ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ର ନିର୍ମାଣ କାମରେ କ୍ରମାଗତ ଦ୍ବିତୀୟ ଦିନରେ ଅଘଟଣ ଦେଖିବାକୁ ମିଳିଛି। ଏହି ପ୍ରକଳ୍ପରେ ସୋମବାର ଟନେଲ୍ ଭୁଶୁଡ଼ିଥିବା ବେଳେ ଆଜି ମାଟି ଅତଡ଼ା ଖସିଛି। ପଶ୍ଚିମ ଓଡ଼ିଶା ସମେତ ଫୁଲବାଣୀ, ଗଂଜାମ ଓ ନୟାଗଡ଼ବାସୀ ଉତ୍ସାହିତ ଥିବା ବେଳେ ଏହି ପ୍ରକଳ୍ପରେ କ୍ରମାଗତ ଦ୍ବିତୀୟ ଦିନରେ ଅଘଟଣ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଞ୍ଚାୟତ ଅଧୀନ କଖାରୁଫାଳ ନିକଟ ଜଙ୍ଗଲ ଭିତରେ ସୋମବାର ଓ ମଙ୍ଗଳବାର ଦିନ ଅଘଟଣ ଘଟିଛି। ନିର୍ମାଣାଧୀନ ରେଳ ଟନେଲ ସୋମବାର ଭୁଶୁଡ଼ି ପଡ଼ିବାରୁ ରେଳବାଇକୁ ବଡ଼ଧରଣର କ୍ଷତି ହୋଇଛି। କିନ୍ତୁ ଖୁସିର କଥା ଯେ, ଏହି ଅଘଟଣରେ କୌଣସି ଜନଜୀବନକୁ କ୍ଷତି ପହଞ୍ଚି ନାହିଁ। କାଲି ଯେଉଁଠି ଟନେଲ୍ ଭୁଶୁଡ଼ି ଥିଲା, ଆଜି ମଧ୍ୟ ସେହି ସ୍ଥାନରୁ ପ୍ରାୟ ୫୦ ମିଟର ଦୂରରେ ମାଟି ଦବିଛି।
ସୂଚନା ଅନୁସାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ରେ ନିର୍ମାଣାଧୀନ ରେଳ ଟନେଲ୍ରେ ସୋମବାର ଅଘଟଣ ଦେଖିବାକୁ ମିଳିଛି। ପ୍ରାୟ ୪କିଲୋମିଟର ବିଶିଷ୍ଟ ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡ଼ି ପଡିଛି। ଟନେଲ ଭୁଶୁଡ଼ିବା କାରଣରୁ ପ୍ରାୟ ୩୦ ମିଟରର ଏକ ଗର୍ତ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟରେ କାର୍ଯ୍ୟ ଚାଲିଥିଲା କି ନାହିଁ ଓ କୌଣସି ଶ୍ରମିକ ଉପସ୍ଥିତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ରାଜ୍ୟର ଅନ୍ୟତମ ପୁରାତନ ରେଳ ପ୍ରକଳ୍ପ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ ନେଇ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର ଓ ନୟାଗଡ଼ବାସୀ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ସମୟରେ ଖୋର୍ଦ୍ଧାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା (୧୦୬କିମି) ପର୍ଯ୍ୟନ୍ତ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ କରୁଛି। ସେହିପରି ସୋନପୁରରୁ ବଲାଙ୍ଗୀର (୪୮କିମି) ମଧ୍ୟରେ ଟ୍ରେନ୍ ଚଳାଚଳ କରୁଛି। କିନ୍ତୁ ସୋନପୁର ଠାରୁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାମ ଜାରି ରହିଛି। କିଛି ମାସ ପୂର୍ବରୁ ସୋନପୁର-ପୁରୁଣାକଟକ (୮୫କିମି) ମଧ୍ୟରେ ମଧ୍ୟ ଟ୍ରାଏଲ୍ ରନ୍ ହୋଇଛି। ଖୁବ ଶୀଘ୍ର ପୁରୁଣାକଟକରୁ ବଲାଙ୍ଗୀର ମଧ୍ୟରେ ମଧ୍ୟ ଟ୍ରେନ୍ ଚଳାଚଳ କରିବ ବୋଲି ଆଶା କରାଯାଉଛି। ପୂରା ପ୍ରକଳ୍ପର ନିର୍ମାଣ କାମ ଆଗାମୀ ୨ ବର୍ଷ ମଧ୍ୟରେ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।
ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ସୋମବାର ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର-୪ରେ ଢିଲା ମାଟି ଗଠନ ଏବଂ ଏହି ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି। ଏହି ଅଘଟଣ କାରଣରୁ କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ। ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯୋଜନା ଅନୁଯାୟୀ କାମ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/27/MaA0zt2yCbpSDXjSxCar.jpg)