ଭୁବନେଶ୍ବର: ‘ସମ୍ବାଦ’ ଜିଲ୍ଲାରୁ ଜିଲ୍ଲା, ପଞ୍ଚାୟତରୁ ପଞ୍ଚାୟତ ବୁଲି ଏହି କ୍ଲାଇମେଟ୍ ରିପୋର୍ଟ ତିଆରି କରିଛି, ଯାହାର ଲାଭ ସରକାରକୁ ଉଠାଇବା ଦରକାର। ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ୩ୟ ଦିବସର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମଞ୍ଚରେ ଏହି କଥା କହିଛନ୍ତି ରାଜ୍ୟପାଳ ରଘୁବର ଦାସ।  ଏଥିପାଇଁ ମୁଁ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏ ରିପୋର୍ଟ ଉପରେ ଗମ୍ଭୀରତାର ସହ ଧ୍ୟାନ ଦେବାକୁ କହିଛି। ପୃଥିବୀ ପାଇଁ ପ୍ରତିଟି ପରିବାର ତଥା ସମୁଦାୟ କିଛି ନା କିଛି ଦାୟିତ୍ୱ ନେବା ଦରକାର। ଏହି ଦାୟିତ୍ୱକୁ ସମ୍ବାଦ ଗ୍ରୁପ୍ ଉଠାଇଛି,ଏଥିପାଇଁ ମୁଁ ସମ୍ବାଦକୁ ଅନ୍ତରରୁ ଧନ୍ୟବାଦ ଦେବି ବୋଲି ରାଜ୍ୟପାଳ କହିଛନ୍ତି।

Advertisment

‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରି ରାଜ୍ୟପାଳ କହିଛନ୍ତି, ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ କେବଳ ଭାରତରେ ନୁହେଁ, ସାରା ଦୁନିଆରେ ମଧ୍ୟ ମାନବ ସମାଜ ଉପରେ ବିପଦର ବାଦଲ ଘୁରିବୁଲୁଛି। ବୈଜ୍ଞାନିକଙ୍କ ଅନୁସାରେ ଦେଢ ଡିଗ୍ରୀ ପର୍ଯ୍ୟନ୍ତ ତାପମାନକୁ ଆମେ ସମ୍ଭାଳିପାରିବା । କିନ୍ତୁ ଯେଉଁ ପ୍ରକାରରେ ବାୟୁରେ କାର୍ବନର ମାତ୍ରା ବଢୁଛି ସେଥିରୁ ଲାଗୁଛି ଏକବିଂଶ ଶତାବ୍ଦୀ ଶେଷ ହେଉ ହେଉ ପୃଥିବୀର ତାପମାନ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଯିବ। ବଜାରକୁ କିଣିବାକୁ ଗଲେ ପଲିଥିନ୍ ବଦଳରେ କପଡ଼ାର ବ୍ୟାଗ୍ ବ୍ୟବହାର କରନ୍ତୁ । କ୍ଷେତରେ ବି କ୍ୟାମିକାଲ୍ ସାରର ଅଧିକ ବ୍ୟବହାର ଦ୍ୱାରା ନାନାଦି ରୋଗର ସାମ୍ନା କରିବାକୁ ପଡ଼େ । ଡାଏବେଟିସ୍,ବିପି,କିଡନୀ ସମସ୍ୟା ଭଳି ରୋଗ ଏହି ସାରର ହିଁ କୁପ୍ରଭାବ । ମୁଁ ଜିଲ୍ଲାକୁ ଜିଲ୍ଲା ବୁଲି ଚାଷୀଙ୍କୁ ରାସାୟନିକ ସାର ପ୍ରୟୋଗ ନ କରି ଗୋବରରୁ ବାହାରୁଥିବା ଜୈବିକ ସାର ପ୍ରୟୋଗ କରିବା ପାଇଁ କହୁଥିଲି।

ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ‘ସମ୍ବାଦ‘ ସଂପାଦିକା ତନୟା ପଟ୍ଟନାୟକ କହିଥିଲେ, ମୁଁ ଯେତେବେଳେ ପୁନଶ୍ଚ ପୃଥିବୀ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କ ପାଖକୁ ସାକ୍ଷାତ କରିବାକୁ ଗଲି ସେ କ୍ଲାଇମେଟ୍ ପରିବର୍ତ୍ତନର ଗୁରୁତ୍ୱକୁ ବୁଝିପାରି ତୁରନ୍ତ ଆସିବାକୁ ରାଜି ହୋଇଗଲେ । ସେଥିପାଇଁ ମୁଁ ତାଙ୍କୁ କୃତଜ୍ଞତା ଜଣାଇବି। ଝାଡ଼ଖଣ୍ଡରୁ ଓଡ଼ିଶା ଚାରିଆଡ଼େ ଏ ସମସ୍ୟା ଯେମିତି ମୁଣ୍ଡ ଟେକିଛି। ରାଜ୍ୟପାଳ ଆଜି କ୍ଲାଇମେଟ୍ ପଞ୍ଚାୟତର ରିପୋର୍ଟ ଉନ୍ମୋଚନ କରିଥିବାରୁ ତାଙ୍କୁ ଧନ୍ୟବାଦ।