ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ତୃତୀୟ କନିଷ୍ଠ ପୁରୁଷ ଓ ବରିଷ୍ଠ ମହିଳା ରାଜ୍ୟ ହକି ପ୍ରତଯୋଗିତାଶେଷ ହୋଇଛି। କନିଷ୍ଠ ପୁରୁଷରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଓ ବରିଷ୍ଠ ମହିଳାରେ ଓଡ଼ିଶା ସେକ୍ରେଟାରିଏଟ୍‌ ଚାମ୍ପିଅନ ହୋଇଛି। ଏହାସହ ପୁରୁଷରେ ଓଡ଼ିଶା ନାଭାଲ ଟାଟା ଏଚ୍‌ପିସି ତୃତୀୟ ଓ ମହିଳାରେ ପାନପୋଷ କ୍ରୀଡ଼ା ଛାତ୍ରାବାସ(ରାଉରକେଲା) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
Advertisment

ଓଡ଼ିଶା ସେକ୍ରେଟାରିଏଟ୍‌ ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିବା ବରିଷ୍ଠ ମହିଳା ବର୍ଗର ଫାଇନାଲ ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌‌ସାରା ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। କିନ୍ତୁ ମ୍ୟାଚ୍‌ ଶେଷ ସୁଦ୍ଧା କେହି କାହାରିକୁ ଗୋଲ୍‌ ଦେଇନପାରିବାରୁ ସୁଟ୍‌ଆଉଟ୍‌ ହୋଇଥିଲା। ତେବେ ଏଥିରେ ଓଡ଼ିଶା ସେକ୍ରେଟାରିଏଟ୍‌ ୩-୨ ଗୋଲରେ ମ୍ୟାଚ୍‌ ଜିତିନେଇଛି।

hockey
ଅପରପକ୍ଷରେ ଆର୍‌ଏସ୍‌ପି ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିବା କନିଷ୍ଠ ପୁରୁଷ ବର୍ଗର ଫାଇନାଲ ମ୍ୟାଚ୍‌ ଏକତରଫା ହୋଇଥିଲା। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଆର୍‌ଏସ୍‌ପିର ସିଲୁବା ଲିହାମ ଏକ ଆକର୍ଷଣୀୟ ଫିଲ୍‌ଡ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ଏହାପରେ ୩୨ତମ ମିନିଟ୍‌ରେ ଅନମୋଲ୍‌ ଏକ୍କା ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିବର୍ତ୍ତନକରି ୨-୦ ଗୋଲରେ ଆର୍‌ଏସ୍‌ପିକୁ ଆଗୁଆ କରିଥିଲେ। ସୁନ୍ଦରଗଡ଼ ଖେଳାଳି ପ୍ରତ୍ୟାବର୍ତ୍ତନ ପାଇଁ ଆକ୍ରମଣକୁ ବ୍ୟାପକ କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ସକ୍ଷମ ହୋଇନପାରେ ପରାଜୟ ଭୋଗିଛନ୍ତି।
ବରିଷ୍ଠ ମହିଳାରେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଭାବେ ଜୀୱନ କିଶୋରୀ ଟପ୍ପା(ସୁନ୍ଦରଗଡ଼), ଶ୍ରେଷ୍ଠ ଡିଫେଣ୍ଡର ସୁନୀତା ଖାଖା(ପାନପୋଷ କ୍ରୀଡ଼ା ଛାତ୍ରାବାସ), ଶ୍ରେଷ୍ଠ ଫରୱାର୍ଡ‌୍ ଖେଳାଳି କମଳା ସିଂହ(ସୁନ୍ଦରଗଡ଼), ମିଡ୍‌ଫିଲ୍‌ଡର ପ୍ରେମିତ୍ରା ବାଡ଼ା(ଓଡ଼ିଶା ସେକ୍ରେଟାରିଏଟ୍‌), ଗୋଲ୍‌ରକ୍ଷକ ରେଶ୍ମା ଟପ୍ପା(ଓଡ଼ିଶା ପୁଲିସ) ଏବଂ କନିଷ୍ଠ ପୁରୁଷ ବର୍ଗରେ ଆର୍‌ଏସ୍‌ପିର ଅନମୋଲ ଏକ୍କା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ଡିଫେଣ୍ଡର ରୋହିତ ଏନ. ମିଞ୍ଜ(ଆର୍‌ଏସ୍‌ପି), ଶ୍ରେଷ୍ଠ ଫରୱାର୍ଡ୍‌ ସତୀଶ ମୁଣ୍ଡା(ସୁନ୍ଦରଗଡ଼), ମିଡ୍‌ଫିଲ୍‌ଡର ଯୋଜିନ ମିଞ୍ଜ(ଓଏନ୍‌ଟିଏଚ୍‌ପିସି), ଗୋଲକିପର ଜଷ୍ଟିନ କିଡୋ(ଗାଙ୍ଗପୁର ସ୍ପୋର୍ଟ୍ସ ଆସୋସିଏସନ) ପୁରସ୍କୃତ ହୋଇଛନ୍ତି।
ପୁରସ୍କାର ବିତରଣୀ ଉତ୍ସବରେ ଆର୍‌ଏସ୍‌ପି ଟାଉନ୍‌ ଇଞ୍ଜିନିଅରିଂ ବିଭାଗର ସିଜିଏମ ବି.କେ. ଯୋଯୋ, ଓଡ଼ିଶା ହକି ସଂଘର ଉପସଭାପତି ଜୀବନ ମହାନ୍ତି, ରାଜ୍ୟ କ୍ରୀଡ଼ା ବିଭାଗର ଉପ-ନିର୍ଦ୍ଦେଶକ ସୁଦୀପ୍ତ ନାଏକ, ସମ୍ପାଦକ ସନାତନ ସାହୁ, ଡ. ଏସ.ଏନ.ମିଶ୍ର, ଆର୍‌ଏସ୍‌ପି କ୍ରୀଡ଼ା ଅଧିକାରୀ ରଘୁ ପାଢ଼ୀ ପ୍ରମୁଖ ଉପସ୍ଥିତଥିଲେ।