ରା.ଉଦୟଗିରି: ମିଛ କଥା କହି ପ୍ରକୃତ ହିତାଧିକାରୀଙ୍କ ଆବାସ ଯୋଜନା ଟଙ୍କା ହଡ଼ପ କରିଥିବା ମାମଲାରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ବସ୍ତ୍ରୀଗୁଡ଼ା ସରପଞ୍ଚ ରୀତାନି ମଣ୍ଡଳ ଓ ତାଙ୍କ ସ୍ବାମୀ ଉଦୀପ ମଣ୍ଡଳଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଜାମିନ୍ ଆବେଦନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ଜେଲ୍ ହାଜତଙ୍କୁ ପଠାଇଦିଆଯାଇଥିବା ସୂଚନା ମିଳିଛି। ଏନେଇ ରା.ଉଦୟଗିରି ଥାନାରେ ଉଭୟଙ୍କ ନାମରେ କେସ୍ ନମ୍ବର ୧୭୧/୨୦୨୪ରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ହଟଚମଟ ସୃଷ୍ଟି ହୋଇଛି। 

ମିଳିଥିବା ସୂଚନାନୁସାରେ, ସୁରେଇଖମା ଗ୍ରାମ ସାରଡ଼ାସାହିର ଜୟନ୍ତୀ ରଇତ ଓ ତାଙ୍କ ସ୍ବାମୀ ଆୟୁବ ରଇତଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଆସିଥିଲା। ‘ତେବ‌େ ଏହି ଟଙ୍କା ତୁମମାନଙ୍କ ଆକାଉଣ୍ଟ୍‌ରେ ଭୁଲ୍‌ବଶତଃ ପଳାଇଛି’ ବୋଲି କହି ସରପଞ୍ଚ ଏବଂ ସ୍ବାମୀ ମିଶି ୨ଟି କିସ୍ତିରେ ସେମାନଙ୍କଠୁ ୧ ଲକ୍ଷ ୫ ହଜାର ଟଙ୍କା ନେଇଯାଇଥିଲେ।

 ଏହି ଟଙ୍କାକୁ ନେଇ ଅଯୋଗ୍ୟ ହିତାଧିକାରୀ ଜୟନ୍ତୀ ରଇତ ଓ ତାଙ୍କ ସ୍ବାମୀ ଆନ୍ଦ୍ରୀୟ ରଇତଙ୍କୁ ଦେଖାଇ ସେମାନଙ୍କ ନାମରେ ଜିଓ ଟ୍ୟାଗ୍ କରିଥିଲେ। ଏହାସହ ଏହି ଦମ୍ପତିଙ୍କଠୁ ବି କିଛି ଟଙ୍କା ନେଇଥିଲେ। ପ୍ରକୃତ ହିତାଧିକାରୀ ଜୟନ୍ତୀ ଏନେଇ ରା.ଉଦୟଗିରି ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୋଗ ସତ ପ୍ରମାଣିତ ହେବା ପରେ ଆଜି ରୀତାନି ଓ ସ୍ବାମୀ ଉଦୀପଙ୍କୁ ଗିରଫ କରାଯାଇଛି।