ବାରିପଦା: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୟୂରଭଂଜ ଗସ୍ତ ‌ଶେଷ ହେଲା ପରେ କାଳବୈଶାଖୀରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଲୋକମାନେ କାରକେଡ୍‌ରେ ନିୟୋଜିତ ଥିବା ଗାଡ଼ି ଉପରକୁ ଢ଼େଲାମାଡ଼ ସହିତ ଉତ୍ତେଜନା ସୃଷ୍ଟି କରିଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅଧୀନ ବାଙ୍ଗିରିପୋଷି ଠାରୁ ବିଶୋଇ ଅଭିମୁଖେ ରଜାସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଯାଇ ଫେରିବା ପରେ ତାଙ୍କ କାରକେଡ୍ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି। ତେବେ ଯେଉଁ ସମୟରେ ଏହି ଉତ୍ତେଜନା ଦେଖାଯାଇଥିଲା, ସେହି ସମୟରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗସ୍ତ ଶେଷ କରିସାରିଥିଲେ।

Advertisment

ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। କ୍ଷୟକ୍ଷତି ଆକଳନ କରି ଫେରିଥିଲେ। ମନ୍ତ୍ରୀ କାରକେଡ୍‌ ମାଧ୍ୟମରେ ହେଲିପେଡରେ ପହଞ୍ଚି ଥିଲେ। ପରେ ସେ ଭୁବନେଶ୍ବର ଯାଇଥିଲେ। ତେବେ ମନ୍ତ୍ରୀଙ୍କ କାରକେଡରେ ଯାଇଥିବା ଗାଡ଼ି ଫେରିବା ସମୟରେ ଢ଼େଲାମାଡ଼ର ଶିକାର ହୋଇଥିଲା। ଏଥିରେ ଜଣେ କନଷ୍ଟେବଳ ଆହତ ହୋଇଥିବା ସୂଚନା ମିଳିଛି। ଢ଼େଲାମାଡ଼ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ଢେଲାମାଡ଼ରେ ଆହତ କନଷ୍ଟେବଳଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି।

କୁଆପଥରଝଡ଼ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର କ୍ଷତିଗ୍ରସ୍ତମାନଙ୍କୁ ସନ୍ଧ୍ୟା ସୁଦ୍ଧା ମିଳିବ ସହାୟତା ରାଶି। ବାଙ୍ଗିରିପୋଷିର ମହୁଲବାରେଳି, ସାରସପୋଷି ସମେତ ଦଶରୁ ଅଧିକ ଘର ବୁଲି ସ୍ଥିତି ଅନୁଧ୍ୟାନ କରିବା ପରେ ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ବି ବୁଲି ସ୍ଥିତିର ଅନୁଧ୍ୟାନ କରିଥିଲେ।

publive-image

ସୂଚନାଯୋଗ୍ୟ, କୁଆପଥରଝଡ଼ ଯୋଗୁଁ ପ୍ରାଥମିକ ଆକଳନ ଅନୁସାରେ ମୟୂରଭଂଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୩୫୦ଟି କଚ୍ଚାଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତହୋଇଛି ଏବଂ ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି। ଏତଦ ବ୍ୟତୀତ ଏହି କୁଆ ପଥର ଝଡ଼ରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ଯ କ୍ଷତିଗ୍ରସ୍ତ ହୋଇଛି।

Suresh Pujari | Thunder storm | Mayurbhanj