ଖୋର୍ଦ୍ଧା: ଶିଳ୍ପାଞ୍ଚଳ ଥାନା ମୁକୁନ୍ଦପ୍ରସାଦ ହିଂସାକାଣ୍ଡର ଆଠ ଦିନ ପରେ ରବିବାର କୋହଳ ହୋଇଛି ଧାରା ୧୬୩। ସ୍ଥାନୀୟ ଜନ ପ୍ରତିନିଧି ଏବଂ ସଚେତନ ନାଗରିକଙ୍କ ସହିତ ଆଲୋଚନା କରି ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଞ୍ଚଳର ସ୍କୁଲ୍‌ ଏବଂ ଅଙ୍ଗନବାଡ଼ି ଉପରେ ଲାଗୁ ହୋଇଥିବା ଉପରୋକ୍ତ ଧାରାକୁ ହଟାଇ ଦିଆଯାଇଛି। ସୋମବାରଠାରୁ ମୁକୁନ୍ଦପ୍ରସାଦର ୱାର୍ଡ ନମ୍ବର ୨, ୨୧, ୨୨ ଏବଂ ୧ ଓ ୩ ନମ୍ବର ୱାର୍ଡର କିଛି ଅଂଶରେ ଥିବା ସବୁ ଅଙ୍ଗନବାଡ଼ିକୁ ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି।

Advertisment

ମୁକୁନ୍ଦପ୍ରସାଦର ୱାର୍ଡ ନମ୍ବର ୨, ୨୧, ୨୨ ଏବଂ ୧ ଓ ୩ ନମ୍ବର ୱାର୍ଡର କିଛି ଅଂଶରେ ଥିବା ସବୁ ଅଙ୍ଗନବାଡ଼ିକୁ ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛି।

କେବଳ ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳର ଛଅ ଗୋଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲ୍‌କୁ ବି ଖୋଲିବାକୁ ଅନୁମତି ଦିଆଯାଇଛି। ସେଗୁଡ଼ିକ ହେଲା, ଜୟୀରାଜଗୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଜେମାଦେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜୟୀରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁକୁନ୍ଦପ୍ରସାଦ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମୁକୁନ୍ଦପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଚାଚେରା ଶବର ସାହି ପ୍ରାଥମିକ ବିଦ୍ୟାଳୟ।

ମୁକୁନ୍ଦପ୍ରସାଦରେ ଜିଲ୍ଲା ପ୍ରଶାସନ ମୋଟ୍ ୮ଟି କଟକଣା ଲାଗୁ କରିଥିଲା। ତା’ ଭିତରେ ସ୍କୁଲ୍‌ ବନ୍ଦ ସହିତ କଲେଜକୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ମୁକୁନ୍ଦପ୍ରସାଦ ଇଲାକାରେ ଜିଲ୍ଲାର ଅନ୍ୟତମ ବୃହତ୍‌ କଲେଜ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଅଛି। ତା’ ଉପରୁ କିନ୍ତୁ କୌଣସି କଟକଣା ହଟିନାହିଁ। ସେହିପରି କୌଣସି ପରିସ୍ଥିତିରେ ବିନା ଅନୁମତିରେ ୫ଜଣ ଲୋକ ଏକାଠି ହୋଇ ପାରିବେ ନାହିଁ, ଦୋକାନ ବଜାର ସବୁ ବନ୍ଦ କରାଯିବା ଭଳି ଅନ୍ୟ ସାତ ଗୋଟି କଟକଣା ବି ଜିଲ୍ଲା ପ୍ରଶାସନ ଲାଗୁ କରିଥିଲା। ଗୋଟିଏ କଟକଣା ଯଦିଓ କୋହଳ ହୋଇଛି, କିନ୍ତୁ ଦୋକାନ ବଜାର ଉପରେ କଟକଣା ଲାଗୁ ରହିବା ଘଟଣା ଲୋକଙ୍କର ଆର୍ଥିକ ସ୍ଥିତି ଖରାପ କରି ଦେଇଛି।

ଅନ୍ୟପକ୍ଷରେ ପୁଲିସ ପ୍ରଶାସନ ପକ୍ଷରୁ ଏହି ଘଟଣାରେ ମୋଟ୍ ୧୪ଜଣଙ୍କୁ ଗିରଫ କରି ସାରିଲାଣି। ଭଙ୍ଗାରୁଜା ଘଟଣାରେ  ୧୧ଜଣ ଗିରଫ ହୋଇଥିବା ବେଳେ ହତ୍ୟାକାଣ୍ଡରେ ତିନି ଜଣ ଜେଲ ଯାଇଛନ୍ତି। ଶାନ୍ତି କମିଟି ଗଠନ କରି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଲାଣି।