ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗ ଦ୍ବାରା ଚାଲିଥିବା ଉନ୍ନତିମୂଳକ କାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତେବେ ଅନେକ କ୍ଷେତ୍ରରେ ପାଣ୍ଠିର ଠିକ୍ ବିନିଯୋଗ ହେଉନାହିଁ। ପୁଣି ଅନ୍ୟ କେଉଁ ବିଭାଗରେ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ତାହା ଲୋକଙ୍କ କାମରେ ଆସୁନି। ବିଗତ ଦିନରେ ରାଉରକେଲାର ବିଭିନ୍ନ ବିଭାଗରେ ଏମିତି ମାଳମାଳ ଦୁର୍ନୀତିର ଅଭିଯୋଗ ଆସିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍। ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପରେ ବିଭିନ୍ନ କାମ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯେମିତି ବର୍ଷା ଜଳ ପ୍ରକଳ୍ପରେ ୯୦.୪୩ କୋଟି, ଡିଏଭି ପୋଖରୀ ସୌନ୍ଦର୍ଯ୍ୟୀକରଣରେ ୧୬ କୋଟି ୫୩ ଲକ୍ଷ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ୧୪୬ କୋଟି ୫୫ ଲକ୍ଷ, ସ୍ମାର୍ଟ ରାସ୍ତାରେ ୧୦୪ କୋଟି ୨୪ ଲକ୍ଷ, ରାଉରକେଲା ୱାନ୍ରେ ୧୨୧ କୋଟି ୮୪ ଲକ୍ଷରୁ ଅଧିକ ଏମିତି ବିଭିନ୍ନ ପ୍ରକଳ୍ପରେ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୫୦% ଲେଖାଏଁ ଅର୍ଥ ମଞ୍ଜୁର କରିଛନ୍ତି।
କାମର ସ୍ଥିତି ଜାଣିବାକୁ ସୂଚନା ଅଧିକାର ଆଇନରେ କିଛି ତଥ୍ୟ ମଗାଯାଇଥିଲା। ସୂଚନା ମଧ୍ୟରେ ରହିଥିଲା ସ୍ମାର୍ଟସିଟି ଅଧୀନରେ କେତୋଟି ପ୍ରକଳ୍ପ କରାଯାଇଛି ? କେତୋଟି ପ୍ରକଳ୍ପ ବାକି ରହିଛି ? ଏ ବାବଦରେ ସ୍ମାର୍ଟସିଟି ପାଣ୍ଠିରୁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ? ସ୍ମାର୍ଟସିଟି ପାଣ୍ଠିରେ କେତୋଟି ପାର୍କ କରାଯାଇଛି। ସେକ୍ଟର -୨୦ ବୈକୁଣ୍ଠ ଘାଟରେ ଚାଲିଥିବା ପ୍ରକଳ୍ପ ସ୍ଥିତି କ’ଣ ଇତ୍ୟାଦି।
କାମର ସ୍ଥିତି ଜାଣିବାକୁ ସୂଚନା ଅଧିକାର ଆଇନରେ କିଛି ତଥ୍ୟ ମଗାଯାଇଥିଲା। ସୂଚନା ମଧ୍ୟରେ ରହିଥିଲା ସ୍ମାର୍ଟସିଟି ଅଧୀନରେ କେତୋଟି ପ୍ରକଳ୍ପ କରାଯାଇଛି ? କେତୋଟି ପ୍ରକଳ୍ପ ବାକି ରହିଛି ? ଏ ବାବଦରେ ସ୍ମାର୍ଟସିଟି ପାଣ୍ଠିରୁ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ? ସ୍ମାର୍ଟସିଟି ପାଣ୍ଠିରେ କେତୋଟି ପାର୍କ କରାଯାଇଛି। ସେକ୍ଟର -୨୦ ବୈକୁଣ୍ଠ ଘାଟରେ ଚାଲିଥିବା ପ୍ରକଳ୍ପ ସ୍ଥିତି କ’ଣ ଇତ୍ୟାଦି। ଏଥି ମଧ୍ୟରୁ ବିଭାଗୀୟ ଅଧିକାରୀ ଗୋଟିଏ ପ୍ରକଳ୍ପର କିଛି ତଥ୍ୟ ଦେଲେନି। ଓଲଟା ସୂଚନା ଦେବାକୁ ଚିଠିରେ ରୋକଠୋକ୍ ମନା କରିଦେଲେ। ଏଭଳି ତଥ୍ୟ ସହରବାସୀଙ୍କ କିଛି ଲାଭରେ ଆସିବ ? ଉତ୍ତର ରଖୁଛନ୍ତି। ଏଥିରୁ ରାଉରକେଲା ସ୍ମାର୍ଟସିଟି କେମିତି ଚାଲିଛି ସହଜେ ଅନୁମେୟ। ବିଭାଗରେ ଚାଲିଥିବା ଦୁର୍ନୀତିକୁ ଲୁଚାଇବାକୁ ଅଧିକାରୀମାନେ ଏଭଳି କରୁନାହାନ୍ତି ତ ବୋଲି ସାଧାରଣରେ ଆଲୋଚନା ହେଉଛି।
ଏ ସଂକ୍ରାନ୍ତରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ କହିଛନ୍ତି ଏହି ସବୁ ଅର୍ଥ ସାଧାରଣ ଜନତାଙ୍କର। ତଥ୍ୟ ସାମ୍ନାକୁ ଆସିବା କଥା। କାହିଁକି ବିଭାଗୀୟ ଅଧିକାରୀ ଏମିତି କରୁଛନ୍ତି ଜାଣିନାହିଁ। ଏ ସଂକ୍ରାନ୍ତରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ନିଶ୍ଚିତ ଆଲୋଚନା କରିବି। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି, ଦୁର୍ନୀତି ଲୁଚାଇବାକୁ ସ୍ମାର୍ଟସିଟି ଅଧିକାରୀ ଏଭଳି କରୁଛନ୍ତି। ସ୍ମାର୍ଟସିଟି ପ୍ରକଳ୍ପ ଦ୍ବାରା ସହରବାସୀ କେତେ ଉପକୃତ ହେଲେ, ତାହା ସେମାନଙ୍କୁ ଭଲଭାବେ ଜଣା ଅଛି। ଯେଉଁମାନେ ଏମିତି କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ବିଜେଡିର ବରିଷ୍ଠ ନେତା ବୀରେନ ସେନାପତି କହିଛନ୍ତି, ସ୍ମାର୍ଟସିଟିରେ ଯେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହା ସାଧାରଣ ଜନତାଙ୍କର। ସୂଚନା ଅଧିକାର ଆଇନରେ ମଗାଯାଉଥିବା ତଥ୍ୟ ବିଭାଗୀୟ ଅଧିକାରୀ ଦେବା ଦରକାର। ବିଭିନ୍ନ ଆଳ ଦେଖାଇ ଏମିତି ନ କରିବା ଉଚିତ। ସ୍ମାର୍ଟସିଟି ପ୍ରକଳ୍ପ ସଂକ୍ରାନ୍ତରେ ସହରବାସୀ ଜାଣିବାର ଅଧିକାର ରହିଛି। ଖର୍ଚ୍ଚ ହୋଇଥିବା ଅର୍ଥରେ ବୋଧହୁଏ କିଛି ଗଡବଡ ଥିଲାଭଳି ମନେ ହେଉଛି। ଏଥିପାଇଁ ବିଭାଗୀୟ ଅଧିକାରୀ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏମାନଙ୍କୁ ତଥ୍ୟ ଦେବାକୁ ତାଗିଦ କରିବା ଉଚିତ୍।