ଭୁବନେଶ୍ବର: ପୀଠରେ ମା’ ଦୁର୍ଗାଙ୍କ ମହାଷ୍ଟମୀ ଅବସରରେ ଗୁରୁବାର ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାରେ ଭାଇଜିଉନ୍ତିଆ ପାଳନ କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ ଆଦି ଜିଲ୍ଲାରେ ଗାଁରୁ ସହର ଯାଏ ସବୁଠାରେ ଭାଇଜିଉନ୍ତିଆ ଓଷା ପାଳନ କରାଯାଉଛି। ଭଉଣୀମାନେ ନିର୍ଜଳା ଉପବାସ ରହି ଭାଇଙ୍କ ପାଇଁ ମା’ ଦୁର୍ଗାଙ୍କୁ ଆଶୀର୍ବାଦ ମାଗିଛନ୍ତି। ଏଥି ସହିତ ପରିବାରର ମଙ୍ଗଳ କାମନା କରିଛନ୍ତି।
ଭଉଣୀମାନେ ଭାଇଙ୍କ ମଙ୍ଗଳ ମନାସୀ ଦୁର୍ଗାଷ୍ଟମୀ ଦିନ ନିର୍ଜଳା ଉପବାସ ରହିଥାନ୍ତି। ଭାଇଜିଉନ୍ତିଆ ପୂଜା ସନ୍ଧ୍ୟା ସାତଟାରୁ ଆରମ୍ଭ ହୋଇଥାଏ। ପ୍ରାୟତଃ ଗ୍ରାମରେ ଗୋଟିଏ ସ୍ଥାନରେ ହେଉ ବା ଦେବୀ ମନ୍ଦିର ସମ୍ମୁଖରେ ଏହା ପାଳନ କରାଯାଇଥାଏ। ଯେଉଁଠାରେ ମନ୍ଦିର ନଥାଏ, ସେଠାରେ କୋଠି ବା ପୂଜା ମଣ୍ଡପ ନିର୍ମାଣ କରାଯାଇଥାଏ।
ଚାରିଟି ଖୁଣ୍ଟ ପୋତି ନୂଆ ଚାନ୍ଦୁଆ ଓ ଆମ୍ବ ତୋରଣ କରି ନୁଆ ବସ୍ତ୍ର ପକାଇ ତା’ଉପରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା କରିଥାନ୍ତି ବ୍ରତଧାରୀ ମା’ ଓ ଭଉଣୀମାନେ। ଭାଇଘର ଦେଇଥିବା ନୂତନ ଶାଢ଼ି ପରିଧାନ କରି ଏହି ବ୍ରତ କରି ବ୍ରାହ୍ମଣଙ୍କଠାରୁ ଭାଇଜିଉନ୍ତିଆ ଓଷା କଥା ଶୁଣିଥାନ୍ତି। ୧୦୮ ଦୁବ,୧୦୮ ଅକ୍ଷତ, ଭେଣ୍ଡିକୁ ଏକ ଶାଳ ପତ୍ରରେ ବିଡ଼ା ବାନ୍ଧି ତା’ପରେ ଜିଉନ୍ତିଆକୁ ବାନ୍ଧିଥାଆନ୍ତି। ତାକୁ ଓଷା ସମୟରେ ପ୍ରଥମେ ମା’ ଦୁର୍ଗାଙ୍କୁ ଏହି ଦୁବ ଅର୍ପଣ କରିଥାନ୍ତି। ଭାଇର ମଙ୍ଗଳ କାମନା କରିବା ସହିତ ୧୦୮ ବର୍ଷର ଆୟୁଷ ମାଗିଥାନ୍ତି। ଏଥିରେ ଦଶ ପ୍ରକାର ଫୁଲ ଓ ଦଶ ପ୍ରକାର ଫଳ ଅର୍ପଣ କରିଥାନ୍ତି। ବିଶେଷ ଭାବରେ କଖାରୁ ଫୁଲକୁ ଗୁରୁତ୍ବ ଦିଆଯାଇଥାଏ।
ପୁରାଣ ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମହାନବମୀ ତିଥିରେ ଏକଲକ୍ଷ ଆଠ ପଦ୍ମଫୁଲ ମା’ ଦୁର୍ଗାଙ୍କୁ ଅର୍ପଣ କରି ବର ପାଇ ଦଶହରା ଦିନ ରାବଣ ବଧ କରିଥିଲେ। ଯେଉଁମାନେ ଏକ ଲକ୍ଷ ଆଠ ପଦ୍ମଫୁଲ ପାଇବେ ନାହିଁ, ସେମାନେ ମହାଷ୍ଟମୀ ଦିନ ଗୋଟିଏ କଖାରୁ ଫୁଲ ମା’ଙ୍କୁ ଅର୍ପଣ କଲେ ଏହି ଫଳ ପ୍ରାପ୍ତି ହୋଇଥାଏ। ଏହାସହିତ ସୀତାଫଳକୁ ମା’ଙ୍କୁ ଅର୍ପଣ କରାଯାଏ।
ଏହି ଓଷା ସରିଲା ପରେ ସମସ୍ତ ବ୍ରତଧାରୀମାନେ ନଦୀ ବା ଜଳାଶୟକୁ ଯାଇ ସେଠାରେ ଚଣା ଗିଳିଥାନ୍ତି। ଜଳଘାଟରୁ ଫେରିବା ପରେ ଘରେ ଜାଗର ଜାଳି ସେହି ଦୁବକୁ ଭାଇର ମୁଣ୍ଡରେ ସାତ ଥର ଛୁଆଁଇ ଭାଇର ମଙ୍ଗଳ କାମନା କରିଥାନ୍ତି। ଏହା ସହିତ ଭଉଣୀମାନେ ଭାଇକୁ ଖାଇବା ପାଇଁ କିଛି ମିଷ୍ଟାନ୍ନ ଦେଇଥାନ୍ତି। ତା’ଛଡ଼ା ନିଜର ଆର୍ଥିକ ସ୍ଥିତି ଅନୁସାରେ ଭାଇଙ୍କୁ କିଛି ଉପହାର ଦେଇଥାନ୍ତି।