ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ପାଖେଇ ଆସୁଛି। ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ। ଅକ୍ଟୋବର ୨ ତାରିଖରେ ଦେଶବ୍ୟାପୀ ଦଶହରା ପାଳନ ହେବ। ଏଥି ପାଇଁ କର୍ମଜୀବୀ ବ୍ୟକ୍ତିମାନେ ଆନମନା ହେବାରେ ଲାଗିଲେଣି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦଶହରା ପାଇଁ ଅଧିକାଂଶ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ସହିତ ଅନ୍ୟ ସଂସ୍ଥାରେ ଛୁଟି ରହିଥାଏ। ଏହି ସମୟରେ ଦଶହାରା ଛୁଟି ପାଳିବା ପାଇଁ ଲୋକେ ନିଜନିଜ ସ୍ତରରେ ଯୋଜନା ମଧ୍ୟ ଆରମ୍ଭ କରିସାରିଛନ୍ତି। ଦଶହରାରେ କେଉଁଠିକୁ ବୁଲିବାକୁ ଯିବେ ଓ କେମିତି ଛୁଟି ବିତାଇବେ ଏସବୁ ଚିନ୍ତା କରୁଛନ୍ତି। ଏହାର କାରଣ ଅବକାଶ ସମୟ କାରଣରୁ ସେପ୍ଟେମ୍ବର ଶେଷ ସପ୍ତାହ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ପର୍ଯ୍ୟଟନର ସହର ଓ ସ୍ଥାନରେ ଲୋକଙ୍କର ଭିଡ଼ ରହିବ। ଏହି ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପାର୍ବଣ ସମୟରେ ସ୍ବତନ୍ତ୍ର ଟ୍ରେନ୍ ସେବା ଯୋଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ଦୁର୍ଗାପୂଜା ଅବସରରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥା ଆବଶ୍ୟକ ଥିବା ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି। ତେଣୁ ଯାତ୍ରୀମାନେ କୌଣସି ସ୍ଥାନକୁ ଯିବା ପୂର୍ବରୁ ତରବରିଆ ଭାବେ ଟ୍ରେନ୍ ଟିକେଟ୍ ବୁକିଂ ନକରି, ନିଜ ଲକ୍ଷ୍ୟ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ୍ ସୁବିଧା ରହିଛି କି? ରେଳବାଇର ୱେବ୍ସାଇଟ୍ ସହିତ ଅନ୍ୟ ଟ୍ରାଭେଲ୍ ବୁକିଂ ସଂସ୍ଥା ମାଧ୍ୟମରେ ଭିଡ଼ରୁ ବର୍ତ୍ତି ପାରିବେ।
ଭାରତୀୟ ରେଳବାଇ ସାଧାରଣତଃ ଦୁର୍ଗା ପୂଜା ସମୟରେ ସ୍ୱତନ୍ତ୍ର ପୂଜା ଟ୍ରେନ୍ର ବ୍ୟବସ୍ଥା କରିଥାଏ ଏବଂ ଅଧିକ ଚାହିଦା ଥିବା ରୁଟରେ ଅତିରିକ୍ତ କୋଚ୍ ସଂଯୋଗ କରିଥାଏ। ଏଥି ପାଇଁ ଯାତ୍ରୀଙ୍କୁ ଅପ୍ଡେଟ୍ ରହିବାର ଅଛି:
-ଆଇଆରସିଟିସି ଘୋଷଣା ଯାଞ୍ଚ କରିବା
-ଆଧିକାରିକ ଭାରତୀୟ ରେଳବାଇ ୱେବସାଇଟ୍ ପରିଦର୍ଶନ କରିବା
-ଭାରତୀୟ ରେଳବାଇ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ଅନୁସରଣ କରିବା
-ଏହି ଅପଡେଟ୍ ଆପଣଙ୍କୁ ପର୍ବର ଆହୁରି ନିକଟତର କରିପାରିବ
ଦଶହରା ପୂର୍ବରୁ ଅନେକ ଲୋକଙ୍କର ଚିନ୍ତା ଥାଏ ଯେ, ଏଥର ଆମେ ପୂଜା ପାଇଁ ଘରକୁ ଯାଇପାରିବୁ କି ନାହିଁ? ବିଶେଷ ଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ରହୁଥିବା ଲୋକଙ୍କ ମନରେ ଏହି ଚିନ୍ତା ପ୍ରବେଶ କରେ। କୋଲକାତା ଓ କଟକ ସମେତ ପୂର୍ବଭାରତରେ ଦୁର୍ଗାପୂଜାକୁ ହର୍ଷୋଲ୍ଲାସର ସହିତ ପାଳନ କରାଯାଇଥାଏ। ତେଣୁ ଏହି ସମୟରେ ବାହାରେ ରହୁଥିବା ଲୋକେ ନିଜର ଭିଟାମାଟିକୁ ଫେରିଥାନ୍ତି। ଆହୁରି ଅନେକ ବାହାରକୁ ବୁଲିବାକୁ ଯାଇଥାନ୍ତି। ଏକ ନିଶ୍ଚିତ ଟିକେଟ୍ ପାଇବା ଏଭରେଷ୍ଟ ପର୍ବତ ଚଢ଼ିବା ପରି କିଛି ଲୋକ ଭାବି ନିଅନ୍ତି। କିନ୍ତୁ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଏବଂ ଖୁସି ଖବର ଆଣିଛି। ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ହ୍ରାସ କରିବା ଏବଂ ଏକ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ, ରେଳବାଇ ବିଭିନ୍ନ ଜୋନ୍ରୁ ସ୍ବତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରିଛି। ଏହା ଦ୍ବାରା ଟ୍ରେନ୍ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଗମନାଗମନ ସୁବିଧା ହେବ।
ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍
ଦଶହରା ସମୟରେ ଭାରତୀୟ ରେଳବାଇ ୬୦୦୦ରୁ ଊର୍ଦ୍ଧ୍ବ ସ୍ବତନ୍ତ ଟ୍ରେନ୍ ପରିଚାଳନା କରିବ। ଏଥରୁ ଅନେକଗୁଡ଼ିଏ ଟ୍ରେନ୍ ପୂର୍ବତଟ ରେଳପଥ ଅଧୀନ ଦେଇ ଯାତ୍ରା କରିବ। ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ପୂର୍ବତଟ ରେଳବାଇ ମଧ୍ୟ ଘୋଷଣା କରିଛି। ଆବଶ୍ୟକ ଅନୁସାରେ ଆହୁରି ପଦକ୍ଷେପ ନେଇପାରେ। ଏହା ଦ୍ବାରା ଯାତ୍ରୀମାନଙ୍କୁ ସହଜରେ ଆଗୁଆ ଟିକେଟ୍ ମିଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ବିହାର ଓ ଝାଡ଼ଖଣ୍ଡରେ ଦଶହରାକୁ ଆକର୍ଷଣୀୟ ଭାବେ ପାଳନ କରାଯାଇଥାଏ। ତେଣୁ ଏହି ସାଂସ୍କୃତିକ ସମାରୋହରେ ପ୍ରତ୍ୟେକ ହିନ୍ଦୁ ପରିବାର ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ଏହି ସମୟରେ ବାହାର ରାଜ୍ୟକୁ ଯିବା ପାଇଁ ଯୋଜନା କରୁଥିବା ଲୋକଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। କାରଣ ଟ୍ରେନ୍ରେ ଟିକେଟ୍ ମିଳିବା କଷ୍ଟକର ହୋଇଯାଇଥାଏ। ଶୟନଯାନ, ତୃତୀୟ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ ଶୀତତାପ ବଗିରେ ଟିକେଟ୍ ପାଇବା ସହଜ ହୋଇନଥାଏ।
ଦୁର୍ଗାପୂଜାରେ କେଉଁଠି ହୁଏ ଭିଡ଼?
ଦୁର୍ଗାପୂଜା ସମୟରେ କଟକ ଓ ଭୁବନେଶ୍ବରରେ ଲୋକଙ୍କର ପ୍ରବଳ ଭିଡ଼ ହୋଇଥାଏ। ଏତଦ ବ୍ୟତୀତ ପଶ୍ଚିମବଙ୍ଗର କୋଲକାତା, ଦାର୍ଜିଲିଂ, ସିଲିଗୁଡ଼ିକୁ ମଧ୍ୟ ପ୍ରବଳମାତ୍ରାରେ ପର୍ଯ୍ୟଟକ ବୁଲିବାକୁ ଯାଇଥାନ୍ତି। ଛୁଟିର ସମୟ ଥିବାରୁ ପରିବାର ସହିତ ସୁଯୋଗ ମିଳିଲେ ଲୋକେ ଆସାମର ଗୁଆହାଟୀ ଓ ମେଘାଳୟର ସିଲଂ ଯିବାକୁ ହାତଛଡ଼ା କରନ୍ତି ନାହିଁ।
ସଂକ୍ଷେପରେ ଭାରତୀୟ ରେଳ
ବିଶ୍ବର ବୃହତ୍ ରେଳ ନେଟ୍ୱର୍କ ମଧ୍ୟରୁ ଅନ୍ୟତମ ହେଉଛି ଭାରତୀୟ ରେଳବାଇ ନେଟ୍ୱର୍କ। ଏହା ୧,୨୩,୨୩୬ କିମି ପର୍ଯ୍ୟନ୍ତ ବିସ୍ତୃତ। ଦୈନିକ ୨ କୋଟିରୁ ଅଧିକ ଲୋକ ରେଳ ଯାତ୍ରା ଉପରେ ନିର୍ଭର କରୁଛନ୍ତି। ଭାରତୀୟ ରେଳ ଲୋକଙ୍କ ଗମନାଗମନକୁ ସୁଗମ କରିଦେଇଛି। ସାଧାରଣ ଯାତ୍ରୀମାନଙ୍କ ପାଇଁ ଦେଶରେ ୭୦୦୦ରୁ ଅଧିକ ରେଳ ଷ୍ଟେସନ ବ୍ୟବସ୍ଥା କରାଯାଇଛି। ଏତଦ୍ ବ୍ୟତୀତ ଖାଇବା ଜିନିଷ ସମେତ ଅନ୍ୟ ସାମଗ୍ରୀ ପରିବହନ କରିବାରେ ରେଳବାଇ ବଡ଼ ଭୂମିକା ତୁଲାଉଛି।
୨୦୨୨ ସୁଦ୍ଧା ଭାରତୀୟ ରେଳବାଇକୁ ୧୯ଟି ଜୋନ୍ରେ ଭାଗ କରାଯାଇଛି, ଯାହାରି ଭିତରେ ରହିଛନ୍ତି ୬୮ଟି ଡିଭିଜନ୍। ୧୯୫୧ ଏପ୍ରିଲ ୧୪ରେ ଦକ୍ଷିଣ ଜୋନ୍ ପ୍ରତିଷ୍ଠା କରାଯାଇଥିଲା। ରେଳବାଇ ଜୋନ୍ଗୁଡ଼ିକ ରେଳ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ହେଉଛି। ଦେଶରେ ଥବା ୧୯ଟି ଜୋନ୍ ମଧ୍ୟରୁ ପୂର୍ବତଟ ରେଳପଥ ଅନ୍ୟତମ। ଭୁବନେଶ୍ବରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ଏହାର ଅଧିନରେ ତିନିଟି ଡିଭିଜନ (ଖୋର୍ଦ୍ଧାରୋଡ, ସମ୍ବଲପୁର ଓ ୱାଲଟିୟର) ରହିଛି। ପୂର୍ବତଟ ରେଳପଥ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ସେବା ପ୍ରଦାନ କରୁଛି।
Indian Railways | East Coast Railways | Bhubaneswar