ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ପାଇଁ ୧ ଜୁଲାଇରୁ ବନ୍ଦ ରହିବ ବୋଲି ଜଣାପଡିଛି । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟର ଚିଠି ନଂ ୧୨୩/ ୨୯ ଜୁନ ୨୦୨୫ ଅନୁଯାୟୀ ନୋଟିସ ପ୍ରକାଶିତ ହୋଇଛି। ପରବର୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିମିଳିପାଳ ଖୋଲିବା ନେଇ ଗଣମାଧ୍ୟମରେ ପ୍ରକାଶିତ ହେବ।
ତେବେ ପରିବେଶ ପର୍ଯ୍ୟଟନ ଜନିତ ଜାମୁଆଣୀ, ଗୁଡଗୁଡିଆ, କୁମାରୀ, ବରେହିପାଣି ଏବଂ ରାମତୀର୍ଥ ଇକୋ ଟୁରିଜିମରେ ପରିଦର୍ଶକଙ୍କ ପାଇଁ ଖୋଲା ରହିବ। ସାଧାରଣତଃ ପ୍ରତି ବର୍ଷ ବର୍ଷାଋତୁରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ ନିଷେଧ କରାଯାଇଥାଏ। ବର୍ଷାଋତୁରେ ଶିମିଳିପାଳ ଅଭୟାରଣ୍ୟର ରାସ୍ତା ଗୁଡ଼ିକ ଧୋଇଯାଇ ବିପଦ ସଙ୍କୁଳ ହୋଇପଡିଥାଏ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ଷା ଦିନେ ସାମୟିକ ଭାବେ ପ୍ରବେଶ ବନ୍ଦ କରାଯାଇଥାଏ। ଏହି ସମୟ ମଧ୍ୟରେ ରାସ୍ତା ସମେତ ବିଭିନ୍ନ ଭିତିଭୂମିର ମରାମତି କରାଯାଇଥାଏ।
ଚଳିତ ବର୍ଷ ୨୦୨୪-୨୫ ରାଜ୍ୟରୁ ୨୬ହଜାର ୮୩, ରାଜ୍ୟ ବାହାରୁ ୧୨ହଜାର ୩୮୮ ଓ ୧୨ ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୩୮ହଜାର ୪୮୩ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟକୁ ବୁଲିବାକୁ ଆସିଛନ୍ତି। ଏହି କ୍ରମରେ ବରେହିପାଣି, ଗୁଡୁଗୁଡିଆ, କୁମାରୀ, ଜାମୁଆଣୀ ଓ ରାମତୀର୍ଥ ଇକୋ ଟୁରିଜିମରୁ ମୋଟ ୨୭୫ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି। ସେହିପରି ଜଙ୍ଗଲ ସଫାରୀ ମାଧ୍ୟମରେ ମୋଟ ୧୨ଲକ୍ଷ ୧୫ହଜାର ଓ ପ୍ରବେଶ ଫି ବାବଦରେ ୨୯ଲକ୍ଷ ୪୮ହଜାର ଟଙ୍କା ରାଜସ୍ୱ ଆଦାୟ ହୋଇପାରିଛି।
ଅନ୍ୟପକ୍ଷରେ ଶିମିଳିପାଳରେ ବର୍ଷା ହୋଇଛି। ଭଞ୍ଜବାସାରେ ସର୍ବାଧିକ ଭାବେ ବର୍ଷା ହୋଇଥିବା ରେକର୍ଡ ହୋଇଥିବା ଠାକୁରମୁଣ୍ଡାରେ ସର୍ବନିମ୍ନ ବର୍ଷା ହୋଇଛି। ଶିମିଳିପାଳ ଅଞ୍ଚଳରେ ଗତ କିଛି ଦିନ ଧରି ବର୍ଷା ଜାରି ରହିଛି। ବିଭିନ୍ନ ଅଞ୍ଚଳରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ଭଞ୍ଜବାସାରେ ସର୍ବାଧିକ ୨୫୭.୮୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ଏହି ଅଞ୍ଚଳରେ ସବୁଠାରୁ ଅଧିକ। ଠାକୁରମୁଣ୍ଡାରେ ସର୍ବନିମ୍ନ ୮.୮୯ ମିଲିମିଟର ବର୍ଷା ହୋଇଛି। ବାରିପଦାରେ ୧୯୩.୨୯୪ ମି.ମି., କୁଳିପାଳରେ ୧୫୮.୪୯୬ ମି.ମି, ପୋଡ଼ାଡିହାରେ ୧୫୩.୬୭ ମି.ମି, ଯୁବିକେରେ ୧୧୨.୨ ମି.ମି, ଜେନାବିଲରେ ୧୦୭.୯୫ ମି.ମି, ସାତକୋସିଆରେ ୯୩.୯୮ ମି.ମି, ବାଦଗାଁରେ ୮୧.୨ ମି.ମି, ବରେହିପାଣିରେ ୭୩.୬୬ ମି.ମି, କବାଟଘାଇରେ ୭୩.୬ ମି.ମି, କେନ୍ଦୁମୁଣ୍ଡିରେ ୭୩.୦୨ ମି.ମି, ପିଠାବାଟାରେ ୬୧.୯୭୬ ମି.ମି, ଡୁକୁରାରେ ୫୬.୬୪୨ ମି.ମି, ନାଓ୍ଵାନାରେ ୫୬.୬ ମି.ମି, ଚହଳାରେ ୫୫.୨ ମି.ମି, ରାମତୀର୍ଥରେ ୪୦.୧୩୨ ମି.ମି ଓ ଡୋଭରେ ୨୪.୪ ମି.ମି ବର୍ଷା ହୋଇଛି। ତେବେ, ଅଧିକ ବର୍ଷା ଯୋଗୁଁ ବାରିପଦା ଓ ଭଞ୍ଜବାସା ଅଞ୍ଚଳରେ ଜଳମଗ୍ନ ଅବସ୍ଥା ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି। ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି। ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।