ମାଲକାନଗିରି: ରାଜ୍ୟ ଖାଦ୍ୟ କମିଶନଙ୍କ ୩ ଜଣିଆ ସଦସ୍ୟକୁ ନେଇ ଏକ ଟିମ ମାଲକାନଗିରି ଗସ୍ତରେ ପହଞ୍ଚିଛନ୍ତି। ଆଜି ସକାଳୁ ଚିତ୍ରକୋଣ୍ଡା ଗସ୍ତରେ ଯାଇ ବିଭିନ୍ନ ସ୍କୁଲ,ଛତୁଆ ମିଶ୍ରଣ କେନ୍ଦ୍ର,ହୋଷ୍ଟେଲ ସମେତ ବିଭିନ୍ନ ସ୍ଥାନକୁ ଅଚାନକ ଗସ୍ତ କରିଥିଲେ। ତେବେ ଛତୁଆ ବଣ୍ଟନରେ ଏବଂ ମିଶ୍ରଣରେ ଅନିୟମିତତା ଦେଖି ବିଗିଡିଥିଲେ ଖାଦ୍ୟ କମିସନ ସଦସ୍ୟ ଦୟାନିଧି ଦାସ,ଅକ୍ଷୟ କୁମାର ବେହେରା। ଛତୁଆ ମିଶ୍ରଣ କେନ୍ଦ୍ରକୁ ଯାଇ ଏହି ଛତୁଆ କିଏ ବଣ୍ଟନ କରୁଛି ବୋଲି ପଚାରିଥିଲେ।
ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପହଞ୍ଚିବା ସହ ବିଡିଓ ପିତା କୁମାରୀ,ଛତୁଆ ପ୍ରୋଗ୍ରାମ ଅଧିକାରୀ ପି.ଜୟଲକ୍ଷ୍ମୀ, ସିଡିପିଓ ସ୍ବର୍ଣ୍ଣପ୍ରଭା ଦାସ, ପବିତ୍ର ପାଣିଗ୍ରାହୀ, ହେମନ୍ତ ଭୁୟାଁ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ସିଡିପିଓ ସମେତ ଅନ୍ୟ କର୍ମଚାରୀଙ୍କୁ ଛତୁଆ ମିଶ୍ରଣ ବେଳେ ଉପସ୍ଥିତ ରହୁଛ କି ନାହିଁ ବୋଲି ପଚାରିଥିଲେ। ଏଥିସହ ଛତୁଆ ପାଇଁ ଆସୁଥି କଞ୍ଚା ମାଲର ତଦାରଖ କରୁଛ କି, ତାହା ଖାତାରେ କାହିଁକି ଲେଖା ଯାଇ ନାହିଁ, କେତେ ସେଣ୍ଟରକୁ ଛତୁଆ ଯାଉଛି।
ଏଭଳି ବହୁ ପ୍ରଶ୍ନ କରି ସମସ୍ତ ଅଧିକାରୀଙ୍କୁ ଶ୍ରୀ ଦାସ ଘାଇଲା କରିଥିଲେ। କେହି ମଧ୍ୟ ଠିକ ଉତ୍ତର ଦେଇନଥିଲେ। ଛତୁଆ ମିଶ୍ରଣରେ ବ୍ୟାପକ ଅନିୟମିତତା ହୋଇଥିବା ସଦସ୍ୟମାନେ ଦେଖିବାକୁ ପାଇଥିଲେ। ଚିତ୍ରକୋଣ୍ଡାରେ ୧୮୦ଟି ସେଣ୍ଟର ରହିଥିଲେ ମଧ୍ୟ ଅଧା ସେଣ୍ଟରକୁ ବି ଛତୁଆ ପହଞ୍ଚୁନଥିବା ଅଭିଯୋଗ ହେବା ପରେ କାହିଁକି ଏଭଳି ହେଉଛି ବୋଲି ସିଡିପିଓଙ୍କୁ ପ୍ରଶ୍ନ କରିଥିଲେ। ସିଡିପିଓ ନିୟମିତ ତଦାରଖ କରୁନଥିବାରୁ ତାଗିଦ କରିଥିଲେ। ସବୁ ସ୍ଥାନରେ ଛତୁଆର ମାନ ଠିକ ନଥିବା ନେଇ ଯେଉଁ ଅଭିଯୋଗ ହେଉଛି ଏଠାରେ ଦେଖିବା ପରେ ସବୁ ସତ ବୋଲି ଶ୍ରୀ ଦାସ ଅନୁଭବ କରିଥିଲେ।
ଛତୁଆ ମିଶ୍ରଣ ଦିନ କେହି ମଧ୍ୟ ଅଧିକାରୀ ରହୁନଥିବାରୁ କେତେ ଛତୁଆ ମିଶ୍ରଣ ହେଉଛି ତାହା ନେଇ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପଚାରିବାରୁ ସେମାନେ କିଛି ଉତ୍ତର ଦେଇପାରିନଥିଲେ। ମନଇଛା ଛତୁଆ ମିଶ୍ରଣ କରାଯାଉଥିବାରୁ ଆଗାମୀ ଦିନରେ ପିଲାଙ୍କ ଉପରେଏହାର କୁପ୍ରଭାବ ପଡିବ ବୋଲି କୁହାଯାଇଥିଲା। ଛତୁଆ ବଣ୍ଟନରେ ହେରଫେର ନେଇ ସୂଚନା ପାଇବା ପରେ ଏନେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଚିତ୍ରକୋଣ୍ଡା ବଡ ବ୍ଲକ ହୋଇଥିବା ବେଳେ ଦୁଇଟି ଛତୁଆ ସେଣ୍ଟର କରିବା କଥା କିନ୍ତୁ ବିଭାଗୀୟ ଅଧିକାରୀ ଏବଂ ଛତୁଆ ବଣ୍ଟନ ସଂସ୍ଥା ମଧ୍ୟରେ ଭିତିରିଆ ସଂପର୍କ ଯୋଗୁଁ ଏଠାରେ ଛତୁଆ ବଣ୍ଟନରେ ବ୍ୟାପକ ହେରଫେର ହେଉଛି ବୋଲି କୁହାଯାଇଛି। ତୁରନ୍ତ ଦୁଇଟି ଛତୁଆ ବଣ୍ଟନ କେନ୍ଦ୍ର କରିବା ପାଇଁ ଦାବି ହୋଇଛି।
Malkangiri