ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) କେବଳ ଇସ୍ପାତ ଉତ୍ପାଦନ କରି ଦେଶ ନିର୍ମାଣରେ ବ୍ରତୀ ରହୁନି, ବରଂ ସ୍ଥାନୀୟ ବାସିନ୍ଦା, ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶକୁ ମଧ୍ୟ ପ୍ରାଥମିକତା ଦେଉଛି। ଇସ୍ପାତ ସହରାଞ୍ଚଳ ପାଇଁ ବାର୍ଷିକ ୩୫୦ କୋଟି ବ୍ୟୟ ହେଉଥିବାବେଳେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଇସ୍ପାତ ଜେନେରାଲ ହସପିଟାଲ ପରିଚାଳନାରେ ୧୪୫ କୋଟି ବ୍ୟୟ ହେଉଛି। ସଂପ୍ରତି କାରଖାନା ସଂପ୍ରସାରଣକରି ଉତ୍ପାଦନ ବୃଦ୍ଧି କରାଯିବ। ଏହି ପ୍ରକଳ୍ପ ସମଗ୍ର ଅଞ୍ଚଳ ପାଇଁ ଅଭୂତପୂର୍ବ ଅଭିବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିବ। ଏଭଳିଭାବେ ଗଣମାଧ୍ୟମ ନିକଟରେ ମନ୍ତବ୍ୟ ରଖିଛନ୍ତି ଆର୍ଏସ୍ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା।
ସ୍ଥାନୀୟ ଇଣ୍ଡୋ-ଜର୍ମନା କ୍ଳବରେ ଅନୁଷ୍ଠିତ ‘ଆର୍ଏସ୍ପି: ଆଜି ଏବଂ ଆସନ୍ତାକାଲି-ପ୍ରଗତିର ସହଯାତ୍ରୀ ଗଣମାଧ୍ୟମ’ କର୍ମଶାଳାରେ ମୁଖ୍ୟଅତିଥି ଶ୍ରୀ ବର୍ମା କହିଲେ, ଇସ୍ପାତ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ମାତ୍ରାଧିକ ପ୍ରତିଦ୍ବନ୍ଦ୍ବିତା ପରିଲକ୍ଷିତ ହେଉଛି। ଇସ୍ପାତ ବଜାରରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମର ପ୍ରତିଯୋଗୀମାନେ ପରିବର୍ତ୍ତନଶୀଳ ଗତିଶୀଳତା ସହିତ ତ୍ଵରିତ ଗତିରେ ନିଜକୁ ଖାପ ଖୁଆଇବାରେ ଲାଗିଛନ୍ତି।
ଆମର ସ୍ଥିତିକୁ ବଜାୟ ରଖିବା ତଥା ଭବିଷ୍ୟତରେ ଆଗୁଆ ରହିବା ପାଇଁ ଆମକୁ ଉତ୍ପାଦନ ପରିମାଣରେ ବୃଦ୍ଧି ଆଣିବାକୁ ହେବ। ସମସ୍ତ ସ୍ତରରେ ଚାଲିଥିବା ଏକୀକୃତ ପ୍ରୟାସ ଦ୍ବାରା ଏହା ସମ୍ଭବ। ଏହାସହ କହିଲେ, ସଂଯୋଗ ସ୍ଥାପନ, ସୂଚନାର ପ୍ରଭାବଶାଳୀ ବିତରଣ ମାଧ୍ୟମରେ ସ୍ୱଚ୍ଛତା, ବିଶ୍ୱାସ ତଥା ଜନସାଧାରଣଙ୍କ ସହିତ ଅଧିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ମହତ୍ତ୍ଵପୂର୍ଣ୍ଣ ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ। ମାନବ ସମ୍ବଳ ବିଭାଗର ଇଡି ତରୁଣ ମିଶ୍ର, କାର୍ଯ୍ୟ ବିଭାଗର ଇଡି ବିଶ୍ଵରଞ୍ଜନ ପଲାଇ, ସାମଗ୍ରୀ ପରିଚାଳନା ବିଭାଗର ଇଡି ଅନିଲ କୁମାର, ଖଣି ବିଭାଗର ଇଡି ଏମ୍.ପି. ସିଂହ, ପ୍ରକଳ୍ପ ବିଭାଗର ଇଡି ସୁଦୀପ ପାଲ ଚୌଧୁରୀ, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗର ଭାରପ୍ରାପ୍ତ ସିଏମଓ ଡା. ଜୟନ୍ତ କୁମାର ଆଚାର୍ଯ୍ୟ, ବିତ୍ତ ଓ ଲେଖା ବିଭାଗର ସିଜିଏମ ରାଜେଶ ଦାସଗୁପ୍ତା ମଞ୍ଚାସୀନ ଥିଲେ।
ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ତଥା ସଞ୍ଚାରମୁଖ୍ୟ ଅର୍ଚ୍ଚନା ଶତପଥୀ ସ୍ବାଗତ ଭାଷଣ ଦେଇଥିବାବେଳେ ଉପପ୍ରବନ୍ଧକ ଶଶାଙ୍କ ଶେଖର ପଟ୍ଟନାୟକ ପ୍ରସଙ୍ଗ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରସ୍ତୁତ କରିଥିଲେ। ଏହିଅବସରରେ କାରଖାନାର ସିଏସ୍ଆର୍ କାର୍ଯ୍ୟଧାରା ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ପରେ ଅନୁଷ୍ଠିତ ମତ ବିନିମୟ ଅଧିବେଶନରେ ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବାସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଲୋକ ସମ୍ପର୍କ ବିଭାଗର ସହକାରୀ ପ୍ରବନ୍ଧକ ଜୟଦେବ ମଜୁମଦାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Rourkela