ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’ ଯୋଗୁଁ କେନ୍ଦ୍ରାପଡ଼ା ବ୍ୟତୀତ ଉତ୍ତର ଓଡ଼ିଶାର ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାବାସୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଆଜି ଦିନ ତମାମ ଏସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଘଣ୍ଟା ପିଛା ୧୦୦କିମି ଥିବାରୁ ଫସଲ ହାନୀ ହେବା ସହିତ ରାସ୍ତାଉପରେ ଗଛ ପଡ଼ିବାରୁ ଲୋକଙ୍କର ଯାତାୟତ ବାଧାପ୍ରାପ୍ତ ହୋଇଛନ୍ତି। ସେହିପରି ବର୍ଷା ଯୋଗୁଁ ସ୍କୁଲପିଲାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଜିଲ୍ଲାଗୁଡ଼ିକରେ ଗତ ୨୩ ତାରିଖ ଠାରୁ ସ୍କୁଲଗୁଡ଼ିକ ବନ୍ଦ ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏହି ୫ଟି ଜିଲ୍ଲାରେ ଅକ୍ଟୋବର ୨୬ରେ ମଧ୍ୟ ବର୍ଷା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲ ଛୁଟି ଘୋଷଣା କରାଯାଇଛି।
ଆସନ୍ତିକାଲି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାତ୍ୟା ଦାନା ପ୍ରଭାବରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ଏବେବି ଲୋକମାନେ ଆଶ୍ରୟ ନେଇଛନ୍ତି। ତେଣୁ ତମାମ ଘଟଣାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ।
ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ସେହିପରି ଯେଉଁ କଲେଜରେ ବାତ୍ୟା ଆଶ୍ରୟସ୍ଥଳୀ ଅଛି, ତାହା ମଧ୍ୟ ରହି। କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ଭଦ୍ରକ ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ବନ୍ଦ ରହିବ। ଫଳରେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ସ୍କୁଲ ଛୁଟି ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ସୂଚନା ଦେଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବଳ ବର୍ଷା ଆଶଙ୍କାରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଆସନ୍ତାକାଲି ଶନିବାର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।