ଭୁବନେଶ୍ବର: ‘ପୁନଶ୍ଚ ପୃଥିବୀ’ ଏକ ଅଭିଯାନ ନୁହେଁ, ବରଂ ଓଡ଼ିଶାରେ ଏହା ଏକ ବିରାଟ ଆନ୍ଦୋଳନ ଭାବେ ଆରମ୍ଭ ହେଇଛି। ସାରା ଭାରତବର୍ଷ ଓ ବିଶ୍ୱର ମିଡିଆ ପାଇଁ ମଧ୍ୟ ଏହା ଏକ ଆଦର୍ଶ। ଏହାକୁ ଦେଖି ଅନ୍ୟମାନେ ଅନୁକରଣ କରିବା ଦରକାର । ଆଗାମୀ ଦିନରେ ଏହା କେବଳ ଓଡ଼ିଶାରେ ନୁହେଁ ବରଂ ସମଗ୍ର ଭାରତବର୍ଷରେ ଏକ ବିରାଟ ବଡ଼ ପରିବର୍ତ୍ତନ ଆଣିବ। ଏଭଳି କହିଛନ୍ତି ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକ।
ସେ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ଆଗାମୀ ଦିନରେ ସରକାରର ଅଂଶ ଭାବେ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସଭ୍ୟ ହିସାବରେ ମୁଁ ଚାହିଁବି ଏଭଳି ଫିଲ୍ମ ତିଆରି ହେଉ, ଯେଉଁ ଫିଲ୍ମ ସମାଜକୁ କିଛି ବାର୍ତ୍ତା ଦେଉଥିବ। ଯେଉଁ ଫିଲ୍ମ କ୍ଲାଇମେଟ୍ ଉପରେ ହେଉଥିବ। ଓଡିଶାର ବରପୁତ୍ରମାନଙ୍କ ଉପରେ ମଧ୍ୟ ବେଶି ଫିଲ୍ମ ହେଇନି, ଓଡ଼ିଶାର ଇତିହାସ ମଧ୍ୟ ଠିକ୍ ଭାବେ ଦେଖାଯାଇନି। ତେଣୁ ଆମର ଦାୟିତ୍ୱ ଆମେ ସେହି ଇତିହାସକୁ ଉଜ୍ଜୀବିତ କରିବା, ସେଥିପାଇଁ ଫିଲ୍ମ ଗୋଟିଏ ଭଲ ମାଧ୍ୟମ। ଯଦି କେହି ଫିଲ୍ମ ମେକର ପରିବେଶ ଉପରେ ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଫିଲ୍ମ କରନ୍ତି, ତେବେ ତାଙ୍କୁ କିଭଳି ସରକାରୀ ସହଯୋଗ ଆଉ ଅନୁଦାନ ମିଳିପାରିବ, ସେନେଇ ମୁଁ ଦାୟିତ୍ୱ ନେବି।
କିଛିଦିନ ତଳେ ବ୍ୟକ୍ତିଗତ ସ୍ତରରେ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ହେଉଥିଲା। ହେଲେ ତାକୁ ଆଗକୁ ନେବାକୁ ହେଲେ, ସରକାରୀ ପ୍ରୋତ୍ସାହନ ଦରକାର। ତା ସହ ସଚେତନ ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ମଧ୍ୟ ବ୍ୟକ୍ତିଗତ ସ୍ତରରେ ଆଗକୁ ଆସିବା ଦରକାର। ଗୋଟେ ପଟେ ଆମକୁ ପ୍ରଗତି ଦରକାର, ଅର୍ଥନୀତି ଆଗକୁ ଯିବା ଦରକାର। ହେଲେ ଆଉ ଗୋଟିଏ ପଟେ ଯାହାର ଜମି ଯାଉଛି, ଜୀବିକା ଯାଉଛି, ସେମାନଙ୍କର ସ୍ୱାର୍ଥ ମଧ୍ୟ ରଖାଯିବା ଦରକାର। ପ୍ରଗତି ସହିତ ଜନସାଧାରଣଙ୍କର ସ୍ୱାର୍ଥ ପ୍ରଥମେ ରକ୍ଷା କରାଯିବା ଦରକାର। ସର୍ବୋପରି ପରିବେଶକୁ ଆଖି ଆଗରେ ରଖି ଯୋଜନା ପ୍ରଣୟନ ହେବା ଦରକାର।  

Advertisment