ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ର ସୀମାରେ ନକ୍ସଲଙ୍କ ବିରୋଧରେ ସୁରକ୍ଷା ବାହିନୀର ବଡ଼ ଅପରେସନ ଜାରି ରହିଛି। ନକ୍ସଲଙ୍କୁ ଆଉ ନିସ୍ତାର ମିଳିବ ନାହିଁ। ପ୍ରାୟ ୧୦ ହଜାର ଯବାନ ମାଓ କମାଣ୍ଡର ହିଡମା ସହ ପାଖାପାଖି ୨ ହଜାରରୁ ଊର୍ଦ୍ଧ୍ବ ନକ୍ସଲଙ୍କୁ ଘେରାବନ୍ଦୀ କରି ରଖିଛନ୍ତି। ତିନି ଦିନ ହେବ ଗୁଳି ବିନିମୟ ଲଗାତାର ଲାଗି ରହିଛି। ଆଉ ହେଲିକପ୍ଟରରେ ବୋମାମାଡ଼ ହେଉଛି।
ସ୍ଥାନୀୟ ଲୋକଙ୍କୁ ଗାଁରୁ କୌଣସି ସ୍ଥାନକୁ ନଯିବା ପାଇଁ ବାରଣ ଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ଏହି ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୫ ଜଣ ମାଓବାଦୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏବେ ବଡ ସଫଳତା ଆଶାରେ ପୁଲିସ ଜଂଗଲରେ ପଶିଛି। ବିଜାପୁର ଜିଲ୍ଲାର କସ୍ତୁରବା ଗାଁ ନିକଟରେ ଥିବା କେରଗୁଟ୍ଟା ଜଂଗଲରେ ଚାଲିଛି ଦେଶର ସବୁଠୁ ବଡ ମାଓ ବିରୋଧୀ ଅଭିଯାନ।
ମାଓନେତା ହିଡମା ତାର ବାଟାଲିୟନ ନମ୍ବର ୧ ସହ ମାଓବାଦୀଙ୍କର ଏକ ବଡ ଟିମ୍ ଏଠାରେ ଥିବାର ସୂଚନା ପାଇ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଦଶ ହଜାର ଯବାନ ୭୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଘେରି ରହିଛନ୍ତି। ତିନି ଦିନରୁ ଊର୍ଦ୍ଧ୍ବ ସମୟ ଧରି ଲାଗି ରହିଛି ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ। ଆକାଶ ମାର୍ଗରୁ କରାଯାଉଛି ବୋମାମାଡ଼। ଯବାନଙ୍କୁ ସରକାର ହେଲିକପ୍ଟର ଯୋଗେ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଉଛନ୍ତି। କିନ୍ତୁ ୪୦ ଜଣ ଯବାନ ପ୍ରବଳ ଗରମରେ ଚାଲିବା ଯୋଗୁଁ ଅଚେତ ହେବା ଫଳରେ ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ଭଦ୍ରାଞ୍ଚଲମ ହସପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଲଢେଇ କୁହାଯାଉଛି ଆରପାରର ଲଢେଇ। ଏହାରି ଭିତରେ ୩ ଦିନ ଧରି ଗୁଳିବାରୁଦର ଶଦ୍ଦ ଶୁଣିବା ସହ ଗାଁ ଛାଡ଼ି କୁଆଡେ ନଯିବା ପାଇଁ ନିର୍ଦେଶ ଦେଇଛି ପୁଲିସ। ଅନ୍ୟଦିଗରେ ଛତିଶଗଡ଼ର ଗୃହମନ୍ତ୍ରୀ ବିଜୟ ଶର୍ମା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଆତ୍ମସମର୍ପଣ ନକଲେ ମାଓବାଦୀ ନିପାତ କରାଯିବ ବୋଲି କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି।
ଏହି ଅପରେସନ ଯଦି ସଫଳ ହୁଏ ମାଓ ସଂଗଠନ ଏକ ପ୍ରକାର ଭୁଶୁଡ଼ିଯିବା କଥା ମଧ୍ୟ କୁହାଯାଉଛି। ଏହି ଜଂଗଲରେ ମାଓବାଦୀମାନେ ବର୍ଷ ବର୍ଷ ଧରି ସୁରକ୍ଷିତ ଭାବେ ରହିବା ପାଇଁ ବଙ୍କର ପରି ଅନେକ ପଦ୍ଧତି ଆପଣାଇଛନ୍ତି। ଏବେ ନକ୍ସଲ ଏହି ଅପରେସନରେ ଭୟଭୀତ ହୋଇ ପୁଣି ପ୍ରେସ୍ ନୋଟ୍ ଜାରି କରିଛନ୍ତି। ଦକ୍ଷିଣ ବସ୍ତର ସବଜୋନାଲ କମିଟିର ସଚିବ ରୂପେଶ ଅପରେସନକୁ ତୁରନ୍ତ ବନ୍ଦ କରି ଶାନ୍ତିବାର୍ତ୍ତା ପାଇଁ ସରକାର ଆସିବା ଦରକାର ବୋଲି କହିଛି।
Naxal | Chhattisgarh | Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/25/qGqF8eVK75dgLDLBnEUr.jpg)
