ନବରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୦୨୨ ମସିହା ଅଗଷ୍ଟ ୯ତାରିଖରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମରେ ନିଜ ସମ୍ପର୍କୀୟ ଡମ୍ବୁରୁ ପୁଜାରୀ ଓ ପରିବାରବର୍ଗଙ୍କୁ ସଂଘବଦ୍ଧ  ଆକ୍ରମଣ କରିଥିଲେ। ଡମ୍ବୁରୁ ପୂଜାରୀ ହତ୍ୟା ମାମଲାର ଶୁଣାଣି କରି ଆଜି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିରେ ଜଣେ ନାବାଳକ ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି। ଏହା ସହ ଜରିମାନା ବାବଦକୁ ଜଣକ ପିଛା ୧୦ହଜାର ଟଙ୍କା ଲେଖାଏଁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ଜଣାଯାଏ ୨୦୨୨ ମସିହା ଅଗଷ୍ଟ ୯ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମର ଡମ୍ବୁରୁ ପୂଜାରୀ ଓ ପଦଲାମ ପୂଜାରୀ ଦୁଇ ଭାଇ ମାଳତୀ, କନକ, ଭଗବତୀ, ପିତାମ୍ବରଙ୍କୁ ନେଇ ନିଜ ବିନ୍ସ ଲଗାଇଥିବା ଜମିରେ କାମ କରୁଥିଲେ। ସେହି ସମୟରେ ଜମିଜମା ନେଇ ପୂର୍ବରୁ ଲାଗି ରହିଥିବା ଶତ୍ରୁତା ଯୋଗୁଁ ଅଭିଯୁକ୍ତ ଅନନ୍ତ ପୂଜାରୀ, ଶିବ ପୂଜାରୀ, ଚନ୍ଦନ ପୂଜାରୀ, ଡୁମର ପୂଜାରୀ, ଡାଲିମ୍ବ ପୂଜାରୀଙ୍କ ସମେତ ଜଣେ ନାବାଳକ ବିଭିନ୍ନ ମାରଣାସ୍ତ୍ର ଧରି ପ୍ରଥମେ ପଦଲାମକୁ ଆକ୍ରମଣ କରିଥିଲେ। ଭାଇକୁ ଆକ୍ରମଣ କରୁଥିବା ଦେଖି ଡମ୍ବୁରୁ ଛଡାଇବାକୁ ଯାଇଥିଲେ। ଡମ୍ବୁରୁଙ୍କୁ ଏମାନେ ସଂଘବଦ୍ଧ ଭାବେ  ଆକ୍ରମଣ କରିଥିଲେ। ଏଥିରେ ରକ୍ତାକ୍ତ ଅବସ୍ଥାରେ ଡମ୍ବୁରୁଙ୍କ ମୃତ୍ୟୁ ଘଟିଥିଲା।

ଅଭିଯୁକ୍ତମାନେ ପଦଲାମ ପୂଜାରୀଙ୍କ ଉପରେ  ଟ୍ରାକ୍ଟର ଚଢାଇ ଦେଇଥିଲେ। ଏଥିରେ ପଦଲାମର ଗୋଡ ନଷ୍ଟ ହୋଇଥିଲା ଏବଂ ଗୁରୁତର ହୋଇପଡିଥିଲେ। ଅନ୍ୟ ସମସ୍ତବି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ହୋଇଥିଲେ। ଏ ଘଟଣାକୁ ନେଇ ପରିବାରବର୍ଗ କୋଡିଙ୍ଗା ଥାନାରେ ଏତଲା ଦେଇଥିଲେ। ପୁଲିସ ସମସ୍ତ ଅଭି‌ଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା।

ମାମଲାକୁ ନେଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ୨୭ଜଣ ସାକ୍ଷ୍ୟ ପ୍ରମାଣ ଦେଇଥିଲେ। ଏହି ୨୭ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟ ଦେଇଛନ୍ତି। ଘଟଣାରେ ଜଡ଼ିତ ଜଣେ ନାବାଳକ ଓ ଅନ୍ୟ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସନ୍ତୋଷ କୁମାର ମିଶ୍ର ପରିଚାଳନା କରୁଥିଲେ।

Court judgement | Nabarangpur