-ବାହାର ଜିଲ୍ଲାକୁ ଯାଉଛନ୍ତି କ୍ରୀଡାବିତ୍
-ଜିଲ୍ଲାରୁ ଭଲିବଲ, ଆର୍ଚେରୀ, ଆଥେଲେଟିକୁ ବାଦ 

Advertisment


ମାଲକାନଗିରି: ଜିଲ୍ଲାର କ୍ରୀଡାବିତ ଏବେ ବାହାର ଜିଲ୍ଲା ମୁହାଁ। ଜିଲ୍ଲାରେ କ୍ରୀଡାର ଉନ୍ନତି ପାଇଁ କୌଣସି ପ୍ରକାର ସୁବିଧା ନଥିବାରୁ ବାଧ୍ୟ ହୋଇ କ୍ରୀଡାବିତ ବାହାର ଜିଲ୍ଲାକୁ ଯାଉଛନ୍ତି। ଜିଲ୍ଲାରେ ୨୦୧୯ ପର୍ଯ୍ୟନ୍ତ କ୍ରୀଡା ଛାତ୍ରାବାସ ରହିଥିଲା।ଏଥିରେ ପ୍ରାୟ ୩୮ ଜଣ ବିଭିନ୍ନ ବିଭାଗର କ୍ରିଡାବିତ ରହି ଖେଳର ତାଲିମ ନେଉଥିଲେ। ଫଳରେ ଜିଲ୍ଲାର ବହୁ ଖେଳାଳି ଜାତୀୟ ସ୍ତରରେ ନିଜର ଭଲ ପ୍ରଦର୍ଶନ କରି ଦେଶ ଓ ଜିଲ୍ଲାର ଟେକ ରଖିଥିଲେ।

କରୋନା ପର ଠାରୁ ଆଉ କ୍ରିଡା ଛାତ୍ରାବାସ ବନ୍ଦ ହୋଇଯାଇଥିଲା। ଫଳରେ ୧୦ରୁ ଊର୍ଦ୍ଧ୍ବ ଆର୍ଚେରୀ କ୍ରୀଡ଼ାବିତ, ୮ରୁ ଊର୍ଦ୍ଧ୍ବ ଭଲିବଲ ଏବଂ ପ୍ରାୟ ୧୫ ଜଣ ଆଥେଲେଟିକ କ୍ରୀଡ଼ାବିତ ବାଲେଶ୍ବର, କୋରାପୁଟ, ସମ୍ବଲପୁର ଭଳି ବାହାର ଜିଲ୍ଲାରେ ରହି ତାଲିମ ନେବା ସହ ସେହି ଜିଲ୍ଲା ପାଇଁ ଖେଳୁଛନ୍ତି। ମାଲକାନଗିରି ଜିଲ୍ଲାର କ୍ରୀଡ଼ାବିତକୁ ନେଇ ଯେଉଁ ସୁନାମ ଅର୍ଜନ କରୁଥିଲା ତାହା ସଂପୂର୍ଣ୍ଣ ଇତିହାସ ହୋଇଗଲା।ଜିଲ୍ଲାର ଆଗଧାଡିର ଭଲିବଲ ଖେଳାଳି ସିରସା କରାମୀ ଜାତୀୟସ୍ତରରେ ଖେଳି ବେଶ ଚର୍ଚ୍ଚା ସାଉଁଟିଥିଲେ।

ସେହିପରି ଆର୍ଚେରୀରେ ରାହୁଲ ମାଡକାମୀ, ଆଥେଲେଟିକ ଭକ୍ତରାମ ଦସ୍ତ ପ୍ରମୁଖ ରାଜ୍ୟ ଏବଂ ଜାତୀୟ ସ୍ତରରେ ଖେଳି ଜିଲ୍ଲାର ଟେକ ରଖିଥିଲେ। ଏବେ କୁନ୍ତି ଭୁମିଆ ଭୁଟବଲରେ ବେଶ ଚର୍ଚିତ ଚେହେରେ। ମାଲକାନଗିରିରେ ଫୁଟବଲ ପାଇଁ କୌଣସି ପ୍ରତ୍ସାହନ ଦିଆଯାଉନଥିବାରୁ ସେ ବାଧ୍ୟ ହୋଇ ବରଗଡରେ ରହି ତାଲିମ ନେବା ସହ କେନ୍ଦୁଝର ଜିଲ୍ଲା ପାଇଁ ଖେଳୁଛନ୍ତି। ଏବେ ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ରହିଛି ସିନା କୌଣସି କ୍ରୀଡାବିତ ଏଠାରେ ତାଲିମ ନେଉଥିବା ବେଳେ କୌଣସି ଖେଳରେ ମଧ୍ୟ ପିଲା ବାହାରୁ ନାହାନ୍ତି।ଜିଲ୍ଲାର କୋଣ ଅନୁକୋଣରୁ ବହୁ ବିଭାଗର ଭଲ ଖେଳାଳି ପ୍ରତିବର୍ଷ ବାହାରୁଥିଲେ।

ମାଲକାନଗିରିର ଖେଳାଳି ରାଜ୍ୟସ୍ତରୀୟ ଏବଂ ଜାତୀୟ ସ୍ତରରେ ଖେଳି ଜିଲ୍ଲା ପାଇଁ ଗୌରବ ଆଣୁଥିଲେ। ଏବେ କେବଳ ନାମକୁ ମାତ୍ର କ୍ରୀଡା କାର୍ଯ୍ୟାଳୟ ରହିଛି। ସବୁ ଖେଳକୁ ଜିଲ୍ଲାରୁ ବାଦ ଦିଆଯାଇଛି। କେବଳ ଜୁଡୋକୁ ଏଠାରେ ପ୍ରାଥମିକତା ଦିଆଯାଇଛି। ଜୁଡୋ ଏକାଡେମୀ ପାଇଁ ପ୍ରଥମେ ଟେଣ୍ଡର ହୋଇଥିଲା। ଏହା ସଫଳ ହୋଇନଥିଲା। ପରେ ପୁଣି ଟେଣ୍ଡର ହୋଇଥିଲେ ମଧ୍ୟ ଏସଟିମେଟ କମ୍ ଥିବାରୁ କେହି ଠିକାଦାର ଏହାକୁ ନେବାକୁ ଆଗକୁ ଆସୁନଥିବା ଜଣାପଡିଛି।

ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟରେ ଜଣେ ଜିଲ୍ଲା କ୍ରୀଡା ଅଧିକାରୀ ସମେତ ଅନ୍ୟ କିଛି କର୍ମଚାରୀ ରହିଛନ୍ତି। ଖେଳ ପାଇଁ ସରକାରଙ୍କ କୌଣସି ଅନୁଦାନ ଆସୁନଥିବାରୁ ଖେଳ ମଧ୍ୟ ହେଉନାହିଁ। ବର୍ଷକୁ ଥରେ କୌଣସି ଜିଲ୍ଲାସ୍ତରୀୟ ଖେଳାଳିଙ୍କୁ ଚୟନ କରିବାକୁ ହେଲେ ଅନୁଦାନ ଆସୁଥିବା କହନ୍ତି ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗୀ। ଜିଲ୍ଲାର କ୍ରୀଡାବିତ କିପରି ଆଗକୁ ବଢିବେ ବୋଲି କ୍ରୀଡା ବିଶେଷଜ୍ଞମାନେ ମତ ଦେଇଛନ୍ତି। ସରକାର ତୁରନ୍ତ କ୍ରୀଡା ଛାତ୍ରାବାସ ସ୍ଥାପନ କରିବା ସହ ବିଭିନ୍ନ ଖେଳରେ ପାରଦର୍ଶିତା ଆଣିଥିବା ଖେଳାଳୀଙ୍କୁ ତାଲିମ ପ୍ରଦାନ କରି ସୁଯୋଗ ପ୍ରଦାନ କଲେ ଆଗକୁ ଏମାନେ ରାଜ୍ୟ ଓ ଦେଶର ନାମା ରଖିବେ ବୋଲି ମତ ପ୍ରକାଶ ପାଇଛି।