ବନ୍ଧମୁଣ୍ଡା: ଟ୍ରେନ୍ ସଂଖ୍ୟା ୧୮୪୫୧ ରାଉରକେଲା-ଭୁବନେଶ୍ବର ତପସ୍ୱିନୀ ଏକ୍ସପ୍ରେସ୍ ଉପରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ପଥରମାଡ଼ ହୋଇଛି। ଏଥିରେ ଏସି କୋଚ୍ ଏ-୨ର ଝରକାକାଚ ଭାଙ୍ଗିଛି। ଏହି ସମୟରେ ଟ୍ରେନ୍ଟି କଲୁଙ୍ଗା ଷ୍ଟେସନ ଅତିକ୍ରମ କରୁଥିଲା।
ସୂଚନା ଅନୁସାରେ, ଟ୍ରେନଟି ରାଉରକେଲା ରେଳଷ୍ଟେସନରୁ ଯାତ୍ରାରମ୍ଭ କରି କଲୁଙ୍ଗା ରେଳଷ୍ଟେସନ ଅତିକ୍ରମ କରୁଥିବାବେଳେ ହଠାତ୍ ଟ୍ରେନ୍ର ଏ-୨ ଏସି କୋଚ୍ ଉପରେ ଗୋଟିଏପାର୍ଶ୍ବରୁ ପଥରମାଡ଼ ହୋଇଥିଲା। ଏଥିଯୋଗୁ କୋଚ୍ର ୭, ୮, ୯ ଓ ୧୦ ନମ୍ବର ସିଟ୍ ପାଖର ଝରକାକାଚ ଭାଙ୍ଗିଯାଇଥିଲା। ଯାହାଫଳରେ କୋଚ୍ ଭିତରେ ବସିଥିବା ରେଳଯାତ୍ରୀ ଭୟଭୀତ ହୋଇଯାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ରେଳଯାତ୍ରୀ ଆହତ ହୋଇନାହାନ୍ତି।
ଟ୍ରେନ୍ଟି ଝାରସୁଗୁଡ଼ା ପହଞ୍ଚିବା ପରେ ଆର୍ପିଏଫ୍ ଓ ରେଳବାଇ ଅଧିକାରୀମାନେ କୋଚ୍ ଭିତରକୁ ଯାଇ ରେଳଯାତ୍ରୀଙ୍କ ଅବସ୍ଥା ଜାଣିବା ସହିତ ଘଟଣା ବିଷୟରେ ସୂଚନା ସଂଗ୍ରହ କରିଥିଲେ। ଏହି ମାର୍ଗରେ ରେଳ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଯାତ୍ରୀମାନେ ଏହି ଅବସରରେ ଦାବି କରିଥିଲେ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଘଟଣାକୁ ମିଶାଇ ଗତ ପ୍ରାୟ ଏକମାସ(ଜୁନ୍ ୧୧ରୁ ଜୁଲାଇ ୧୫-୩୫ ଦିନ) ଭିତରେ ଏହି ମାର୍ଗରେ ୫ଟି ଟ୍ରେନ୍ ଉପରକୁ ପଥରମାଡ଼ ହୋଇଛି। ଜୁନ୍ ୧୧ରେ ଟ୍ରେନ୍ ସଂଖ୍ୟା ୨୦୮୩୫ ରାଉରକେଲା-ପୁରୀ ବନ୍ଦେଭାରତ ଏକ୍ସପ୍ରେସ୍ ଉପରକୁ କଲୁଙ୍ଗା ଷ୍ଟେସନ ନିକଟରେ ପଥରମାଡ଼ ହୋଇଥିଲା। ସେହିପରି ଜୁନ୍ ୧୩ରେ ଟ୍ରେନ୍ ସଂଖ୍ୟା ୨୨୮୬୧ ହାଓଡ଼ା-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍କୁ କାଂଶବାହାଲ ନିକଟରେ, ଜୁନ୍ ୨୨ରେ ଟ୍ରେନ୍ ସଂଖ୍ୟା ୧୮୦୨୯ କୁର୍ଲା-ଶାଲିମାର ଏକ୍ସପ୍ରେସ୍କୁ ଝାରସୁଗୁଡ଼ା ନିକଟରେ ଓ ଟ୍ରେନ୍ ସଂଖ୍ୟା ୨୨୮୪୫ ପୁନେ-ହାଟିଆ ଏକ୍ସପ୍ରେସ୍ ଉପରକୁ ପାନପୋଷ ଷ୍ଟେସନ ନିକଟରେ ଚଳିତମାସ ୧୦ରେ ପଥରମାଡ଼ ହୋଇଥିଲା।
Rourkela | Indian Railways