ଭୁବନେଶ୍ବର: ସ୍ବତନ୍ତ୍ର ଓଟିଇଟି (ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ) ପାଇଁ ପୁଣି ଥରେ ତାରିଖ ଘୋଷଣା ହୋଇଛି। ବହୁ ପ୍ରତୀକ୍ଷିତ ଏହି ପରୀକ୍ଷା ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ସିଟିଂରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ବିଏସ୍ଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୨୭ ତାରିଖ ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଏବଂ ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ଆସନ୍ତା ୧୭ରୁ ବୋର୍ଡର ୱେବ୍ସାଇଟ www.bseodisha.nic.inରୁ ଆଡ୍ମିଟ କାର୍ଡ ଡାଉନଲୋଡ କରିପାରିବେ।
ଆସନ୍ତା ୨୭ ତାରିଖ ଦିନ ସ୍ବତନ୍ତ୍ର ଓଟିଇଟି ପେପର-୧ ଓ ପେପର-୨ ପାଇଁ ୭୫ ହଜାର ଶିକ୍ଷକ ପରୀକ୍ଷା ଦେବେ। ଏଥି ପାଇଁ ସେମାନେ ପ୍ରସ୍ତୁତି କରିଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପେପର-୧ ଓ ପେପର-୨ ପାଇଁ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ। ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଥିଲେ। ହଠାତ ସକାଳୁ ସକାଳୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ଫଳରେ ପରୀକ୍ଷାର୍ଥୀମାନେ ନିରାଶ ହୋଇଥିଲେ। ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଥିଲା। ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଥିଲା। ଗତମାସ ୧ ତାରିଖ ଦିନ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଅଗଷ୍ଟ ୩୧ ତାରିଖ ଦିନ ସ୍ପେଶାଲ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ପୁଣି ଥରେ ସ୍ଥାଗିତ ରଖାଯାଇଥିଲା।
Cuttack