ବାରିପଦା/ଭୁବନେଶ୍ବର: ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ପୂରା ହୋଇଛି। ଅପେକ୍ଷାର ଅନ୍ତ ଘଟିଛି। ଶିମିଳିପାଳ ଅଭୟାରଣ୍ୟକୁ ‘ଜାତୀୟ ଉଦ୍ୟାନ‘ର ମାନ୍ୟତା ମିଳିଛି। ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗୁରୁବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ସହିତ ରାଜ୍ୟର ଦ୍ବିତୀୟ ଓ ଦେଶର ୧୦୭ତମ ଜାତୀୟ ପାର୍କ ତାଲିକାରେ ଶିମିଳିପାଳ ଯୋଡ଼ି ହୋଇଯାଇଛି। ରାଜ୍ୟର ପ୍ରଥମ ଜାତୀୟ ପାର୍କ ହେଉଛି ଭିତରକନିକା ଜାତୀୟ ଉଦ୍ୟାନ, ଯାହା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଅଛି।
ସବୁଜ, ସୁନ୍ଦର ଓ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଶିମିଳିପାଳକୁ ‘ଜାତୀୟ ଉଦ୍ୟାନ’ ମାନ୍ୟତା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଆନ୍ତରିକତା ଅଭାବରୁ ଏ ସମ୍ପର୍କିତ ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ରହିଥିଲା ବୋଲି ଅନେକ ସମୟରେ ଅଭିଯୋଗ ହେଉଥିଲା। ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିବା ପରେ ଓଡ଼ିଶାର ଗର୍ବ ଓ ଗୌରବ ବହନ କରୁଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସମେତ ହସ୍ତୀ ଅଭୟାରଣ୍ୟ ଜାତୀୟସ୍ତରରେ ସ୍ଵତନ୍ତ୍ର ପରିଚୟ ହାସଲ କରିବ।
Simlipal is now the second National Park of Odisha. Great satisfaction as the final notification was sent to the Government by me as CWLW.
— Susanta Nanda (@susantananda3) April 24, 2025
Kudos to the team Simlipal who relentlessly pursued to clear the legal hurdle🙏 pic.twitter.com/g9az5C4Wke
ଦେଶର ସର୍ବବୃହତ୍ ସଂରକ୍ଷିତ ଜଙ୍ଗଲ ଭାବେ ଶିମିଳିପାଳ ଦଣ୍ଡାୟମାନ। ୧୯୭୯ ଡିସେମ୍ବର ୩ରେ ରାଜ୍ୟ ସରକାର ଏହି ଅଞ୍ଚଳକୁ ପ୍ରସ୍ତାବିତ ଅଭୟାରଣ୍ୟ ଭାବେ ଗ୍ରହଣ କରିଥିଲେ। ୧୯୮୬ରେ ଏହାକୁ ପ୍ରାଥମିକ ସ୍ତରରେ ଜାତୀୟ ଅଭୟାରଣ୍ୟର ମାନ୍ୟତା ପ୍ରଦାନ କରିଥିଲେ। ୧୯୯୪ ଜୁନ୍ ୨୨ରେ ୟୁନେସ୍କୋର ମାନବ ଓ ଜୈବ ମଣ୍ଡଳର କାର୍ଯ୍ୟକ୍ରମ ଅଧୀନରେ ଏହାକୁ ଜୈବମଣ୍ଡଳ ମାନ୍ୟତା ମିଳିଥିଲା।
ଓଡ଼ିଶାର ସର୍ବବୃହତ୍ ମୟୂରଭଞ୍ଜର ଆୟତନ ୧୦.୪୧୮ବର୍ଗ କି.ମି. ହୋଇଥିବା ବେଳେ କେବଳ ଶିମିଳିପାଳ ଜୈବମଣ୍ଡଳ ପାଇଁ ୫୫୬୯ ବର୍ଗ କି.ମି. ସଂରକ୍ଷିତ ରହିଛି। ସେଥିମଧ୍ୟରୁ ୨୩୦୬ ବର୍ଗ କି.ମି. ଶିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ। ଏହା ସାରା ଦେଶରେ ସର୍ବବୃହତ୍ ଓ ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ ସଂରକ୍ଷିତ ବନକ୍ଷେତ୍ର ଭାବେ ପରିଗଣିତ। ଓଡ଼ିଶାରେ ଥିବା ୨ଟି ଜାତୀୟ ଉଦ୍ୟାନ ଓ ୧୮ଟି ଅଭୟାରଣ୍ୟ ମଧ୍ୟରୁ ଶିମିଳିପାଳ ଜୈବମଣ୍ଡଳ ଅନ୍ୟତମ। ୨୦୦୯ ମେ ୨୬ରେ ଶିମିଳିପାଳ ବିଶ୍ବସ୍ତରୀୟ
କୈବମଣ୍ଡଳ ଭାବେ ୟୁନେସ୍କୋର ୨୧ତମ ଅଧିବେଶନରେ ପୁରସ୍କୃତ ହୋଇଛି।
ତେବେ ପ୍ରାଥମିକ ସ୍ତରରେ ଜାତୀୟ ଉଦ୍ୟାନର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୮୦ ଅଗଷ୍ଟ ୬ରେ ବନ୍ୟପ୍ରାଣୀ(ସୁରକ୍ଷା) ଆଇନ ୧୯୭୨ର ଧାରା ୩୫(୦୧) ଅନୁଯାୟୀ ଉତ୍ତର ଶିମିଳିପାଳର ୩୦୩ ବର୍ଗ କି.ମି. ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୯୮୬ରେ ବିଜ୍ଞପ୍ତି ନଂ. ୧୯୫୨୫/ ୮ଏଫ୍ (ଟି) ୮ /୮୫ ଏଫ୍ଏଫ୍ ଏବଂ ଏଚ୍ଏଚ୍ ଦ୍ବାରା ପୂର୍ବ ଅଧିସୂଚିତ ଅଞ୍ଚଳକୁ ମିଶାଇ ଅଧ୍ଵକ ୫୪୨.୭ ବର୍ଗ କି.ମି. ଯୋଡ଼ାଯାଇ ମୋଟ ୮୪୫.୭୦ ବର୍ଗ କି.ମି.କୁ ବୃଦ୍ଧି କରାଯାଇଥିଲା। ମାତ୍ର ଧାରା ୩୫(୪) ଅନୁଯାୟୀ ଜାତୀୟ ଉଦ୍ୟାନର ମାନ୍ୟତା ପାଇଁ ଏହାର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ୧୯୭୨ର ଧାରା ୩୫(୩) ଅନୁଯାୟୀ ପ୍ରାଥମିକ ବିଜ୍ଞପ୍ତି ଜାରିହେବା ପରେ ଏହାର ତଦନ୍ତ, ଦାବି ଏବଂ ଅଧିକାରୀ ବିଲୋପ ପାଇଁ ଜିଲାପାଳ ସୀମା ଘୋଷଣା ଜାରି କରିଥିଲେ। ଘୋଷଣା ଅବଧୂ ଶେଷହେବା ପରେ ମୟୂରଭଞ୍ଜ ଜିଲାପାଳଙ୍କ ପତ୍ର ସଂଖ୍ୟା ୦୬ ଏଫ୍ଏସ୍ଓ ୧୫।୧୦।୨୦୨୪ରେ ୮୪୫,୭୦ ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ଜାତୀୟ ଉଦ୍ୟାନ ଘୋଷଣା କରିବା ପାଇଁ ସୁପାରିସ କରିବା ସହ ଉକ୍ତ ପ୍ରସ୍ତାବକୁ ପିସିସିଏଫ୍(ଡବ୍ଲ୍ୟୁଏଲ୍) ଏବଂ ସିଡବ୍ଲ୍ୟୁଏଲ୍ଡଡବ୍ଲ୍ୟୁ ଓଡ଼ିଶାକୁ ପଠାଇଥିଲେ।
Similipal National Park