ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳିକା ରାଜ୍ୟ ହକି ପ୍ରତିଯୋଗିତାରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଫାଇନାଲ ପ୍ରବେଶ କରିଛନ୍ତି। ଗୁରୁବାର ଉଭୟ ଦଳ ଫାଇନାଲରେ ମୁହାଁମୁହିଁ ହେବେ। ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଶେଷସୁଦ୍ଧା ସ୍କୋର୍ ୨-୨ ଗୋଲରେ ବରାବର ରହିଥିଲା।
ସୁଟ୍ଆଉଟ୍ରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ୪-୩ ଗୋଲରେ ମ୍ୟାଚ୍ ଜିତିନେଇ ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ଅପରପକ୍ଷରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଓ ଗାଙ୍ଗପୁର ହକି ଆସୋସିଏସନ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ ସଂପୂର୍ଣ୍ଣ ଏକତରଫା ହୋଇଛି। ଏହି ମ୍ୟାଚ୍କୁ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ସିଧାସଳଖ ୭-୦ ଗୋଲରେ ଜିତିନେଇଛି।
ସେହିଭଳି ବରିଷ୍ଠ ପୁରୁଷ ରାଜ୍ୟ ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ନିଜର ଶେଷ ଲିଗ୍ ମ୍ୟାଚ୍କୁ ଜିତି ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା), ପୂର୍ବତଟ ରେଳବାଇ, ଦେବଗଡ଼, କିଟ୍ ଓ କିସ୍, ସୁନ୍ଦରଗଡ଼, ଓଡ଼ିଶା ପୁଲିସ, ଗାଙ୍ଗପୁର ହକି ଆସୋସିଏସନ ଏବଂ ଖୋର୍ଦ୍ଧା କ୍ବାର୍ଟରଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଢ଼େଙ୍କାନାଳ ମଧ୍ୟରେ ଖେଳାଯାଇଥିବା ଆଜିର ପ୍ରଥମ ମ୍ୟାଚ୍ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଶେଷସୁଦ୍ଧା ସ୍କୋର୍ ୩-୩ ଗୋଲରେ ବରାବର ରହିଥିଲା।
ତେବେ ସୁଟ୍ଆଉଟ୍ରେ ପାନପୋଷ କ୍ରୀଡ଼ାଛାତ୍ରାବାସ ୩-୦ ଗୋଲରେ ବାଜି ମାରିନେଇଥିଲା। ସେହିଭଳି ପୂର୍ବତଟ ରେଳବାଇ ୧୦-୦ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଥିବାବେଳେ ଦେବଗଡ଼ ୬-୦ ଗୋଲରେ ଯାଜପୁର, କିଟ୍ ଓ କିସ୍ ୭-୦ ଗୋଲରେ ଓଡ଼ିଶା ସେକ୍ରେଟାରିଏଟ୍, ସୁନ୍ଦରଗଡ଼ ୯-୦ ଗୋଲରେ ଗାଙ୍ଗପୁର ସ୍ପୋର୍ଟ୍ସ ଏକାଡେମୀ, ଓଡ଼ିଶା ପୁଲିସ ୮-୨ ଗୋଲରେ କଟକ, ଗାଙ୍ଗପୁର ହକି ଆସୋସିଏସନ ୩-୨ ଗୋଲରେ ପାରାଦୀପ ପୋର୍ଟ୍ ଓ ଖୋର୍ଦ୍ଧା ୫-୦ ଗୋଲରେ ଗଞ୍ଜାମକୁ ପରାସ୍ତ କରିଛି।