ଭୁବନେଶ୍ବର (ମହେନ୍ଦ୍ର ସାହୁ): ଓଡ଼ିଆ ସଂସ୍କୃତି ଓ ପରଂପରାରେ ସପ୍ତପୁରୀ ଅମାବାସ୍ୟାର ସ୍ଥାନ ସ୍ବତନ୍ତ୍ର। ଭାଦ୍ରବ ମାସର ଅମାବାସ୍ୟା ‘ସପ୍ତପୁରୀ ଅମାବାସ୍ୟା’ ନାଁରେ ଜଣାଶୁଣା। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଏଥି ପାଇଁ ସ୍ବତନ୍ତ୍ର ନୀତିର ଆୟୋଜନ କରାଯାଇଥାଏ। ଠାକୁରଙ୍କ ଅବକାଶ ନୀତି ସରିବା ପରେ ବେଶ କରାଯାଇ ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିଥାଏ।
ଅନ୍ୟପଟରେ ସପ୍ତପୁରୀ ଅମାବାସ୍ୟା ସୁବର୍ଣ୍ଣପୁର ଜିଲ୍ଲାରେ ଭିନ୍ନ ଶୈଳୀରେ ପାଳନ ହୋଇଥାଏ। ଜିଲ୍ଲା ସଦର ମହକୁମା ସୋନପୁରରେ ଏହି ଦିନର ସନ୍ଧ୍ୟାରେ ଲଙ୍କାପୋଡ଼ି ଆୟୋଜନ କରାଯାଏ। ସହରର ଗଳିକନ୍ଦିରେ ଛୋଟଛୋଟ ପିଲାମାନେ ହନୁମାନ ମୂର୍ତ୍ତିର ଲାଞ୍ଚରେ ଅଗ୍ନି ସଂଯୋଗ କରି ଏହାକୁ ଟାଣିଥାନ୍ତି। ଗ୍ରାମାଞ୍ଚଳରେ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ପୁରା ଉଆଁସ ଖେଳ ଖେଳିଥାନ୍ତି। ଗାଁ ମୁଣ୍ଡରେ ହେଉଥିବା ଏହି ଖେଳରେ ଛୋଟଛୋଟ ପିଲାମାନେ, ଯେଉଁମାନଙ୍କର ବୟସ ପ୍ରାୟ ୫ରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ହୋଇଥିବ ଅଂଶଗ୍ରହଣ କରିଥାନ୍ତି। ବାଳିକାମାନେ ଖଇରୁ ପ୍ରସ୍ତୁତ ଉଖୁଡ଼ା (ଲିଆ) ସହିତ ବିଭିନ୍ନ ପ୍ରକାରର ଚଣା (ମୁଗ, ବିରି, ମଟର, କାବୁଲି, ସିମ୍ବ, ରାଶିଲଡୁ) ନେଇଥାନ୍ତି। ବାଳକମାନେ କାଠ ଓ ମାଟିରୁ ପ୍ରସ୍ତୁତ କଣ୍ଢେଇ (ବଳଦ, ହାତୀ, ଘୋଡ଼ା, ଓଟ) ନେଇ ଟାଣିଥାନ୍ତି। ପୁରା ଉଆଁସସ୍ଥଳରେ ବାଲିରେ ଏକ ଛୋଟ ବେଦି ନିର୍ମିତ ହୋଇଥାଏ। ଏଠାରେ ପୂଜା କରାଯାଏ ଏବଂ ତା’ପରେ ପିଲାମାନେ ନେଇଥିବା ଭୋଗକୁ ପ୍ରସାଦ ରୂପେ ଖାଇଥାନ୍ତି। ସେଠାରୁ ବଳକା ଜିନିଷ ଆଉ ଘରକୁ ଅଣାଯାଇ ନଥାଏ।
#ପୁରାଉଆଁସ_ଖେଳିଲେ_କୁନିପିଲା
— Sambad (ସମ୍ବାଦ) (@sambad_odisha) August 23, 2025
-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ସପ୍ତପୁରୀ ଅମାବାସ୍ୟା
-ପୁରାଉଆଁସ ଖେଳିଲେ ବାଳକ-ବାଳିକା
-କୁମ୍ଭାର ଗଢ଼ିଥିବା ମାଟିପାତ୍ରରେ ଖେଳିଲେ ବାଳିକା
-ବାଳକ ଟାଣିଲେ ବଳଦ, ହାତୀ, ଓଟ, ଘୋଡ଼ା କଣ୍ଢେଇ
-ସପ୍ତପୁରୀ ଅମାବାସ୍ୟାରେ ପାଳନ ହୋଇଥାଏ ପୁରାଉଆଁସ #Sambad#Halfmoon#Subarnapurpic.twitter.com/Ujy3ELdbYN
କିମ୍ବଦନ୍ତୀ ଓ ଐତିହାସିକ ଦୃଷ୍ଟିକୋଣରୁ ସୋନପୁରକୁ ପଶ୍ଚିମ ଲଙ୍କା ତଥା ସ୍ଵର୍ଣ୍ଣଲଙ୍କା କୁହାଯାଏ। ଲଙ୍କାଧିବାସୀ ଭାବରେ ଲଙ୍କାପୋଡ଼ିର ସ୍ମୃତିକୁ ମନେ ପକାଇବା ପାଇଁ ସପ୍ତପୁରୀ ଅମାବାସ୍ୟା ଅବସରରେ ପୁରା ଉଆଁସ ପାଳନ ହୋଇଥାଏ। ଏହି ଦିନ କୁମ୍ଭାରମାନଙ୍କ ଦ୍ୱାରା ନିର୍ମିତ ହନୁମାନ ମୂର୍ତ୍ତିକୁ ସଧ୍ୟାରେ ଛୋଟପିଲାମାନେ ସହରର ଗଳିକନ୍ଦିରେ ବୁଲାଇଥାନ୍ତି। ମାଟି ତିଆରି ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ବୁଲାଉଥିବା ଦୃଶ୍ଯ ବେଶ ଆକର୍ଷଣୀୟ ହୋଇଥାଏ। ସୋନପୁରର ଏହି ପରମ୍ପରା ଶହଶହ ବର୍ଷ ଆଗରୁ ଚାଲି ଆସିଛି। ଏହି ଟେରାକୋଟା ହନୁମାନଙ୍କର ନିର୍ମାଣ ଶୈଳୀ ସୋନପୁର ଛଡ଼ା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ।
ଐତିହାସିକ ରାମ ପ୍ରସାଦ ମିଶ୍ର, ଡ ଜଜ୍ଞେଶ୍ବର ସାହୁ, ଡ. ନବୀନ ସାହୁଙ୍କ କହିବା ଅନୁସାରେ ସୋନପୁର ହେଉଛି ପଶ୍ଚିମ ଲଙ୍କା। ଏଠାରେ ଲଙ୍କାପୋଡ଼ି ଏକ ନିଆରା ଢଙ୍ଗରେ ପାଳନ ହୋଇଥାଏ। ଯଦିଓ ଏହି ପରଂପରା ଆରମ୍ଭ ହେବାର ସଠିକ ତଥ୍ୟ ନାହିଁ, ତଥାପି ହନୁମାନଙ୍କ ଲଙ୍କାଦହନ ପରେ ହିଁ ଏହି ସ୍ମୁତିଚାରଣ କରିବା ପାଇଁ ପର୍ବ ସୋନପୁରରେ ପାଳନ ହୋଇଆସୁଛି। ଏହାର ବିଶେଷତ୍ବ ଏହି ଯେ, କୁମ୍ଭାରମାନଙ୍କ ଦ୍ବାରା ଏକ ନିଆରା ଢଙ୍ଗର ହନୁମାନ ମୂର୍ତ୍ତି ତିଆରି କରାଯାଇଥାଏ, ଯାହାର ଭୃକୁଟି ମୁଖ ଏବଂ ଖିଚିଡ଼ା ଦାନ୍ତ, ଯାହାକି ସାଧାରଣତଃ ହନୁମାନଙ୍କ ଚିତ୍ର ଅପେକ୍ଷ ଭିନ୍ନ। ଏହି ହନୁମାନର ନିର୍ମାଣ ଶୈଳୀ ଓ ବିଶେଷତ୍ବ ହେତୁ ୧୯୮୫ ମସିହା ପରେ ଏହା ବିଶ୍ବର ବିଭିନ୍ନ ସଂଗ୍ରହାଳୟରେ ସ୍ଥାନ ପାଇଛି। ଏହି ଦିନ ସନ୍ଧ୍ୟାରେ ଛୋଟଛୋଟ ପିଲାମାନେ ହନୁମାନର ଲାଞ୍ଚରେ ନିଆଁଲଗାଇ ସହରର ଗଳିକନ୍ଦିରେ ତାକୁ ଟାଣନ୍ତି ଏବଂ ସମସ୍ତେ ଜୟ ବୀର ହନୁମାନ କି, ରାମ-ଲକ୍ଷ୍ମଣ ଜାନକୀ ନାରା ଦିଅନ୍ତି। ଅମା ଅନ୍ଧକାର ଅମାବାସ୍ୟାରେ ଆଲୋକର ପ୍ରତୀକ ଭାବେ ଏହି ପର୍ବକୁ ପାଳନ କରାଯାଏ। ରାଜରାଜୁଡ଼ା ସମୟରେ ପ୍ରଥା ଅନୁଯାୟୀ ହନୁମାନ ମୂର୍ତ୍ତି ଟାଣି ସାରିଲା ପରେ ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ନିକଟ ଏକ ପଥରରେ ତାହା ଭାଙ୍ଗି ଦିଆଯାଉଥିଲା ଏବଂ ସେଥି ପାଇଁ ସାହାଣୀ ସଂଜ୍ଞାର ଏକ ବ୍ୟକ୍ତି ରାଜାଙ୍କ ଦ୍ବାରା ନିଯୁକ୍ତ ହୋଇଥିଲେ ଏବଂ ତାଙ୍କୁ ରାଜକୋଷରୁ ପାଉଣ ଏବଂ ଜମି ଜବରଦଖଲ କରିବା ପାଇଁ ପ୍ରଦାନ କରାଯାଇଥିଲା।
-ଶ୍ୟାମା ଓମ୍ ପ୍ରସାଦ ମିଶ୍ର, ମୁଖ୍ୟ ଆୟୋଜକ, ଲଙ୍କାପୋଡ଼ି ମହୋତ୍ସବ ପାଳନ କମିଟି
ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ପୁରା ଉଆଁସ ପାଳନ କରାଯାଇଛି। ଏହି ପରଂପରା ଶହଶହ ବର୍ଷରୁ ରହି ଆସିଛି। ଏହି ପର୍ବ ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ସଂପର୍କକୁ ଯୋଡ଼ିଥାଏ। ଏହା ସହିତ ସେମାନଙ୍କର ପରିବାରଗୁଡ଼ିକ ମଧ୍ୟରେ ଆଦାନ-ପ୍ରଦାନ ହୋଇଥାଏ। ଅତୀତରେ ଯେତେବେଳେ ଆଜିଭଳି ମନୋରଂଜନର ସୁବିଧା ନଥିଲା, ଏହି ପର୍ବ ପିଲାମାନଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଆଣି ଦେଉଥିଲା। ଯଦିଓ ପୁରାଉଆଁସ ପରଂପରା ଆଜି ମଧ୍ୟ ଗାଁରେ ଜୀବିତ ଅଛି, ସମୟ କ୍ରମେରେ ଆଉ ଆଗ ଭଳି ଆୟୋଜନ ହେଉନାହିଁ। ଏଥି ପାଇଁ ଅନେକ କାରଣ ରହିଛି। ଆଜିର ସମୟରେ ମଧ୍ୟମ ଓ ସ୍ଚଚ୍ଛଳ ପରିବାର ସେମାନଙ୍କର ପିଲାଛୁଆଙ୍କୁ ଘରେ ଆକଟ କରି ରଖୁଛନ୍ତି। ଦଳ ଭିତରେ ରହିଲେ ଅବାଟକୁ ଚାଲିଯିବେ ମନେ କରି ପିଲାମାନଙ୍କୁ ଅନ୍ୟମାନଙ୍କର ସହିତ ମିଶିବାକୁ ବଡ଼ ସୁଯୋଗ ଦେଉ ନାହାନ୍ତି। ଏହା ଦ୍ବାରା ଆମ ସଂସ୍କୃତି ଏବଂ ପରଂପରାରେ ବାଧା ସୃଷ୍ଟି ହେଉଛି।
ବାଳକମାନଙ୍କର କଣ୍ଢେଇ (ହାତୀ, ଘୋଡ଼ା, ଓଟ ଓ ବଳଦ) ପାଇଁ ମହାରଣାମାନେ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ସୁବର୍ଣ୍ଣପୁର ଜିଲ୍ଲା ମହାରଣାପଡ଼ାର ଘରେଘରେ ମହାରଣାମାନେ ଏବେ ଏଭଳି ସେମଲି କାଠରୁ ପ୍ରସ୍ତୁତ ଘୋଡ଼ା, ହାତୀ, ବଳଦ, ଓଟ ତିଆରେ ବ୍ୟସ୍ତ ରହନ୍ତି। ପୁୁରୁଷମାନେ କଣ୍ଢେଇ ତିଆରି କରୁଥିବାବେଳେ ଘରର ମହିଳାମନେ ତାକୁ ରଙ୍ଗ ଦେଇ ଆକର୍ଷଣୀୟ କରିଥାନ୍ତି। ଏଗୁଡ଼ିକ ବଜାରରେ ବିକ୍ରୀକରି ଭଲ ଦୁଇପଇସା ଉପାର୍ଜନ କରିଥାନ୍ତି। ହେଲେ ସେମଲି କାଠ ଅଭାବ ଯୋଗୁଁ ଏମାନଙ୍କ ଜୀବନ ଜୀବିକା ହରାଇବାକୁ ବସିଲେଣି। ସେହିଭଳି କୁମ୍ଭାରମାନେ ମଧ୍ୟ ତାଙ୍କର ମାଟିରେ ତିଆରି ଘୋଡ଼ା, ହାତୀ, କୁଣ୍ଢୀ କାଞ୍ଚି ତିଆରି କଲେ ମଧ୍ୟ ତାଙ୍କ ସାମଗ୍ରୀ ଉଚ୍ଚିତ ମୁଲ୍ୟରେ ବିକ୍ରି କରି ପାରୁନାହାନ୍ତି। ଫଳରେ ଏହି କାରୁକାର୍ଯ୍ୟ କେବଳ ପାଠ୍ୟପୁସ୍ତକରେ ଏକ ଛବି ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଆସଙ୍କା ପାଉଛି। ଏମାନଙ୍କୁ ସରକାରୀ ସହାୟତା ଦାବି ହେଉଛି। କେବଳ ସପ୍ତପୁରୀ ଅମାବାସ୍ୟାରେ ବୀରମହାରାଜପୁର ଦୈନିକ ବଜାରରେ ଦୁଇ ତିନିଦିନ ପାଇଁ ବିକ୍ରି ହେଉଥିବା ବେଳେ ଅନ୍ୟ ସମୟରେ ସେମାନେ ହାତ ବାନ୍ଧି ବସନ୍ତି ବୋଲି ଚମ୍ପାମାଳର ଭିକାରୀ ମହାରଣା କୁହନ୍ତି।
Subarnapur