ରାଉରକେଲା: ବନ୍ଧମୁଣ୍ଡାର ଫିଟ୍ନେସ୍ ଟ୍ରେନରଙ୍କୁ ଗୁଳିମାଡ଼ ଘଟଣାରେ ବନ୍ଧମୁଣ୍ଡା ପୁଲିସ ମୁଖ୍ୟଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟଅଭିଯୁକ୍ତ ବନ୍ଧମୁଣ୍ଡା ‘ଡି’ ସେକ୍ଟର ଗୁଣ୍ଡିଚାପାଲିର ସୋନୁ ଓରଫ ସୁକାନ୍ତ ଦାସ (୨୩), ‘ସି’ ସେକ୍ଟର ମଧୁସୂଦନ ପାର୍କ ନିକଟରେ ରହୁଥିବା ସଂସ୍କାର କୁମାର ସିଂହ (୨୩), ଅଭିନବ ବର୍ମା (୨୨), ବନ୍ଧମୁ୍ଣ୍ଡା ମେନ୍ରୋଡର ପ୍ରିୟାଂଶୁ ସିଂହ (୨୧), ସେକ୍ଟର ସି/୪୬ର ବି. କାର୍ତ୍ତିକ (୧୯) ଓ ବନ୍ଧମୁଣ୍ଡା ଶୀତଳନଗରର ଅଭିଷେକ ବରୁଆ ଓରଫ ନାନୁ (୩୦)। ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଏମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ପିସ୍ତଲ, ଖାଲି କ୍ୟାଟ୍ରିକ୍, ମାଗାଜିନ୍ ସହ ଗୋଟିଏ ଅଫୁଟା ଗୁଳି ଜବତ ହୋଇଛି। ପୂର୍ବରୁ ଗୋଷ୍ଠୀ ସଂଘର୍ଷରୁ ଶ୍ୟାମଳ ସରକାରଙ୍କୁ ଗୁଳିମାଡ଼ କରାଯାଇଥିଲା। ଗତ ୧୪ ତାରିଖ ସଂଧ୍ୟା ୬ଟାରେ ଶ୍ୟାମଳ ସରକାର ବନ୍ଧମୁଣ୍ଡା ଡିଜେଲ କଲୋନି ନିକଟସ୍ଥ ପ୍ରଗତି ମୈଦାନରେ ପିଲାମାନଙ୍କୁ ଫିଟ୍ନେସ୍ ଟ୍ରେନିଂ ଦେଉଥିଲେ। ଗିରଫ ୬ ଯୁବକ ସେଠାରେ ପହଞ୍ଚି ଶ୍ୟାମଳ ସରକାରଙ୍କ ସହ ପାଟିତୁଣ୍ଡ କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଅଭିଯୁ୍କ୍ତମାନେ ସେଠାରୁ ଚାଲିଯାଇଥିଲେ।
ପଡ଼ିଆରୁ ବାହାରି ଶ୍ୟାମଳ ତାଙ୍କ ବନ୍ଧୁମାନଙ୍କ ସହ ଡି ସେକ୍ଟର ଛକରେ ଛିଡ଼ା ହୋଇ କଥାହେଉଥିଲେ। ଅଭିଯୁକ୍ତମାନେ ପହଞ୍ଚି ଖଣ୍ଡାରେ ଶ୍ୟାମଳଙ୍କୁ ଆକ୍ରମଣ କରିଥିଲେ। ମୁଖ୍ୟଅଭିଯୁକ୍ତ ସୁକାନ୍ତ ଦାସ ଓରଫ୍ ସୋନୁ ତା’ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳିଚଳାଇ ଶ୍ୟାମଳଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ସୌଭାଗ୍ୟବଶତଃ ଗୁଳିଟି ଶ୍ୟାମଳଙ୍କ ଦେହରେ ବାଜିନଥିଲା। ଗୁଳି ନ ବାଜିବାରୁ ସୋନୁ ଶ୍ୟାମଳଙ୍କ ମୁଣ୍ଡକୁ ପିସ୍ତଲରେ ଆକ୍ରମଣ କରିଥିଲା।
ଆକ୍ରମଣ ଯୋଗୁଁ ଶ୍ୟାମଳଙ୍କ ହାତ, ପିଠି ଓ ମୁଣ୍ଡରେ ଆଘାତ ଲାଗିଥିଲା। ଶ୍ୟାମଳ ଗୁରୁତର ଅବସ୍ଥାରେ ତଳେ ପଡିଯିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳ ପହଞ୍ଚିଥିଲା। ଘଟଣାସ୍ଥଳରୁ ଗୋଟିଏ ମାଗାଜିନ୍, ଗୋଟିଏ ଖୋଖା ସହିତ ଗୋଟିଏ ଗୁଳି ଜବତ କରିଥିଲା। ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅଭିଯୁକ୍ତମାନଙ୍କୁ ଧରିବାକୁ ତିନିଟି ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା।