ଭୁବନେଶ୍ୱର: ରାଜ୍ୟ ସରକାର ପୂର୍ବ ବର୍ଷ ଭଳି ଏଥର ମଧ୍ୟ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରା କରାଉଛନ୍ତି। ଓଡ଼ିଶାର ବରିଷ୍ଠ ନାଗରିକମାନେ ଏବେ ଦେଶର ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନର ସୁଯୋଗ ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟର ପର୍ଯ୍ୟଟନ ବିଭାଗ ଓ ଭାରତୀୟ ରେଳ ପର୍ଯ୍ୟଟନ ଓ ଖାଦ୍ୟ ନିଗମ (ଆଇଆରସିଟିସି)ର ମିଳିତ ଭାବେ ଏକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି।
ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁସାରେ ୬୦ ରୁ ୭୫ ବର୍ଷ ବୟସ ମଧ୍ୟରେ ଥିବା ବରିଷ୍ଠ ନାଗରିକମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ତୀର୍ଥଯାତ୍ରା ପାଇଁ ଜୁଲାଇ ୧୭ ରୁ ଅଗଷ୍ଟ ୧୫ ମଧ୍ୟରେ ଆବେଦନ କରିବାକୁ ଉପମୁଖ୍ୟମନ୍ତ୍ରୀ ପରିଡ଼ା ଅନୁରୋଧ କରିଛନ୍ତି। ଏହି ଯୋଜନା ବରିଷ୍ଠ ନାଗରିକଙ୍କୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବାରେ ସହାୟତା କରିବ।
ଶ୍ରୀମତୀ ପରିଡ଼ା କହିଛନ୍ତି, ଏହା ଆମର ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର। ଏହା ସେମାନଙ୍କୁ ଦେଶର ପବିତ୍ର ସ୍ଥାନଗୁଡ଼ିକ ଦେଖିବାର ସୁଯୋଗ ଦେବ। ଏହି ଯୋଜନା ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ବୟସ୍କମାନଙ୍କ ମଙ୍ଗଳ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ପ୍ରତି ପର୍ଯ୍ୟାୟର ତୀର୍ଥଯାତ୍ରା ଅବଧି ମୋଟ ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ରହିବ। ରାଜ୍ୟର ୧୦ଟି ସ୍ଥାନରୁ ଏସ୍କର୍ଟ୍ ଅଧିକାରୀଙ୍କ ସମେତ ୮୦୦ ଜଣ ଲେଖାଏଁ, ମୋଟ ୮୦୦୦ ଜଣ ଉତ୍ତରପ୍ରଦେଶର ଅଯୋଧ୍ୟା-ବାରାଣସୀ, ମଧ୍ୟପ୍ରଦେଶର ଉଜ୍ଜୟିନୀ-ଓଁକାରେଶ୍ୱର ଏବଂ ତାମିଲନାଡୁର ରାମେଶ୍ୱରମ୍-ମଦୁରାଇ ଆଦି ତୀର୍ଥସ୍ଥାନକୁ ତୀର୍ଥଯାତ୍ରାରେ ଯିବେ।
-ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯୋଜନାର ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ସହଭାଗିତାରେ କାର୍ଯ୍ୟକାରୀ ହେବ। ପ୍ରତି ପର୍ଯ୍ୟାୟର ତୀର୍ଥଯାତ୍ରା ଅବଧି ମୋଟ ୫ ରାତ୍ରି ୬ ଦିନ ମଧ୍ୟରେ ସୀମିତ ରହିବ। ରାଜ୍ୟର ୧୦ଟି ସ୍ଥାନରୁ ଏସ୍କର୍ଟ୍ ଅଧିକାରୀଙ୍କ ସମେତ ୮୦୦ ଜଣ ଲେଖାଏଁ, ମୋଟ ୮୦୦୦ ଜଣ ଉତ୍ତରପ୍ରଦେଶର ଅଯୋଧ୍ୟା-ବାରାଣସୀ, ମଧ୍ୟପ୍ରଦେଶର ଉଜ୍ଜୟିନୀ-ଓଁକାରେଶ୍ୱର ଏବଂ ତାମିଲନାଡୁର ରାମେଶ୍ୱରମ୍-ମଦୁରାଇ ଆଦି ତୀର୍ଥସ୍ଥାନକୁ ତୀର୍ଥଯାତ୍ରାରେ ଯିବେ।
Prabhati Parida