ଭୁବନେଶ୍ବର: ବିକାଶଧାରାରେ ବଡ଼ ପ୍ରତିବନ୍ଧକ ପ୍ରଦୂଷଣ। ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ୩ୟ ଦିବସରେ ଅତିଥି ଭାବେ ଯୋଗ ଦେଇ ଏକଥା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ ଆହୁରି କହିଛନ୍ତି, ମୁଁ ଆସିଛି ରାଜ୍ୟର ସବୁଠାରୁ ପ୍ରଦୂଷିତ ଜିଲ୍ଲା ଝାରସୁଗୁଡ଼ାରୁ। ‘ପୁନଶ୍ଚ ପୃଥିବୀ’ ର ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଶିଳ୍ପ ପ୍ରତିଷ୍ଠା, ଶକ୍ତି ପ୍ରତିଷ୍ଠା ବିନା ବିକାଶ ସମ୍ଭବ ନୁହେଁ ମାତ୍ର ପରିବେଶ ପ୍ରତି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସଚେତନ ଅଛନ୍ତି । ପ୍ରଦୂଷଣ ରୋକିବା, ଜଙ୍ଗଲ ସୃଷ୍ଟି କରିବା, ସବୁଜ ଭାରତ ଗଢିବା । ପ୍ରକୃତି ସାଙ୍ଗରେ ମଣିଷର ଲଢେଇ ଅନ୍ତ କରିବାର ପ୍ରୟାସ ଆରମ୍ଭ କରିବା ସମ୍ବାଦ ଗ୍ରୁପର ନିଆରା ଅଭିଯାନ ପୁନଶ୍ଚ ପୃଥିବୀ ପାଇଁ ଶୁଭକାମନା ଜଣାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ଏହା କେବଳ ସମ୍ବାଦ ଗ୍ରୁପର କାର୍ଯ୍ୟକ୍ରମ ନୁହେଁ ଏଥିରେ ସରକାରଙ୍କ ସହଯୋଗ ରହିବ। 

Advertisment

 ପୁନଶ୍ଚ ପୃଥିବୀ ମହାସମ୍ମିଳନୀରରେ ମଞ୍ଚରେ ଗଛରେ ଜଳଦାନ କରିଥିଲେ ମହାମହିମ ରାଜ୍ୟପାଳ ରଘୁବର ଦାସ। ପୁନଶ୍ଚ ପୃଥିବୀ ମହାସମ୍ମିଳନୀ ମଞ୍ଚରେ ଅତିଥିଙ୍କୁ ମହାପ୍ରଭୁଙ୍କ ଫଟୋଚିତ୍ର ଉପହାର ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମଧ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ପୁନଶ୍ଚ ପୃଥିବୀ ଏକ ଅଭିନବ କଳ୍ପନା। ସମ୍ବାଦ ସବୁବେଳେ ଖବର ପ୍ରସାରଣ କରିବା ସହିତ କିଛି କିଛି ନୂଆ କଥା କରିବା ପାଇଁ ଚେଷ୍ଟା କରିଥାଏ । ଲୋକଙ୍କୁ ଲୋକଙ୍କ ସହ ଯୋଡିବାକୁ ଚେଷ୍ଟା କରିଥାଏ, ସମସ୍ୟାକୁ ସମାଧାନର ନିକଟତର କରିବା ପାଇଁ ଚେଷ୍ଟା କରିଥାଏ । ଏହି ଚେଷ୍ଟାର ଫଳସ୍ୱରୂପ ଆଜିର ପୁନଶ୍ଚ ପୃଥିବୀ ଏକ ବିସ୍ତୃତ ଲମ୍ବା ଅଭିଯାନ । ୧୨ ବର୍ଷ ଧରି ଏହି ଅଭିଯାନ ଚାଲିବ। ଓଡ଼ିଶାକୁ ଯେତେବେଳେ ୧୦୦ ବର୍ଷ ହେଉଥିବ, ସେତେବେଳେ ଆମେ କିପରି ଏକ ଦୁନିଆ ଦେଖିବାକୁ ଚାହୁଁଛୁ, ସେ ସମ୍ପର୍କରେ ଆଜିଠାରୁ ସଙ୍କଳ୍ପ ନେଇ ତାକୁ ଚରିତାର୍ଥ କରିବାକୁ ଉଦ୍ୟମ କରିବା ଏହାର ଏକ ଲକ୍ଷ୍ୟ।