ନବରଙ୍ଗପୁର/ଉମରକୋଟ: ବର୍ତ୍ତମାନର ପରିସ୍ଥିତି ଏଭଳି ହୋଇଛି ଯେ ଆମକୁ ‘ପୁନଶ୍ଚ ପୃଥିବୀ’ ପାଇଁ ଚିନ୍ତା କରିବାକୁ ପଡୁଛି। ନୂଆ ପୃଥିବୀ ପାଇଁ ଆମେ ଆମ ନୂଆପିଢ଼ିଙ୍କୁ ସମ୍ପୂର୍ଣ୍ଣ ସାମିଲ କରିବାକୁ ପଡ଼ିବ। ତାହା ସ୍କୁଲସ୍ତରରୁ ଆରମ୍ଭ କରିବା। ଏଥି ପାଇଁ ଆମ ସମସ୍ତଙ୍କର ସମ୍ମୀଳିତ ଉଦ୍ୟମ ଦରକାର। ଉମରକୋଟ ଏସଏସ୍ ଇଣ୍ଟରନ୍ୟାସନାଲ୍ ସଭାଗୃହ ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି  ଉମରକୋଟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Advertisment

କୋଭିଡ ସଂକ୍ରମଣ ସମୟରେ ଲୋକେ ଜୀବନ ବଂଚାଇବା ପାଇଁ ତଥା  ଅମ୍ଳଜାନ ପାଇବା ପାଇଁ ଜଙ୍ଗଲକୁ ଯାଇ ରହୁଥିଲେ। ଜୀବନ ବଂଚାଉଥିବା ଗଛକୁ କୌଣସି ଲୋକ କାଟୁଥିବା ଦେଖିଲେ ମୁଁ ସହ୍ୟ କରିପାରେ ନାହିଁ। ସେ ମୋ ନିଜ ଲୋକ ହେଉ କି, ମୋ ଦଳର ଲୋକେ ହେଉ କିମ୍ବା ଯେତେ ଶକ୍ତିଶାଳୀ ‌ଲୋକ ହେଲେ ମଧ୍ୟ ମୁଁ ବିରୋଧ କରିବି ବୋଲି ମନ୍ତ୍ରୀ ଚେତାବନୀ ଦେଇଥିଲେ। ସ୍କୁଲର ସବୁ ଛାତ୍ରଛାତ୍ରୀଙ୍କ ହାତରେ ଗଛ ଲଗାଇ ତାହାର ସୁରକ୍ଷା ଦେବା ଦାୟିତ୍ବ ଦିଆଯିବ। ଆସନ୍ତା ୧୭ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ଓଡିଶାରେ ୭୫ଲକ୍ଷ ଓ ଉମରକୋଟ ରେଂଜରେ ୧୬ହଜାର ଗଛ ଲଗା ଯିବ ବୋଲି ମନ୍ତ୍ରୀ କହିଥିଲେ।

ମନ୍ତ୍ରୀ କହିଥିଲେ ଜଙ୍ଗଲକୁ ନଷ୍ଟ କରି ମକା ଚାଷ କରି ଜମିର ଉର୍ବରତାକୁ ନଷ୍ଟ କରିଛନ୍ତି। ଅନୁର୍ବର ଜମିରେ  ନୀଳଗିରି ଚାଷ କରି ଜଳସ୍ତର କମାଇବା ପ୍ରକ୍ରିୟାକୁ ବି ବନ୍ଦ କରିବାକୁ ପଡ଼ିବ। ଜଙ୍ଗଲକୁ ସୁରକ୍ଷା ନ ଦେଲେ ଦିନେ ନା ଦିନେ ଏହି ପୃଥିବୀ ବିପଦ ଆଡ଼କୁ ଠେଲି ହେଇ ଯିବ। ବର୍ତ୍ତମାନ ପନିପରିବା ଚାଷରେ ପ୍ରଚୁର ଭାବରେ ରାସାୟନିକ ସାର ବ୍ୟବହାର ହେଉ ଥିବାରୁ ଖାଇବା ଯୋଗ୍ୟ ହେଇ ପାରୁନି। ଜୈବିକ ସାର, କମ୍ପୋ‌ଷ୍ଟ ଆଦି ଦେଇ ଚାଷ କରିବାକୁ ପଡ଼ିବ। କୋମଳମତି ଛାତ୍ରଛାତ୍ରୀଙ୍କୁ ପରିବେଶ, ସ୍ବଚ୍ଛତା ଏବଂ ବୃକ୍ଷରୋପଣ, ପଲିଥିନ୍ ବର୍ଜନ ଆଦି ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକମାନେ ନେତୃତ୍ବ ନେଇ ସଚେତନ କରିବାକୁ ପଡ଼ିବ। ସ୍କୁଲଗୁଡିକୁ ସବୁଜ ଶିକ୍ଷା କ୍ୟାମ୍ପସରେ ପରିଣତ କରି ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ସେମାନଙ୍କ ମନରେ ଏହା ଗଭୀର ରେଖାପାତ ହେବା ସହ ଭବିଷ୍ୟତରେ ପୁନଶ୍ଚ ପୃଥିବୀ ଗଠନ କରି ହେବ। 

ଶିକ୍ଷାବିତ୍ ପ୍ରପୁଲ୍ଲ କୁମାର ରାଉତ ଯୋଗ ଦେଇ ଶିଳ୍ପର ବିକାଶ ଶହ ପରିବେଶର ସମନ୍ବୟ ରଖି ବ୍ୟାପକ ବୃକ୍ଷରୋପଣ କରାଯାଉ। ମନ୍ଦିରକୁ ଯାଇ ପୂଜା କଲେ ଯେତେ ପୁଣ୍ୟ ମିଳିବ ତାଠାରୁ ଅଧିକ ବୃକ୍ଷ ରୋପଣରେ ମିଳିବ ବୋଲି କହିଥିଲେ। ଉମରକୋଟ ବନାଂଚଳ ଅଧିକାରୀ ଦେବସ୍ମିତା ସାହୁ ଯୋଗଦେଇ ସରଗୁଲି ଠାରେ ଇକୋ-ଟୁରିଜମ୍ ସ୍ପଟ କରାଯାଉଥିବା ସୂଚନା ଦେବା ସହ ବିଭାଗର କର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ‘ସମ୍ବାଦ’ର ନବରଙ୍ଗପୁର  ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ ସଭାପତିତ୍ବ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅଭିଯାନର ଲକ୍ଷ୍ୟ, ଅଭିମୁଖ୍ୟ , ସମ୍ବାଦ ଓ ଆମଓଡିଶା ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ପ୍ରକୃତିମିତ୍ର ନରେଶ ଚନ୍ଦ୍ର ପଟ୍ଟନାୟକ ଅତିଥିମାନଙ୍କୁ ମଂଚକୁ ଆହ୍ବାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ କନକ ଟିଭିର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ନଳିନୀ ରଞ୍ଜନ ମିଶ୍ର  ଧନ୍ୟବାଦ ଦେଇଥିଲେ। ପ୍ରକୃତି ଓ ପରିବେଶ ପ୍ରେମୀ ଶ୍ରୀନିବାସ ପଟ୍ଟନାୟକ,କୈଳାଶ ଚନ୍ଦ୍ର ବେହେରା, ଗଣେଶ ପ୍ରସାଦ ରଣା, ଶାନ୍ତି ଲତା ମହାନ୍ତି, ତପନ କୁମାର ଦେବନାଥ, ସନ୍ତୋଷ ସରକାର, ନଗେନ୍ଦ୍ର କୁମାର ରାଉତ, ସେଖ ନାସିରଉଦ୍ଧିନ, ବିବେକାନନ୍ଦ ପଟ୍ଟନାୟକ, ଗୋପାଳ କୃଷ୍ଣ ପଟନାୟକ, ସଂଯୁକ୍ତା ପଟ୍ଟନାୟକ, ଗୁରୁବାରି କଲାର, ଗୀତାଞ୍ଜଳି ସାହୁ, ଝୁନୁ ପାଣିଗ୍ରାହୀ, ସନ୍ତୋଷୀ ଦଳେଇ, ନମିତା ଜେନା ପ୍ରମୁଖ ଯୋଗ ଦେଇ ଜିଲ୍ଲାର ବିଗଡ଼ିଯାଇଥିବା ପରିବେଶର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ରମେଶ ପଟ୍ଟନାୟକ, ଜିତୁ ମାଳି, ନିଳୁ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Punascha Pruthibi

ରିପୋର୍ଟ: ସୁରେଶ ନାଇଡୁ