ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପୁରାତନ ପ୍ରତିଷ୍ଠିତ ଐତିହାସିକ ଶୈବପୀଠ ସମ୍ବନ୍ଧିତ ଲୋକକଥା ରହିଛି। ଗତ କିଛି ବର୍ଷ ହେବ ଟ୍ରେଣ୍ଡ ହେଉ ଅବା ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଶିବଙ୍କୁ ଜଳଲାଗି କରିବାକୁ କାଉଡ଼ିଆ ସାଜୁଛନ୍ତି। ଶ୍ରାବଣ ମାସରେ ବର୍ଷାରେ ଭିଜି ଭିଜି ବଂ ବଂ ଭୋଲେ, ଆମେ ତ କାଉଡିବାଲା, ହରହର ମହାଦେବ ଇତ୍ୟାଦି ଭକ୍ତି ଗୀତର ତାଳେତାଳେ ଖାଲି ପାଦରେ ଚାଲିଚାଲି ଦୂରଦୂରାନ୍ତ ପଥ ଅତିକ୍ରମ କରି ଶିବଙ୍କୁ ଜଳାଭିଷେକ କରୁଛନ୍ତି। ଜିଲ୍ଲାରେ ଅନେକ ଶୈବପୀଠ ରହିଥିଲେ ହେଁ ଶ୍ରଦ୍ଧାଳୁ ମାନେ ୯ଟି ପୀଠକୁ ବେଶି ପରିମାଣରେ ଯାଉଛନ୍ତି। ଶ୍ରାବଣର ଶେଷ ସୋମବାର ଅବସରରେ ଭକ୍ତମାନେ ବେଶ୍ ଉତ୍ସାହିତ ଅଛନ୍ତି।
ନବରଙ୍ଗପୁର ସହର ଠାରୁ ମାତ୍ର ୧୧ କିଲୋମିଟର ଦୂରରେ ଥିବା ଚଟାହାଣ୍ଡି ନିକଟସ୍ଥ ଠାରେ ଅବସ୍ଥିତ ମାଣ୍ଡା ଡଙ୍ଗରୀ ଶୈବପୀଠ। ଏହାର ବିଶେଷତା ହେଲା ଶିବରାତ୍ରୀ ପରଦିନ ଏଠାରେ ବାସିଶିବରାତ୍ର ଅନୁଷ୍ଠିତ ହୋଇଥାଏ।
ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଝରିଗୁମ୍ମା ଠାରେ ଅବସ୍ଥିତ ଘୁମରେଶ୍ଵର ଶୈବପୀଠ। ପର୍ଯ୍ୟଟନସ୍ଥଳୀ ହିସାବରେ ଜଣାଶୁଣା ଏବଂ ପ୍ରାୟ ବର୍ଷ ସାରା ଏଠାକୁ ଲୋକଙ୍କ ଯାତାୟାତ ଜାରି ରହିଥାଏ। ଏହାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଦ୍ଵିତୀୟ ଗୁପ୍ତେଶ୍ୱର ମଧ୍ୟ କୁହାଯାଉଛି।
/filters:format(webp)/sambad/media/media_files/2025/08/03/ngp-2025-08-03-22-07-43.jpg)
ଜିଲ୍ଲା ସଦରମହକୁମାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ପାପଡ଼ାହାଣ୍ଡି ବ୍ଳକର ମୈଦଲପୁର ଅନ୍ତର୍ଗତ ଗର୍ଭରାଇ ଶୈବପୀଠ ଶିବଭକ୍ତ ଶୈବଙ୍କ ପାଇଁ ଯେତିକି ପବିତ୍ର ସେତିକି ଆକର୍ଷଣୀୟ। ଏହି ପୀଠଟି ଶିବ ଓ ଶକ୍ତିଙ୍କ ମିଳନସ୍ଥଳୀ।
ଜିଲ୍ଲାର ସଦର ମହକୁମା ଠାରୁ ମାତ୍ର ୧୩ କିମି ଦୂରରେ ଅବସ୍ଥିତ ପାପଡାହାଣ୍ଡି ବ୍ଳକରେ ରହିଛି ଆଉ ଏକ ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ବର। ଏହା ଯେତିକି ପୂରାତନ ସେତିକି ପ୍ରତିଷ୍ଠିତ । ଡାବୁଗାଁ ବ୍ଲକରେ କେଲିଆ ଠାରେ ରହିଛି ଅନ୍ୟ ଏକ ପ୍ରସିଦ୍ଧ ଶୈବପୀଠ । ଜିଲ୍ଲା ସଦର ମହକୁମା ଠାରୁ ୪୫ କିମି ତଥା ଡାବୁଗାଁ ବ୍ଲକ ସଦର ମହକୁମା ଠାରୁ ୧୩ କିମି ଦୂରରେ ରହିଛି ଏହି କେଲିଆ ଶୈବପୀଠ । ମାନ୍ୟତା ଅନୁସାରେ ଏଠାରେ ପୂଜା ପାଇଥିମ୍ବା ବାବା ଝାଡ଼େଶ୍ଵର ମହାଦେବଙ୍କ ପ୍ରସାଦେ ସେବନ ଓ ପାଦୁକା ଲେପନ କଲେ କୁଆଡେ କୁଷ୍ଟ ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ଲୋକ ବିଶ୍ଵାସ ରହିଛି ।
ଉମରକୋଟ ବ୍ଳକର ଭଣ୍ଡାରିଗୁଡା ପଞ୍ଚାୟତର ପୋଡ଼ାଗତ ଶୈବପୀଠ ଅନ୍ୟ ଏକ ପବିତ୍ର ସ୍ଥାନ। ଏକ ଜୀର୍ଣ୍ଣଶୀର୍ଣ୍ଣ ଭଗ୍ନାବଶେଷ ମନ୍ଦିର ଚାରିପାର୍ଶ୍ବରେ ଜଙ୍ଗଲ ରହିଛି। ଏହା ପାର୍ଶ୍ବରେ ଅନେକ ଶିଳାଖଣ୍ଡ ପ୍ରାଚୀନ ଶିଳାଲେଖ ଓ ଶିଳାମୂର୍ତ୍ତୀ ସହ କିଛି ଭଗ୍ନାବଶେଷ ଏବଂ ଐଶ୍ଚର୍ଯ୍ୟପୂର୍ଣ ବିଭବ ଭରା ରାଜବଂଶ ଓ ଇତିହାସର ସ୍ୱାକ୍ଷର ରହିଛି। ନଦରଙ୍ଗପୁର ଠାରୁ ମାତ୍ର ୫୨ କିମି, ଧୋଡ୍ରା ଠାରୁ ଡାହାଣ ପଟେ ଥିବା ରାସ୍ତା ଦେଇ ଯିବାକୁ ପଡିଥାଏ। ଉମରକୋଟ ସହରରେ ଅନେକ ଗୁଡ଼ିଏ ଶିବ ମନ୍ଦିର ଥିବା ସତ୍ତ୍ୱେ ଥାନା ନିକଟସ୍ଥ ପ୍ରସିଦ୍ଧ ନୀଳକଣ୍ଠେଶ୍ଵର ମନ୍ଦିର ସ୍ବତନ୍ତ୍ର ଏବଂ ସର୍ବ ପୁରାତନ ଅଟେ।
ରାଇଘର ବ୍ଲକ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ ପାରୁଆ ଶୈବପୀଠ। ଏହି ଅଞ୍ଚଳରେ 'ଗଣ୍ଡ' ସଂପ୍ରଦାୟ ଆଦିବାସୀ ଓ ଅନ୍ୟମାନଙ୍କର ଶ୍ରଦ୍ଧା ଓ ବିଶ୍ଵାସର ପ୍ରମୁଖ କେନ୍ଦ୍ରସ୍ଥଳୀ। ଜିଲ୍ଲାସଦରମହକୁମାରୁ ୧୦୦କିଲୋମିଟର ଦୂରରେ ରହିଛି ଝରିଗାଁ ବ୍ଲକର ସାନଟେମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଧାରା ଜଳପ୍ରପାତର ନିକଟରେ ରହିଛି ଚନ୍ଦନଧାରାର ଶୈବପୀଠ। ଡାବୁଗାଁ-ଝରିଗାଁ ରାସ୍ତାରେ ଆସିଲେ ଦୂରତା କମିଥାଏ। ଏସବୁ ବାଦେ ଶ୍ରାବଣମାସରେ ସହରରେ ଥିବା ନୀଳକଣ୍ଠେଶ୍ବର, ଅଖଣ୍ଡଳମଣୀ, ଓଁକାରଶ୍ବେର ସହ ରଙ୍ଗମାଟିଗୁଡା, ଭତରାସିଉନୀ, ସାନମସିଗାଁ ମନ୍ଦିରରେ ପ୍ରବଳ ଭୀଡ ହେବା ସହ କାଉଡିଆ ମାନେ ଜଳଲାଗି କରୁଛନ୍ତି।
Nabarangpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/03/ngp1-2025-08-03-22-08-39.jpg)