ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି/ରାଇଘର: ସାମାଜିକ ସୁରକ୍ଷା ଅଧିକାରୀ ପାଇଛନ୍ତି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ)। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସାମାଜିକ ସୁରକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଏ.ଧନଞ୍ଜୟ ରାଓ ଓଏଏସ ପରୀକ୍ଷାରେ ୫୦୮ ନଂ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେ ୧୨ ବର୍ଷ ଧରି ସାମାଜିକ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କ ୩ୟ ଉଦ୍ୟମରେ ଏହି ସଫଳତା ମିଳିଥିବାର ପ୍ରକାଶ କରିଛନ୍ତି। କର୍ମମୟ ଜୀବନରେ ସେ ଏକା ସମୟରେ ନିଜ ବିଭାଗର କାର୍ଯ୍ୟ ସୂଚାରୁ ରୂପେ କରିବା ସହ ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତାଙ୍କର ୨ଥର ବିଫଳତା ପରେ ବି ସେ କେବେ ନିରାଶ ନହୋଇ ଓଏଏସ ପାଇବା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତାଙ୍କର ଏହି ସଫଳତା ପାଇବା ପରେ ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି।

Advertisment

ପରିଶ୍ରମର ଫଳ ବୃଥା ଯାଏନି। ଭଗବାନ କର୍ମର ଫଳ ନିଶ୍ଚୟ ଦିଅନ୍ତି। ଉଚ୍ଚ ସ୍ବପ୍ନ ଦେଖି ଭଗବାନଙ୍କ ଉପରେ ବିଶ୍ୱାସ ରଖି କଠିନ ପରିଶ୍ରମ କଲେ ନିଶ୍ଚୟ ସଫଳତା ମିଳେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ପଂଚାୟତ ନିର୍ବାହୀ ଅଧିକାରୀ ସତ୍ୟଜିତ ଗାହାଣ।

ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମପଂଚାୟତର ପିଇଓ ଭାବେ କାର୍ଯ୍ୟରତ ସତ୍ୟଜିତ ଗାହାଣ ଓଡିଶା ପ୍ରଶାସନିକ ସେବା ରେ ସଫଳତା ଅର୍ଜନ କରିଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଶ୍ରୀ ଗାହାଣଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି। ଶ୍ରୀ ଗାହାଣ ୧୮୬ ରାଙ୍କରେ ଓଏଏସରେ କୃତକାର୍ଯ୍ୟ ହାସଲ କରି ତେନ୍ତୁଳିଖୁଣ୍ଟି ବ୍ଲକ ସମେତ ସମଗ୍ର ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। 

publive-image

ସେହିପରି ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଦେଖା ଯାଇଛି ଖୁସିର ମାହୋଲ। ଗୋଟିଏ ପରିବାରରୁ ଦୁଇ ଭଉଣୀ(ମାଉଁସି ଝିଅ)  ଓଏଏସ ପାଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଞ୍ଚଳ ପାଇଁ ଗୌରବ ସୃଷ୍ଟି କରିଥିବା ଦୁଇ ଭଉଣୀ ହେଲେ କରଣପଦର ଗ୍ରାମର ଲକ୍ଷ୍ମୀ ନାଥ ଗଣ୍ଡଙ୍କ ଝିଅ ମଧୁସ୍ମିତା ଗଣ୍ଡ ଏବଂ ହାଟଭରଣ୍ଡି ଗ୍ରାମର ସିୟାରାମ ଗଣ୍ଡଙ୍କ ଝିଅ ଗୀତାଞ୍ଜଳି ଗଣ୍ଡ। ମଧୁସ୍ମିତାଙ୍କ ୫୮୨ ରହିଥିବା ବେଳେ ଗୀତାଞ୍ଜଳିଙ୍କ ୬୬୯ ରାଙ୍କ ରହିଛି। ଦୁଇ ଭଉଣୀଙ୍କ ମା ଶିକ୍ଷକତା କରୁଥିବା ବେଳେ ଦୁହେଁ ଭଉଣୀ ହୋଇଥିବାରୁ ଗୋଟାଏ ପରିବାରରେ ଖୁସିର ମାହୋଲ ଦ୍ୱିଗୁଣିତ ହୋଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଗୋଟିଏ ଦିନରେ ଦୁଇ ମା’ ଚାକିରିରେ ଯୋଗ ଦେଇଥିବା ବେଳେ ସେମାନଙ୍କ ଝିଅ ମାନେ ମଧ୍ୟ ଏକ ସାଙ୍ଗରେ ଓଏଏସ ପାଇଛନ୍ତି।