ରାୟଗଡ଼ା: ଜଣେ ବ୍ୟବସାୟୀଙ୍କ ଠାରୁ ବଳପୂର୍ବକ ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ରାୟଗଡ଼ା ପୁଲିସ ତିନି ଜଣ ଗୃହରକ୍ଷୀଙ୍କ ସମତେ ୭ ଜଣଙ୍କୁ ଗିରଫ କରିଛି। ଲୁଟ୍ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବିଷମକଟକ ଥାନାର ହୋମଗାର୍ଡ ଇନ୍ଦ୍ରମଣି କରକରିଆ, କଲ୍ୟାଣସିଂହପର ଥାନାର ତାମନା ପ୍ରାସ୍କା ଓ ଦିଲୀପ ଗରଡ଼ିଆ। ଅନ୍ୟ ଅଭିଯୁକ୍ତ ମାନେ ହେଲେ ହୀରା ନାୟକ ଗରଡିଆ, ସୀମାଞ୍ଚଳ ମାଝି, ରାଧୀକା ହାଲୱା ଓରଫ ସୁନୀତା ଓ ମୁକେଶ ନାଗ। ଏହି ଲୁଟ ଘଟଣାରେ ୯ ଜଣ ସଂପୃକ୍ତ ଥିବା ରାୟଗଡା ପୁଲିସ ପ୍ରକାଶ କରିଛି।
ରାୟଗଡ଼ା ପୁଲିସ ସେମାନଙ୍କ ପାଖରୁ ନଗଦ ୨ଲକ୍ଷ ୮୩ ହଜାର ଟଙ୍କା, ବେଲେରୋ ଗାଡ଼ି, ବାଇକ୍, ୬ଟି ମୋବାଇଲ ଜବତ କରିଥିବା ଆଜି ରାୟଗଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରୀକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ ଧର ପ୍ରକାଶ କରିଛନ୍ତି।
ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ଧର ପ୍ରକାଶ କରିଛନ୍ତି ଯେ ଗତକାଲି ଗଜପତିଜିଲ୍ଲା ଗାରାବନ୍ଧର ଟି ଉମା ରେଡ୍ଡୀ ନାମକ ଜଣେ ବ୍ୟବସାୟୀ ଓ ତାଙ୍କର ୨ ବନ୍ଧୁ ଡ୍ରାଇଭର ସହ ଜୟପୁରରୁ ରାୟଗଡ଼ା ଆସୁଥିଲେ। ରାସ୍ତାରେ ରାୟଗଡ଼ା ଜିଲ୍ଲା ରାଫକୋଣା ଛକରେ ରାଧିକା ହାଲୱା ଓରଫ ସୁନୀତା ତାଙ୍କୁ ଲେବର (ଶ୍ରମିକ) ଯୋଗାଇଦେବା ନାମରେ ତାଙ୍କ ସହ କଥାବର୍ତା ହେଲା ସମୟରେ ୭ଜଣ ଲୋକ ଗୋଟିଏ ବୋଲେରୋ ଗାଡିରେ ଆସିଥିଲେ। ଯେଉଁଥିରେ ପୁଲିସ ପୋଷାକରେ ଥିବା କିଛି ବ୍ୟକ୍ତି ଓ ଅନ୍ୟମାନେ ବ୍ୟବସାୟୀଙ୍କୁ କାହିଁକି ଏଠାକୁ ଆସିଛ, ତୁମ ଆସିବା ଉଦେଶ୍ୟ କଣ ବୋଲି କହି ଚାଲ ଏସ.ପି ଙ୍କୁ ଭେଟିବ ବୋଲି କହିଥିଲେ।
ସୁନୀତା ବ୍ୟବସାୟୀ ଉମା ରେଡ୍ଡୀଙ୍କୁ ଅଭିଯୁକ୍ତ ଆଣିଥିବା ବୋଲେରୋରେ ବସାଇଥିଲେ। କିଛି ବାଟ ପରେ ସୁନୀତାଙ୍କୁ ରାସ୍ତାରେ ଗାଡିରୁ ଓହ୍ଲାଇଦେଇଥିଲେ। ଅନ୍ୟମାନେ ବ୍ୟବସାୟୀ ଉମା ରେଡ୍ଡୀଙ୍କ ପାଖରେ ଥିବା ୯ ମିଳିତ ହୋଇ ବ୍ୟବସାୟୀ ଜଣକୁ ପୁଲିସର ଭୟ ଦେଖାଇଥିଲେ। ପରେ ବ୍ୟବସାୟୀଙ୍କୁ ମାରପିଟ କରିବା ସହ ତାଙ୍କ ପାଖରେ ଥିବା ପଇସାକୁ ସେମାନେ ଲୁଟିନେଇ କିଛି ବାଟ ଆଗକୁ ଯାଇ ବ୍ୟବସାୟୀଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ। ଏହି ଘଟଣା ପରେ ବ୍ୟବସାୟୀ ଉମା ରେଡ୍ଡୀ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏହି ଘଟଣାର ତଦନ୍ତ କରି ୭ ଜଣଙ୍କୁ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପ୍ରକାଶ କରିଛି।
Rayagada