମଲେଶ୍ବରୀ ଏକ୍ସପ୍ରେସ ଗତ କିଛି ଦିନ ହେବ କୋରାପୁଟ ଜଙ୍କସନ ପହଚିଂବା ବେଳେ  ନିର୍ଦ୍ଧାରିତ ସମୟ ଠାରୁ ବହୁତ ବିଳମ୍ବ ହେଉଛି। ନିର୍ଦ୍ଧାରିତ ୬ଟା ୫୫ସମୟରେ ପହଚିଂ ୭ଟା ୨୦ରେ କୋରାପୁଟରୁ ଛାଡ଼ିବାକୁ ସମୟ ରହିଛି।  କିନ୍ତୁ ଗତ ସପ୍ତାହକ ହେବ କୋରାପୁଟ ୮ଟାରୁ ସାଢ଼େ ୯ଟା ବେଳେ ପହଚୁଂଛି।

Advertisment

ତେବେ ଟ୍ରେନଟିକୁ ୧ନଂ ପ୍ଲାଟଫର୍ମ ବଦଳରେ ୪ନଂରେ ରଖାଯାଉଛି। ଏହା ଫଳରେ କୋରାପୁଟରେ ଓହ୍ଲାଉଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪ନଂରେ ଓହ୍ଲାଇ ବହୁ ଦୂରରେ ନିର୍ମାଣ କରାଯାଇଥିବା ଫୁଟଓଭର ବ୍ରିଜ ଦେଇ ଯାଉଛନ୍ତି। କିମ୍ବା ବିପଦମୁଣ୍ଡାଇ ଟ୍ରାକ ଦେଇ ୧ନଂ ପ୍ଲାଟଫର୍ମକୁ ଯାଉଛନ୍ତି।

କୋରାପୁଟ ଷ୍ଟେସନ୍ ଅମୃତ ଭାରତରେ ନିର୍ମାଣାଧୀନ ରହିଛି। ଏହିକ୍ରମରେ ୪ନଂ ପ୍ଲାଟଫର୍ମର ଅନୁସଙ୍ଗିକ ଭିତ୍ତିଭୂମିର ବିକାଶ ଜାରି ରହିଛି। ତେଣୁ ଏଠା‌ରେ ଛୋଟ ବଡ ଗାତ କରାଯାଇ ନିଅ ଖୋଳା ଯାଇ କାମ ଜାରି ରହିଛି। ଏହି ସ୍ଥିତିରେ ଯାତ୍ରୀମାନେ ଏଠାରେ ଓହ୍ଲାଇବା ପ‌ରେ ବିପଦସଂକୁଳସ୍ଥିତିରେ ଯିବା ଆସିବା କରୁଛନ୍ତି।

ଅପରପକ୍ଷରେ ରାତିରେ ଟ୍ରେନ ପହଚିଂବା ପ‌ରେ ଏଠାରେ ଜଳଖିଆ କିମ୍ବା ଖାଦ୍ୟ ଷ୍ଟଲ ଆଦି ନାହିଁ। ଏପରିକି ସାମାନ୍ୟ ଚା ପାଇଁ ଲୋକେ ଟଣାଓଟରା ହେଉଥିବା ଦେଖିବାକୁ ମିଳିଛି। ତେଣୁ  ୪ନଂ ବଦଳରେ ୧ନଂ ପ୍ଲାଟଫର୍ମରେ ସମଲେଶ୍ବରୀକୁ ରଖିବାର ସୁବିଧା ଉପଲବ୍ଧ କରାଯାଉ ବୋଲି ଯାତ୍ରୀ ମାନେ ଦାବି କରିଛନ୍ତି।