ରାଉରକେଲା: ଜଣେ ନାବାଳିକାଙ୍କୁ ଦୁଇଟି ସ୍ଥାନରେ ଭିନ୍ନଭିନ୍ନ ଲୋକଙ୍କ ଦ୍ବାରା ଦୁଇଥର ଗଣଦୁଷ୍କର୍ମ ଘଟଣା ଇସ୍ପାତ୍‌ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବା​ବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଲିସ୍ ଏହି ଚାଞ୍ଚଲ୍ୟକର ଅପରାଧର ସଂପୂର୍ଣ୍ଣ ପର୍ଦ୍ଦାଫାଶ କରିଛି। ଗଣଦୁଷ୍କର୍ମ ଅଭିଯୋଗରେ ୫ ଜଣ ଏବଂ ଅସଦାଚରଣ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୭ ବର୍ଷୀୟା ନାବାଳିକାଙ୍କୁ ଗୋଟିଏ ରାତିରେ ୨ଟି ସ୍ଥାନରେ ୨ଟି ଭିନ୍ନଭିନ୍ନ​ ଗୋଷ୍ଠୀ ଦ୍ବାରା ଗଣଦୁଷ୍କର୍ମ କରା ଯାଇଥିଲା।
Advertisment
ପ୍ରଥମ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତମାନେ ହେଲେ ନାଲାରୋଡ୍‌ ଅଞ୍ଚଳର ସୋହେଲ୍ କୁରେଶି ଓରଫ୍‌ ବାଦଶାହା(୨୧), ମହମ୍ମଦ ଜରାଏତ୍‌(୨୨) ଏବଂ ଅଫତାବ୍‌ ଖାନ। ସେହିପରି ଦ୍ବିତୀୟ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ହେଲେ ଚୌଧୁରୀ ପେଟ୍ରୋଲପମ୍ପ ଅଞ୍ଚଳର ଦୀପକ ସୋନକାର(୨୪) ଏବଂ ବିନୋଦ କୁମାର ରାମ (୩୫)। ସେହିପରି ହୁଡ୍‌ଦଙ୍ଗ ବାର୍ ଭିତରେ ଅସଦାଚରଣ କରିଥିବା ଅଭିଯୁକ୍ତ ହେଲେ ମହମ୍ମଦ ଦାନିସ(୨୪)। ପୁଲିସ୍ ସମସ୍ତ ୬ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଇଛି। ଏହାପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ମାରାଥନ୍‌ ଜେରା କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ବାଦଶାହା ପୁଲିସକୁ ଚକ୍‌ମା ଦେଇ ମୁମ୍ବାଇ ଫେରାର ହୋଇ ଯାଇଥିଲା। ସେଠାରେ ତାଙ୍କୁ ଧରିବାକୁ ରାଉରକେଲା ପୁଲିସ୍‌କୁ ବେଶ୍‌ କସରତ କରିବାକୁ ପଡ଼ିଥିଲା। ଏନେଇ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଏବଂ ଏସ୍‌ପି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ମୋଟରସାଇକଲ୍ ଜବତ କରାଯାଇଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଶୁକ୍ରବାର ରାତିରେ ‘ହୁଡ୍‌ଦଙ୍ଗ’ ବାର ଓ ରେସ୍ତୋରାଁକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଲ୍‌ କରାଯାଇଥିଲା। 
ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ସୂଚନା ମୁତାବକ ଘଟଣାକ୍ରମ କିଛି ଏଭଳି ଥିଲା। ଗତ ୨୨ ତାରିଖ ରାତି ପ୍ରାୟ ୮ଟାରେ ନାବାଳିକା ଅନ୍ୟ ୨ ଜଣ ବାନ୍ଧବୀଙ୍କ ସହ ସିଭିଲ୍‌ ଟାଉନ୍‌ସିପ୍‌ସ୍ଥ ‘ହୁଡଦଙ୍ଗ ବାର ଓ ରେସ୍ତୋରାଁ’ ଯାଇଥିଲେ। ସେଠାରେ ସମସ୍ତେ ଖିଆପିଆ କରିଥିଲେ। ୨ ବାନ୍ଧବୀଙ୍କ ପୁରୁଷ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ଖିଆପିଆ ସରିବା ପରେ ୨ ବାନ୍ଧବୀ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସହ ନିଜନିଜ ଘରକୁ ଚାଲି ଯାଇଥିଲେ। ବାର୍‌ରେ ନାବାଳିକାଙ୍କୁ ଏକୁଟିଆ ପାଇ ମହମ୍ମଦ ଦାନିଶ ପ୍ରଥମେ ଅସଦାଚରଣ କରିଥିଲା। ତା’ପରେ ସେଠାରେ ନାବାଳିକାଙ୍କୁ ବାଦ୍‌ଶାହା ଭେଟିଥିଲା ଏବଂ ଘରେ ଛାଡ଼ିଦେବ ବୋଲି କହିଥିଲା।

ବାଦଶାହା ଏବଂ ନିଜ ସାଙ୍ଗ ଜରାଏତ୍‌ ସହ ମିଶି ନାବାଳିକାଙ୍କୁ ଏକ ବୁଲେଟ୍‌ର ମଝିରେ ବସାଇ ବାହାରିଥିଲା। ସେମାନେ ତାଙ୍କୁ ଆର୍‌ଏସ୍‌ପି ପ୍ରଶାସନିକ ଭବନ ସମ୍ମୁଖ ପାର୍କକୁ ଆଣିଥିଲେ। ସେଠାରେ ପହଞ୍ଚିଥିଲା ଅଫତାବ୍‌। ଏହାପରେ ଜଣକ ପରେ ଜଣେ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ସେତିକିରେ ୩ ଜଣଙ୍କ ମନ ଭରିନଥିଲା। 

ଦୁଷ୍କର୍ମ ସମୟର ଭିଡିଓ ଏବଂ ଫଟୋ ମଧ୍ୟ ଉଠାଇଥିଲେ। ଘଟଣା ସମ୍ପର୍କରେ କାହା ସମ୍ମୁଖରେ କହିଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ। ତା’ପରେ ନାବାଳିକାଙ୍କୁ ତାଙ୍କ ଘର ପାଖରେ ଛାଡ଼ି ଚାଲି ଯାଇଥିଲେ। ଘରକୁ ଯିବେ କି ନାହିଁ ଦ୍ବନ୍ଦ୍ବରେ ରହି ସେହି ପାଖରେ ବୁଲାବୁଲି କରୁଥିବା ନବାଳିକାଙ୍କୁ ସେଠାରେ ଦୀପକ ସୋନକାର ନାମକ ଜଣେ ପରିଚିତ ଯୁବକ ଭେଟିଥିଲା। ତାଙ୍କର ଜଣେ ବାନ୍ଧବୀଙ୍କ ଘରେ ନେଇ ଛାଡ଼ି ଦେବାକୁ ପିଡ଼ିତା ଦୀପକକୁ ଅନୁରୋଧ କରିଥିଲେ। ହେଲେ ବାନ୍ଧବୀ ଜଣକ କବାଟ ନ ଖୋଲିବାରୁ ଦୀପକ ତାଙ୍କୁ ନିଜ ହେପାଜତରେ ରଖିବାକୁ କଥା ଦେଇ ରେଳଷ୍ଟେସନ୍ ପାଖ ଏକ ସ୍ଥାନକୁ ନେଇଥିଲା। ସେଠାରେ ଦୀପକ ଓ ବିନୋଦ ଦୁହେଁ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକାଙ୍କୁ ପୁଣି ନେଇ ହୁଡ୍‌ଦଙ୍ଗ ରେସ୍ତୋରାଁ ସମ୍ମୁଖରେ ଛାଡ଼ି ଦେଇଥିଲେ। ସେଠାରେ ଉପସ୍ଥିତ ନାବାଳିକାଙ୍କ ଅନ୍ୟ ଜଣେ ପୁରୁଷବନ୍ଧୁଙ୍କ ସହ ଦୀପକର ଗଣ୍ଡଗୋଳ ମଧ୍ୟ ହୋଇଥିଲା। ତା’ପରେ ଦୀପକ ସେଠାରୁ ପଳାଇଥିଲା। ଦୁଷ୍କର୍ମର ଦିନକ ପରେ ପରିବାର ଲୋକ ଘଟଣା ସମ୍ପର୍କରେ ସବୁ ଜାଣିଥିଲେ ଓ ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ନାବାଳିକାଙ୍କ ବୟାନ ଅଧାରରେ ଅଭିଯୁକ୍ତଙ୍କୁ ଉଠାଇ ଘନଘନ ଜେରା କରାଯାଇଥିଲା। ଏହି ଘଟଣାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପିଏସ୍‌ ନାୟକଙ୍କ ନେତୃତ୍ବରେ ୪ଟି ଟିମ୍‌ ଗଠନ କରାଯାଇଥିଲା।