ଭୁବନେଶ୍ୱର: ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଭାଷଣରେ କହିଛନ୍ତି, ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଏହି ଲିଟେରାରୀ ଫେଷ୍ଟିଭାଲ ଦୀର୍ଘ ବର୍ଷ ଧରି ଆୟୋଜନ ହୋଇଆସୁଛି। ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏହା ଏକ କ୍ୟାଲେଣ୍ଡର ଇଭେଣ୍ଟ ହୋଇଯାଇଛି। ଲେଖକ, ସାହିତ୍ୟିକ ଏବଂ ସାହିତ୍ୟ କ୍ଷେତ୍ରରେ ରୁଚି ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ସୁନ୍ଦର ପ୍ଲାଟ୍‌ଫର୍ମ। ଏହି ପ୍ଲାଟ୍‌ଫର୍ମ ଭାଷା ଓ ସାହିତ୍ୟ ସମ୍ପର୍କରେ ଭାବ ଓ ଜ୍ଞାନର ଆଦାନ ପ୍ରଦାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜିର ଏହି କାର୍ଯ୍ୟକ୍ରମକୁ ମତେ ନିମନ୍ତ୍ରଣ କରାଯାଇଥିବାରୁ ମୁଁ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଏବଂ ପ୍ରଭୁ ଚାୱଲାଜୀଙ୍କୁ ଧନ୍ୟବାଦ ଅର୍ପଣ କରୁଛି। 

Advertisment

ସେ କହିଛନ୍ତି, ଭାଷା ମାନବ ସଭ୍ୟତାର ପ୍ରାଣକେନ୍ଦ୍ର । ଇଣ୍ଡୋ-ୟୁରୋପୀୟ ଭାଷା ପରିବାରର ଭାରତୀୟ ଆର୍ଯ୍ୟ ଭାଷା ଶାଖାର ଏକ ବଳିଷ୍ଠ ସୁଦୂରପ୍ରସାରୀ ପ୍ରାଚୀନ ଭାଷା ହେଉଛି ଓଡ଼ିଆ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବେଳର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ବୌଦ୍ଧପୀଠର ବିଭିନ୍ନ ଉପାଦାନ, ବହୁ ପ୍ରାଚୀନ ଅଭିଲେଖ, ତାମ୍ରଫଳକ, ଅନୁଶାସନ, ପୁରୁଣା ପୋଥି ଓ ବିିଭିନ୍ନ ତାଳପତ୍ର ଖେଦାରୁ ଆମ ଓଡ଼ିଆ ଭାଷା କେତେ ପୁରୁଣା ତାହା ପ୍ରମାଣିତ ହୋଇଛି ।

 ୨୦୧୪ ମସିହାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ଅର୍ଜନ କରିବା ଫଳରେ ଆମ ଭାଷାର ପ୍ରାଚୀନତା ପ୍ରମାଣିତ ହୋଇସାରିଛି । ପ୍ରାୟ ତିନି ହଜାର ବର୍ଷର ଐତିହାସିକତା ଉପରେ ପ୍ରତିଷ୍ଠିତ ଓଡ଼ିଆ ଭାଷାର ଲିପି ବ୍ରାହ୍ମୀଲିପିରୁ ତା’ର ଅସ୍ତିତ୍ୱ ଅର୍ଜନ କରିଛି । 

 ଆମ ଓଡ଼ିଆ ଭାଷା ମଧ୍ୟ ବିଭିନ୍ନ ଆଞ୍ଚଳିକ ଭାଷା ଓ ଜନଜାତିଙ୍କ ଭାଷା ଦ୍ୱାରା ବହୁଭାବରେ ଉପକୃତ, ଉତ୍ସାହିତ ଓ ସମୃଦ୍ଧ ହୋଇଛି । ତେଣୁ, ଓଡ଼ିଆ ଭାଷାର ବ୍ୟାପକ ପ୍ରଚଳନ, ଓଡ଼ିଆ ଭାଷାର ସମୃଦ୍ଧି ଓ ସଂରକ୍ଷଣ ସକାଶେ ସବୁ ମହଲରେ ଉଦ୍ୟମ ଜାରି ରହିଛି । ଓଡ଼ିଆ ଭାଷାକୁ ଜ୍ଞାନଭଣ୍ଡାରର ଭାଷା ଭାବରେ ବ୍ୟବହାର କରିବା ଦିଗରେ ସବୁପ୍ରକାର ପ୍ରଚେଷ୍ଟା ଚାଲିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, କେନ୍ଦ୍ର ସରକାର ବିଭିନ୍ନ ପାଠ୍ୟପୁସ୍ତକ, ଏପରିକି ଡାକ୍ତରୀ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବୃତ୍ତିଗତ ବିଦ୍ୟାର ଅଧ୍ୟୟନ ନିମନ୍ତେ ଆବଶ୍ୟକ ପାଠ୍ୟପୁସ୍ତକକୁ ଓଡ଼ିଆ ଭାଷାରେ ପ୍ରକାଶ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ଓଡ଼ିଆ ସାହିତ୍ୟ ତା’ର ଭାଷାକୁ ଧରି କ୍ରମୋନ୍ନତି ପଥରେ ଅଗ୍ରସର ହେଉଛି । ତେବେ ଶୁଦ୍ରମୁନୀ ସାରଳା ଦାସଙ୍କ ପୂର୍ବରୁ ଓଡ଼ିଆର ଲୋକସାହିତ୍ୟ, ଅଭିଲେଖ ସାହିତ୍ୟ ଓ ଲିଖିତ ସାହିତ୍ୟ ରହିଛି। ଲୋକଗୀତ, ଲୋକକାହାଣୀ, ଲୋକନାଟକ, ବିଭିନ୍ନ ଅଭିଲେଖ ଓଡ଼ିଆ ଭାଷାକୁ ଋଦ୍ଧିମନ୍ତ କରିଥିବାବେଳେ ଚର୍ଯ୍ୟା ସାହିତ୍ୟ ବା ସିଦ୍ଧ ସାହିତ୍ୟକୁ ପ୍ରଥମ ଲିଖିତ ସାହିତ୍ୟ ଭାବେ ଗ୍ରହଣ କରାଯାଉଛି। ଆଲୋଚକମାନଙ୍କ ମତରେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ରଚିତ ସିଦ୍ଧ ସାହିତ୍ୟଗୁଡ଼ିକରେ ଓଡ଼ିଆ ଭାଷା ପ୍ରାଧାନ୍ୟ ଲାଭ କରିଛି । 

ସେହିପରି ଆମ ଓଡ଼ିଶାରେ ବୌଦ୍ଧ ଧର୍ମ, ଶୈବ ଧର୍ମ ବିକାଶ ଲାଭ କରିବାବେଳକୁ ବହୁ ପ୍ରାଚୀନ ରଚନା ସଂକଳିତ ହୋଇଥିଲା। ବିଭିନ୍ନ ବ୍ରତକଥା, ଚଉତିଶା, କୋଇଲି ଗୀତ ରଚନା ସାଙ୍ଗକୁ ମାଦଳା ପାଞ୍ଜି ଆମ ସାହିତ୍ୟ ଓ ଭାଷାର ଅଗ୍ରଗତି ପଥକୁ ସୂଚିତ କରୁଛି । କିନ୍ତୁ, ଶୁଦ୍ରମୁନୀ ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଓ ଚଣ୍ଡୀପୁରାଣ ଆଦି ରଚନା ଯୋଗୁଁ ଓଡ଼ିଆ ସାହିତ୍ୟର ପୃଷ୍ଠଭୂମି ଦୃଢ଼ ହୋଇଛି।

ସାରଳା ମହାଭାରତ ଆମ ସାହିତ୍ୟର ଅମୂଲ୍ୟ ସମ୍ପଦ। ସାରଳାଙ୍କ ଯୁଗକୁ ଆମ ସାହିତ୍ୟର ଏକ ମହାନ ଯୁଗ ଭାବରେ ବର୍ଣ୍ଣନା କରାଯାଇଛି। ସାରଳାଙ୍କ ପରବର୍ତ୍ତୀ ସମୟରେ ପଞ୍ଚସଖା ସାହିତ୍ୟ ବିକାଶ ଲାଭ କରିଥିଲା। ପଞ୍ଚସଖାଙ୍କ ରଚନାରେ ଆଧ୍ୟାତ୍ମିକତା, ଦର୍ଶନ, ସାମାଜିକ ଓ ସାଂସ୍କୃତିକ ଦିଗଗୁଡ଼ିକ ବିଶେଷ ଭାବରେ ଆଲୋଚିତ ହୋଇଛି। ଲକ୍ଷ୍ମୀପୁରାଣ ମହିଳା ସଶକ୍ତିକରଣ ନେଇ ଏକ ଶ୍ରେଷ୍ଠ ରଚନା। 

ଅନ୍ୟ ପକ୍ଷରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଶାର ଘରେ ଘରେ ପରିଚିତ । ଏହା ଏପରି ଏକ ଗ୍ରନ୍ଥ ଯେଉଁଥିରେ ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଅସ୍ମିତା ଉଜାଗର ହୋଇଛି। ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀ ଓଡ଼ିଆଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜାଗରଣରେ ସହାୟକ ହୋଇଛି। ଭାଗବତ ଗ୍ରନ୍ଥର ଜନ୍ମଦିନ ପାଳନ କରାଯିବା ଏପରି ଏକ ବିରଳ ଘଟଣା ଯାହା ବିଶ୍ୱର କୌଣସିଠାରେ ଲକ୍ଷ୍ୟ କରାଯାଏ ନାହିଁ । 

ପଞ୍ଚସଖାଙ୍କ ସାହିତ୍ୟ ଆନ୍ଦୋଳନ ସମୟରେ ଅନେକ କବି ଅନେକ ପୁରାଣ ରଚନା କରିଛନ୍ତି। ଏହା ପରେ ରୀତି ଯୁଗର କବି-ଲେଖକମାନେ ଓଡ଼ିଆ ସାହିତ୍ୟକୁ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି। କାବ୍ୟକବିତାରେ ଚମକ, ଅଳଙ୍କାର, ଛନ୍ଦ, ଅନୁପ୍ରାସ ଇତ୍ୟାଦିର ପ୍ରୟୋଗ ଫଳରେ ଏହି ସାହିତ୍ୟ ପଣ୍ଡିତ ଓ ବିଦ୍ୱାନମାନଙ୍କର ପ୍ରିୟ ହୋଇ ରହିଛି । ସେହିପରି ପରବର୍ତ୍ତୀ ସମୟରେ ଚମ୍ପୁ ଓ ପଦାବଳୀ ଇତ୍ୟାଦି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି ।

ଓଡ଼ିଶାରେ ସାଂସ୍କୃତିକ ଜୀବନଧାରାରେ ଓ ବିଦେଶୀ ଶିକ୍ଷା ପ୍ରଭାବରେ ଆରମ୍ଭ ହୋଇଥିବା ନବଜାଗରଣ, ଛାପାଖାନା ପ୍ରତିଷ୍ଠା ଓ ପତ୍ରପତ୍ରିକା ପ୍ରକାଶନର ଆରମ୍ଭ ବେଳକୁ ‘ଉଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନଏ’ ବୋଲି କହୁଥିବା ଲୋକମାନଙ୍କୁ ଭୁଲ ପ୍ରମାଣିତ କରି ଓଡ଼ିଆ ଭାଷାର ସାହିତ୍ୟରଥୀମାନେ ଭାଷା-ସାହିତ୍ୟର ଉନ୍ନତି ପାଇଁ ଯେଉଁ ଅବଦାନ ପ୍ରକଟ କରିଥିଲେ ତାହା ଅତୁଳନୀୟ। 

ସନ୍ଥକବି ଭୀମଭୋଇ, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର ଓ ପଲ୍ଲିକବି ନନ୍ଦକିଶୋର ବଳ ଇତ୍ୟାଦିଙ୍କ ଅମର ଲେଖନୀରୁ ଯେଉଁ ସାହିତ୍ୟ ସୃଷ୍ଟି ହୋଇଥିଲା ତାହା ଆମ ଭାଷାର ସ୍ମରଣୀୟ ସମ୍ପଦ ହୋଇ ରହିଛି। ଏହା ପରେ ସତ୍ୟବାଦୀ ଯୁଗରେ ସତ୍ୟବାଦୀ ସାହିତ୍ୟ, ପଣ୍ଡିତ ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଇତ୍ୟାଦିଙ୍କ ଲେଖନୀରେ ସମୃଦ୍ଧ ହୋଇଛି। ଜାତୀୟବାଦୀ ଚେତନା ଓ ପ୍ରଗତିବାଦୀ ଚିନ୍ତାଧାରା ସେମାନଙ୍କ ଲେଖାରେ ପ୍ରତିଫଳିତ ହୋଇଛି।

ସ୍ୱାଧିନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ଅନେକ ଲେଖକ ଓ ସାହିତ୍ୟିକ ସମ-ସାମୟିକ ସମୟର ସାମାଜିକ ସମସ୍ୟା ଗୁଡ଼ିକ ଉପରେ ଆଲୋକପାତ କରି ଗଭୀର ପ୍ରଭାବ ପକାଇଛନ୍ତି । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ରେବତୀ’, ଝିଅମାନଙ୍କ ଶିକ୍ଷା ଅଧିକାର ଉପରେ ଗଭୀର ପ୍ରଭାବ ପକାଇଥିଲା । ତାଙ୍କ ରଚିତ ‘ଛ’ମାଣ ଆଠଗୁଣ୍ଠ’ ଭୂମିହୀନ କୃଷକମାନଙ୍କ ସମସ୍ୟା ଉପରେ ସମାଜକୁ ପ୍ରଭାବିତ କରିଥିଲା । ଆଧୁନିକ ଯୁଗରେ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ନାରୀ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏକ ପ୍ରଭାବଶାଳୀ ଉପନ୍ୟାସ । ସମାଜର ଶୋଷିତ, ବଞ୍ଚିତ ଓ ଅବହେଳିତ ବର୍ଗର ଲୋକମାନଙ୍କ ପାଇଁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତାହା ସାମାଜିକ ପରିବର୍ତ୍ତନରେ ସହାୟକ ହୁଏ । ଏକ ନୂଆ ସାମାଜିକ ପ୍ରକରଣ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ସାହିତ୍ୟ କେବଳ ଏକ ରଚନାତ୍ମକ ଶୈଳୀ ନୁହେଁ, ଏହା ସାମାଜିକ ପରିବର୍ତ୍ତନର ଏକ ବଳିଷ୍ଠ ମାଧ୍ୟମ ।

ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଅଧ୍ୟାୟରେ ଶତାଧିକ କବି-ଲେଖକ-ସାହିତ୍ୟିକ ସେମାନଙ୍କ ଯୋଗଦାନକୁ ସଶକ୍ତ କରିଛନ୍ତି। ଉପନ୍ୟାସ, ନାଟକ, ଗଳ୍ପ, କବିତା, ରମ୍ୟରଚନା, ଲଳିତ ନିବନ୍ଧ ସାଙ୍ଗକୁ ଅନୁବାଦରେ ମଧ୍ୟ ଆଧୁନିକ ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ ହୋଇଛି। ଏବେ ଅନେକ ସାହିତ୍ୟିକଙ୍କ ମତରେ ଆମ ସାହିତ୍ୟରେ ଉତ୍ତର-ଆଧୁନିକ ଯୁଗର ରୁଚି ଓ ପ୍ରଭାବ ପରିଲକ୍ଷିତ ହୋଇଛି। ସ୍ୱାଧୀନତା ପ୍ରାପ୍ତି ପରେ ଆମ ଭାଷାର ସ୍ୱାଧୀନ ସାହିତ୍ୟ ସ୍ରଷ୍ଟାମାନଙ୍କ ଦୃଷ୍ଟିଭଙ୍ଗୀରେ ଗୁଣାତ୍ମକ ପରିବର୍ତ୍ତନ ଆସିଛି। ସେସବୁ ସମ୍ପର୍କରେ ଅଧିକ ଆଲୋଚନା କରିବାର ଏବେ ଅବସର ନାହିଁ।

ତେବେ, ସାହିତ୍ୟ ହେଉ ବା ଶିକ୍ଷା ହେଉ, ଆମ ପ୍ରଥମ ପରିଚୟ ହେଉଛି ଆମ ଭାଷା । ଓଡ଼ିଆ ଆମ ମୁଖ୍ୟ ଭାଷା ହେଲେ ମଧ୍ୟ, ଆମ ଓଡ଼ିଶାରେ ୬୨ ବର୍ଗର ଆଦିବାସୀ ଅଛନ୍ତି। ସମସ୍ତଙ୍କର ସ୍ୱତନ୍ତ୍ର ଭାଷା ଅଛି, ସଂସ୍କୃତି ଅଛି । ସାନ୍ତାଳୀ ଭାଷାରେ କହୁଥିବା ଲୋକ କେବଳ ଓଡ଼ିଶାରେ ନୁହନ୍ତି, ବାହାର ରାଜ୍ୟରେ ମଧ୍ୟ ଅଛନ୍ତି। ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଉଦ୍ୟମରେ ସାନ୍ତାଳୀ ଭାଷାର ସ୍ୱତନ୍ତ୍ର ଅଲ୍-ଚିକି ଲିପି ଆଜି ଲୋକପ୍ରିୟ ହୋଇଛି ଏବଂ ସାନ୍ତାଳୀ ଭାଷା ସମ୍ୱିଧାନର ଅଷ୍ଟମ ସିଡୁଲରେ ସ୍ଥାନ ପାଇଛି । ଏହାଦ୍ୱାରା ସାନ୍ତାଳୀ ଭାଷାର ସାହିତ୍ୟରେ ବିକାଶର ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । 

ଜାତୀୟ ପାଠ୍ୟକ୍ରମ ଢାଞ୍ଚା ବା ଏନ୍‌.ସି.ଏଫ୍ ଆଧାରରେ ଓଡ଼ିଶାରେ ଆମେ ଷ୍ଟେଟ୍ କରିକୁଲମ୍ ଫ୍ରେମୱାର୍କ ବା "ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା" ଆରମ୍ଭ କରୁଛୁ । ଏହି ଢାଞ୍ଚା ଆମ ପିଲାମାନଙ୍କ ଆବଶ୍ୟକତା, ଓଡ଼ିଶାର ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ, ଇତିହାସ, ଐତିହ୍ୟ, ଆମର ମାତୃଭାଷା ଏବଂ ଭବିଷ୍ୟତର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଉଛି । ଏହାଦ୍ୱାରା ଶିକ୍ଷାର୍ଥୀମାନେ ଅଧିକ ସୃଜନଶୀଳ ଏବଂ ଅସ୍ମିତା ବିଷୟରେ ସଚେତନ ହେବେ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି। ଏହି କ୍ରମରେ ପ୍ରଥମେ ସାନ୍ତାଳି ଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତି କରିଛନ୍ତି। 

ଅନ୍ୟ ଆଦିବାସୀ ଭାଷାମାନଙ୍କର ସ୍କ୍ରିପ୍ଟ ନାହିଁ। ତେଣୁ ସେମାନଙ୍କ ପାଇଁ ଓଡ଼ିଆ ଲିପିରେ ପୁସ୍ତକ ଲେଖାଯିବ, କିନ୍ତୁ ସେମାନଙ୍କ ଭାଷାରେ ହିଁ ପାଠ୍ୟ ପୁସ୍ତକ ଏବଂ ଅନ୍ୟାନ୍ୟ ବହି ପଢାଯିବ।

ସେହିପରି, ନିପୁଣ ଓଡିଶା କାର୍ଯ୍ୟକ୍ରମରେ ଆମେ ରାଜ୍ୟ ସ୍ତରରେ ଏକ ପଠନ ଅଭିଯାନ- ପଢିବା, ଗଢିବା ଓଡିଶା ମଧ୍ୟ ଆରମ୍ଭ କରିବାକୁ ଯାଉଛୁ । ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ନିୟମିତ ଏବଂ ସ୍ୱାଧୀନ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇ ପାରିବ । ସରଳ କାହାଣୀ ପୁସ୍ତକ ମାଧ୍ୟମରେ ଛୋଟ ପିଲାମାନଙ୍କ ମଧ୍ୟରେ ପଠନ ଏବଂ ବୋଧଗମ୍ୟତାକୁ ବିକଶିତ କରାଯିବ । ଏଥି ସହିତ ବିଦ୍ୟାଳୟ ଗୁଡ଼ିକୁ ସୁନ୍ଦର ଏବଂ ଆକର୍ଷଣୀୟ ପଠନ ସ୍ଥାନ ଭାବରେ ବିକଶିତ କରାଯିବ । ଏହା ଏକାଧାରରେ ତିନୋଟି ସ୍ତରରେ ପ୍ରଭାବିତ କରିବ । ଭାଷା, ସାହିତ୍ୟ ଓ ଅସ୍ମିତା । ଏ ପ୍ରକ୍ରିୟାରେ ପାଠ ପଢିଥିବା ପିଲା ସବୁବେଳେ ଏହି ତିନୋଟି ବିଷୟ ପ୍ରତି ସଚେତନ ରହିବ। 

ମୂଳକଥା ହେଉଛି, ଆମର ଅସ୍ମିତା । ଆମେ ଯଦି ଆମ ମାତୃଭୂମିକୁ ଭଲ ପାଇବା, ମାତୃଭାଷାକୁ ଭଲ ପାଇବା, ନିଜ ସଂସ୍କୃତିକୁ ଭଲ ପାଇବା, ତେବେ ବିକାଶ ଅବଶ୍ୟମ୍ଭାବୀ। ଆପଣ ଇଉରୋପ ଦେଖନ୍ତୁ, ଆମେରିକା ଦେଖନ୍ତୁ, ସେମାନେ ତାଙ୍କର ଭାଷା ସାହିତ୍ୟ ପ୍ରତି କେତେ ସଚେତନ । ମୁଁ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ଯେ, ସେମାନେ ୧୩ ବର୍ଷ ଧରି ଏହି ପ୍ଲାଟଫର୍ମଟିକୁ ନିୟମିତ ଭାବେ ଉଜ୍ଜିବୀତ କରି ଆସୁଛନ୍ତି । ଆମ ଅସ୍ମିତା ପ୍ରତି ସଚେତନ ହେବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । 

ଏବେ ମୁଁ ଦିଲ୍ଲୀ ଯାଇଥିଲି, ସେଠାରେ ୫୬ତମ ଜି.ଏସ୍.ଟି କାଉନ୍‌ସିଲ ବୈଠକରେ ଯୋଗଦେଇ ଆସିଲି । ଆପଣମାନେ ଜାଣନ୍ତି, ମଧ୍ୟବିତ୍ତ ଓ ଗରିବ ଲୋକ ବ୍ୟବହାର କରୁଥିବା ପ୍ରାୟ ସମସ୍ତ ଦ୍ରବ୍ୟ ଉପରେ ଜି.ଏସ୍.ଟି କମ୍‌ କରାଯାଇଛି ଅବା ଛାଡ କରାଯାଇଛି । ଏହା ଏକ ଐତିହାସିକ ନିଷ୍ପତ୍ତି । ଦେଶର କନ୍‌ଜମ୍ପସନ୍ ବୃଦ୍ଧି ଓ ବ୍ୟବସାୟ ବାଣିଜ୍ୟ ବୃଦ୍ଧି କ୍ଷେତ୍ରରେ ଏହି ନିଷ୍ପତ୍ତି ଯୁଗାନ୍ତକାରୀ ସାବ୍ୟସ୍ତ ହେବ । ଯେଉଁ ବିଦେଶୀ ଶକ୍ତିମାନେ ବିଭିନ୍ନ ବାହାନାରେ ଭାରତର ଅଭିବୃଦ୍ଧିକୁ ରୋକିବାକୁ ଚାହୁଁଛନ୍ତି, ସେମାନେ କେବେହେଲେ ସଫଳ ହେବେନାହିଁ । ଏହାର ପ୍ରମାଣ ହେଉଛି, ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଦେଶର ଅଭିବୃଦ୍ଧି ୭.୮ ପ୍ରତିଶତ ରହିଛି । ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମୋଦୀଜୀ ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ହେଉଛି ଆମ ଦେଶର ଆର୍ଥିକ ଅସ୍ମିତାକୁ ସୁଦୃଢ କରିବା ଦିଗରେ ଏକ ବୈପ୍ଲବିକ ପଦକ୍ଷେପ । 

ଏଠାରେ ମୁଁ ଅସ୍ମିତା କଥା ବାରମ୍ୱାର କହୁଛି । କାରଣ, ଅସ୍ମିତା ହିଁ ସମସ୍ତ ବିକାଶର ମୂଳମନ୍ତ୍ର । ଆମ ସରକାର ଆସିବା ପରେ ଅସ୍ମିତାର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବାଠୁଁ ଆରମ୍ଭ କରି ଭିତର ରତ୍ନଭଣ୍ଡାର, ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର ପାଣ୍ଠି, ୨୦୦ କୋଟି ଟଙ୍କାର ଅସ୍ମିତା ପାଣ୍ଠି ଆଦି ବିଷୟରେ ଆପଣମାନେ ଜାଣନ୍ତି । 

ଆମ ସରକାର ପ୍ରଥମ ଥର ପାଇଁ ଉତ୍କଳ ଦିବସକୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ପାଳନ କରିଛନ୍ତି। ସମସ୍ତ ମହାପୁରୁଷଙ୍କ ଜନ୍ମପୀଠକୁ ବିକଶିତ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ କରାଯାଉଛି । ଉତ୍କଳ ଦିବସରୁ ଓଡ଼ିଆ ନୂଆ ବର୍ଷ ପର୍ଯ୍ୟନ୍ତ ୧୪ ଦିନ ସମୟକୁ ଓଡ଼ିଆ ପକ୍ଷ ଭାବେ ପାଳନ କରାଯାଇଛି ଏବଂ ପ୍ରତ୍ୟେକ ଦିନକୁ ଆମ ସଂସ୍କୃତିର ଗୋଟିଏ ମହତ୍ୱପୂର୍ଣ୍ଣ ଦିଗ ସହିତ ଯୋଡାଯାଇ ଉତ୍ସବ ପାଳନ କରାଯାଇଛି । ବାଲିଯାତ୍ରା ଓ ଧନୁଯାତ୍ରା ପରି ପ୍ରସିଦ୍ଧ କାର୍ଯ୍ୟକ୍ରମ ଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସାରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । 

ଏସବୁ ପଦକ୍ଷେପ ଆମ ସରକାରଙ୍କ ପ୍ରଥମ ବର୍ଷରେ ହିଁ ନିଆଯାଇଛି । ଏହା କେବଳ ପ୍ରାରମ୍ଭ ମାତ୍ର । ଆଗକୁ ଆହୁରି ଅନେକ ପଦକ୍ଷେପ ନିଆଯିବ । କାରଣ ଅସ୍ମିତା ସହିତ ଆମେ ଯୋଡି ନ ହେଲେ, ବିକାଶ ହେବନାହିଁ । ବିକାଶ ହେଲେ ମଧ୍ୟ ଆମେ ଆତ୍ମନିର୍ଭରଶୀଳ ହୋଇପାରିବା ନାହିଁ । ମୋଦୀଜୀଙ୍କ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆମ ସମସ୍ତଙ୍କୁ ପ୍ରଥମେ ଆମର ଭାଷା ସଂସ୍କୃତିକୁ ଭଲ ପାଇବାକୁ ପଡ଼ିବ । ବିକାଶର ପ୍ରତ୍ୟେକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାକୁ ପଡ଼ିବ । ସେମିକନ ଇଣ୍ଡିଆ ୨୦୨୫ ରେ ମୋଦୀଜୀ ଯେତେବେଳେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଲଞ୍ଚ୍ କଲେ, ସେତେବେଳେ ଆଧୁନିକ ଟେକ୍ନୋଲୋଜିରେ ଆତ୍ମନିର୍ଭରତାର ଅୟମାରମ୍ଭ ହେଲା । ଖୁସିର କଥା ଦେଶର ପ୍ରଥମ ଚିପ୍‌ ନିର୍ମାଣରେ ଏନ୍‌ଆଇଟି ଏବଂ ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିଅରିଂ କଲେଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଏହାର ତିନୋଟି ଡିଜାଇନ ପ୍ରସ୍ତୁତ କରିଛନ୍ତି । 

ଆମ ପାଇଁ ଆହୁରି ଖୁସିର କଥା, କେନ୍ଦ୍ର ସରକାର ଓଡ଼ିଶା ପାଇଁ ୪୦୦୦ କୋଟି ଟଙ୍କାର ଦୁଇଟି ସେମିକଣ୍ଡକ୍ଟର ପ୍ରୋଜେକ୍ଟ ମଞ୍ଜୁର କରିଛନ୍ତି । ସେମିକନ ଇଣ୍ଡିଆ କାର୍ଯ୍ୟକ୍ରମରେ କେବଳ ଜଣେ ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତାହା ହେଉଛି ଓଡିଶାର ମୁଖ୍ୟମନ୍ତ୍ରୀ। ସେଠାରେ 20ରୁ ଅଧିକ ବିଶ୍ୱସ୍ତରୀୟ କମ୍ପାନୀ ଆସିଥିଲେ ଏବଂ ସମସ୍ତଙ୍କ ଟିମ୍ ସହିତ ମୁଁ ଆଲୋଚନା କରିଛି। ସେମାନେ ସମସ୍ତେ ଓଡିଶାରେ ପ୍ରୋଜେକ୍ଟ କରିବା ପାଇଁ ଆଗ୍ରହୀ। 

ଏହି ଅବସରରେ, ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ପ୍ରୋଜେକ୍ଟ ସ୍ଥାପନ ପାଇଁ ଚୁକ୍ତିନାମା ମଧ୍ୟ କରାଯାଇଛି। ଏହି ଦୁଇଟି ପ୍ରକଳ୍ପରେ ୨୬୦୦ କୋଟି ଟଙ୍କା ବିନିଯୋଗ ହେବ। ପୂର୍ବରୁ ଆର୍‌ଆଇଆର୍ ଗୋଟିଏ ସିଲିକନ୍ କାର୍ବାଇଡ୍‌ ୱେଫର୍ ଫେବ୍ରିକେସନ୍‌ ୟୁନିଟ୍ ପ୍ରତିଷ୍ଠା କରୁଛି। ଆସନ୍ତା ବର୍ଷେ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶର ଏକ ପାୱାର-ହାଉସ ହେବାକୁ ଯାଉଛି। 

ଆମ ସରକାର ଆସିବା ପରେ ଓଡ଼ିଶା ଅତି ତ୍ୱରିତ ଗତିରେ ବିକାଶର ମାର୍ଗରେ ଅଗ୍ରସର ହେଉଛି । ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଓ ୧୩ ଲକ୍ଷ ନିଯୁକ୍ତି ପାଇଁ ମାର୍ଗ ପ୍ରସ୍ତୁତ ହୋଇଛି । ମହିଳା, କୃଷକ ମାନଙ୍କ ସାମାଜିକ ସୁରକ୍ଷା ଓ ବିକାଶ ପାଇଁ ସୁଭଦ୍ରା ଓ ସମୃଦ୍ଧ କୃଷକ ଯୋଜନା ପରି କାର୍ଯ୍ୟକ୍ରମ ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ଭବିଷ୍ୟତ ପ୍ରତି ସେମାନେ ଏବେ ପୂର୍ବ ଅପେକ୍ଷା ଅଧିକ ଆଶାବାଦୀ ଓ ଆତ୍ମବିଶ୍ୱାସୀ ହୋଇପାରିଛନ୍ତି। 

୧୪-୧୫ ମାସ ସମୟ ମଧ୍ୟରେ ଆମ ସରକାରଙ୍କ କାର୍ଯ୍ୟକ୍ରମ ବିକାଶର ଏକ ନୂଆ ଯୁଗ ସୃଷ୍ଟି କରିଛି । ଆମର କାର୍ଯ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସ୍ୱାଭିମାନ ସୃଷ୍ଟି କରିଛି । ଏହି ଆତ୍ମବିଶ୍ୱାସ ଓ ଓଡ଼ିଆ ଅସ୍ମିତାକୁ ସାଥିରେ ନେଇ ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ ହେବ ଏବଂ ୨୦୪୭ରେ ବିକଶିତ ଭାରତ ଗଠନରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଅସ୍ମିତା ଓ ଆତ୍ମନିର୍ଭରତାର ପ୍ରଭାବ ପଡିବ।

ବନ୍ଧୁଗଣ, ବିକାଶ ପ୍ରକ୍ରିୟା ଉପରେ ମୁଁ ସମ୍ୟକ୍ ତଥ୍ୟ ଉପସ୍ଥାପନ କଲି । କାରଣ ଏହା ମୌଳିକତଃ ଏକ ସାହିତ୍ୟ କାର୍ଯ୍ୟକ୍ରମ । ସାହିତ୍ୟ ହେଉଛି ସମାଜର ଦର୍ପଣ। ସମାଜ ଜୀବନ, ବ୍ୟକ୍ତି ଚରିତ୍ର, ବ୍ୟବସ୍ଥାକୁ ନେଇ ସାହିତ୍ୟ ସୃଷ୍ଟି ହୋଇଥାଏ। ଜଣେ ସତ୍‌ସାହିତ୍ୟିକ ସମାଜର ଅଘୋଷିତ ବ୍ୟବସ୍ଥାପକ। କାରଣ, ସେ ହିଁ ସମାଜରେ ସଂସ୍କାର, ସଂଶୋଧନ, ଗୁଣାତ୍ମକ ପରିବର୍ତ୍ତନ ଓ ମାନବିକତାର ପ୍ରତିଷ୍ଠା ପାଇଁ ଆଗଭର ହୋଇଥାଏ । 

ମୁଁ ଆପଣମାନଙ୍କ ଠାରୁ ଗୋଟିଏ କଥା ଆଶା କରୁଛି । ସାରା ଦେଶରେ ଏବଂ ଆମ ଓଡ଼ିଶାରେ ଏକ ପରିବର୍ତ୍ତନର ଯୁଗ ଆସିଛି । ଆପଣ ସବୁ କ୍ଷେତ୍ରରେ ପରିବର୍ତ୍ତନ ଅନୁଭବ ମଧ୍ୟ କରୁଥିବେ । ଏ ଯେଉଁ ପରିବର୍ତ୍ତନ ହେଉଛି, ବିଶେଷକରି ଆର୍ଥିକ ଓ ଟେକ୍ନୋଲୋଜି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ହେଉଛି, ତାହା ଆମର ଚିରାଚରିତ ସାମାଜିକ ଚଳଣୀରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି । ଅନେକ ପରିବର୍ତ୍ତନ ଆମ ଚିନ୍ତାର ବାହାରେ । ତେଣୁ ସାହିତ୍ୟରେ ଏ ପରିବର୍ତ୍ତନ ପ୍ରତିଫଳିତ ହେବ ବୋଲି ମୁଁ ଆଶା କରୁଛି । ଆପଣମାନେ ଚିନ୍ତାଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ- ତେଣୁ ଏ ବିଷୟରେ ଆପଣ ଚିନ୍ତା କରୁଥିବେ। ଯେତେ ପରିବର୍ତ୍ତନ ଆସିଲେ ମଧ୍ୟ, ସବୁକ୍ଷେତ୍ରରେ ଆମର ମୌଳିକତା ବଜାୟ ରହିବା ଆବଶ୍ୟକ । ସାହିତ୍ୟ ଏ କ୍ଷେତ୍ରରେ ସଚେତନ କରିପାରିବ । 

ଆମ ସମୟର ସାହିତ୍ୟିକମାନଙ୍କ ଆଗରେ ଆହ୍ୱାନ ରହିଛି। ପ୍ରତିକୂଳତାକୁ ଲଂଘନ କରି, ଅବ୍ୟବସ୍ଥାକୁ ବିରୋଧ କରି, ସଂସ୍କାର ଓ ସାଂସ୍କୃତିକ ଚେତନାର ସମର୍ଥନ କରି ସର୍ବୋପରି ସତ୍ୟ-ଶିବ-ସୁନ୍ଦରର ଜୟଗାନ କରିବା ହେଉଛି ଆଜିର ସାହିତ୍ୟିକଙ୍କ ଆଭିମୁଖ୍ୟ। 

ମୋର ଆଶା, ଆମର ସାହିତ୍ୟିକମାନେ ଏ ଦିଗରେ ଅଧିକ ଉନ୍ମୁଖ ହେବେ। ଏହା ସହିତ ଆମ ଭାଷା ଓ ସାହିତ୍ୟର ସମୃଦ୍ଧି, ବିକାଶ ଓ ଅଧିକ ସଂପ୍ରସାରଣ ପାଇଁ ସେମାନେ ଉଦ୍ୟମ ଜାରି ରଖିବେ। ସାହିତ୍ୟ ଉତ୍ସବ ଏପରି ସୁଯୋଗମାନ ସୃଷ୍ଟି କରୁଛି, ଯେଉଁଠାରେ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ଭାଷାର ଲେଖକମାନେ ଯୋଗଦେଇ ପରସ୍ପର ମଧ୍ୟରେ ମତବିନିମୟ କରିବା ସହିତ ନୂତନ ସୃଷ୍ଟି ସନ୍ଧାନରେ ଉତ୍ସାହିତ ହେଉଛନ୍ତି । 

ମୋର ଆଶା, ଏପରି ଉତ୍ସବ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହିତ ସାହିତ୍ୟର ସାମଗ୍ରିକ ଜୟଯାତ୍ରାରେ ସହାୟକ ହେବ ।

ବନ୍ଦେ ଉତ୍କଳ ଜନନୀ