ଗୋଳନ୍ଥରା: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରରେ କିଛି ଦୁର୍ବୃତ୍ତ ଆତଙ୍କରାଜ ଖେଳାଇଛନ୍ତି। ଦୁର୍ବୃତ୍ତମାନେ ବୁଲି ବୁଲି ୬ଜଣ ଯୁବକଙ୍କୁ ହାଣିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତମାନେ ହେଲେ କନିଷିର ସନତ କୁମାର ନାୟକ, କୋଳଥିଗାଁର ସଲିପ ପାତ୍ର, ହଳଦିଆପଦରର ପ୍ରଦୀପ ପାଳ ଓରଫ୍ ବାବୁଲା, ସୟଦ କୁମାର, ବିଟୁ ସାମଲ ଓ ସୁନୀଲ କୁମାର ପାଳ। ସମସ୍ତଙ୍କୁ ଉଦ୍ଧାର କରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ଆଜି ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ପ୍ରଦୀପ ହଳଦିଆପଦର ଛକରେ ଛିଡ଼ା ହୋଇଥିଲେ। ସେହିପରି ସୟଦ ହଳଦିଆପଦର ସ୍ଥିତ ତାଙ୍କର ଚିକେନ୍ ଦୋକାନରେ ଥିଲେ। ନିକଟରେ ବିଟୁ ଏବଂ ସୁନୀଲ ମଧ୍ୟ ଛିଡ଼ା ହୋଇଥିଲେ।
ସୂଚନା ଅନୁସାରେ ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ପ୍ରଦୀପ ହଳଦିଆପଦର ଛକରେ ଛିଡ଼ା ହୋଇଥିଲେ। ସେହିପରି ସୟଦ ହଳଦିଆପଦର ସ୍ଥିତ ତାଙ୍କର ଚିକେନ୍ ଦୋକାନରେ ଥିଲେ। ନିକଟରେ ବିଟୁ ଏବଂ ସୁନୀଲ ମଧ୍ୟ ଛିଡ଼ା ହୋଇଥିଲେ। ଏହି ସମୟରେ ପ୍ରାୟ ୪ଟି ବାଇକ୍ରେ ୭/୮ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ପ୍ରଦୀପଙ୍କୁ ଓ ସୟଦଙ୍କ ଉପରେ ଖଣ୍ଡା ଚୋଟ ପକାଇଥିଲେ। ଏହା ସହିତ ବିଟୁ ଓ ସୁନୀଲଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।
ଆକ୍ରମଣ ପରେ ସେଠାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରି ହଳଦିଆପଦର ସ୍ଥିତ ବସ୍ ଟର୍ମିନସ୍ ପରିସରରେ ଥିବା କୋଳଥିଗାଁର ଲେଖାଳି ସଲିପଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ। ସେଠାରୁ ଦୁର୍ବୃତ୍ତମାନେ କନିଷି ଯାଇ ସନତଙ୍କୁ ଆକ୍ରମଣ କରିଥିଲେ। ସମସ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଆକ୍ରମଣରେ ଶିକାର ହୋଇଥିବା ସମସ୍ତ ଯୁବକ ବିଜେପି କର୍ମୀ ହୋଇଥିବା ବେଳେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।